ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ମୁଖ୍ୟମନ୍ତ୍ରୀ କରିବେ ହବିଷ୍ୟାଳୀ ଶିବିରର ଉଦ୍‌ଘାଟନ

ପଞ୍ଜୀକରଣ ୨୩୪୦, ସଂଧ୍ୟା ସୁଦ୍ଧା ପହଞ୍ଚିଲେ ୧୫୦୭ ଜଣ

ପୁରୀ : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ । ବ୍ରତଧାରୀ ହବିଷ୍ୟାଳୀମାନେ ମାସେ ଧରି ହବିଷ୍ୟାନ୍ନ ପାଳିବେ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ହଜାର ହଜାର ସଂଖ୍ୟାରେ ହବିଷ୍ୟାଳୀମାନେ ଶ୍ରୀକ୍ଷେତ୍ରରେ ଭିଡ଼ ଲଗାଇଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ସରକାରଙ୍କ ପକ୍ଷରୁ ହବିଷ୍ୟାଳୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୁରୀ ସହରର ତିନୋଟି ସ୍ଥାନରେ ହବିଷ୍ୟାଳୀଙ୍କ ରହିବା ବ୍ୟବସ୍ଥା କରାଯାଇଥିବା ବେଳେ ଆସନ୍ତାକାଲି ଅପରାହ୍‌ଣରେ ଏହି ଶିବିରଗୁଡ଼ିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେପଟେ ଆଜି ସୁଦ୍ଧା ରାଜ୍ୟର ୨୩୪୦ଜଣ ହବିଷ୍ୟାଳୀ ନାମ ପଞ୍ଜୀକୃତ କରିଥିବାବେଳେ ୩୦୭ଜଣ ହବିଷ୍ୟାଳୀ ବିଭିନ୍ନ ଶିବିରରେ ପହଞ୍ଚିଛନ୍ତି। ହବିଷ୍ୟାଳୀମାନଙ୍କ ପାଇଁ ପ୍ରତିଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ସେବନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କାର୍ତ୍ତିକ ମାସ ଉପଲକ୍ଷେ ଶ୍ରୀମନ୍ଦିରରେ ବି ସ୍ବତନ୍ତ୍ର ନୀତି ପ୍ରସ୍ତୁତ ହୋଇଛି। ଭୋର ସାଢ଼େ ୪ଟାରେ ଦ୍ବାରଫିଟା ପରେ ଅନ୍ୟାନ୍ୟ ନୀତି ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି।

ଜିଲ୍ଲା ପ୍ରଶାସନ ସୂଚନା ମୁତାବକ, ପୁରୀ ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସ, ମୋଚିସାହି କଲ୍ୟାଣମଣ୍ଡପ ଓ ନରେନ୍ଦ୍ରକୋଣ ହବିଷ୍ୟାଳୀ ବିଲ୍ଡିଂରେ ଚଳିତବର୍ଷ ହବିଷ୍ୟାଳୀଙ୍କ ରହିବା ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଜଗନ୍ନାଥ ବଲ୍ଲଭ ପରିବର୍ତ୍ତେ ନରେନ୍ଦ୍ରକୋଣ ହବିଷ୍ୟାଳୀ ବିଲ୍ଡିଂରେ ହବିଷ୍ୟାଳୀମାନେ ରହିବାର ବ୍ୟବସ୍ଥା ହୋଇଛି। ଅକ୍ଟୋବର ୧୩ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଏମାନଙ୍କ ରହିବା ବ୍ୟବସ୍ଥା କରାଯାଇଛି। ଖାଇବା, ରହିବା ସବୁକିଛି ମାଗଣା ବ୍ୟବସ୍ଥା କରାଯାଇଛି। ଉପରୋକ୍ତ ଶିବିରରେ ୩ ହଜାର ହବିଷ୍ୟାଳୀଙ୍କୁ ରଖିବାକୁ ଲକ୍ଷ୍ୟ ରଖାଯାଇଛି। ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ୯୦୦ ଜଣ, ମୋଚିସାହିସ୍ଥିତ ପୌରସଂସ୍ଥା କଲ୍ୟାଣମଣ୍ଡପରେ ୬୦୦ ଜଣ ଓ ନରେନ୍ଦ୍ରକୋଣ ନୂଆ ହବିଷ୍ୟାଳୀ କୋଠାରେ ଦେଢ଼ହଜାର ହବିଷ୍ୟାଳୀ ରହିବାର ବ୍ୟବସ୍ଥା କରାଯାଇଛି। ଏ ଭିତରେ ଅନଲାଇନ୍ ଓ ଅଫଲାଇନ୍ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ଆଜି ସଂଧ୍ୟା ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୫୦୭ଜଣ ହବିଷ୍ୟାଳୀ ବିଭିନ୍ନ ଶିବିରରେ ପହଞ୍ଚିଛନ୍ତି। ଏ ମଧ୍ୟରୁ ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ୫୦୦ଜଣ, ନରେନ୍ଦ୍ର କୋଣ ହବିଷ୍ୟାଳୀ ବିଲ୍ଡିଂରେ ୬୯୨ଜଣ ଓ ମୋଚିସାହି କଲ୍ୟାଣମଣ୍ଡପରେ ୩୧୫ଜଣ ରହିଛନ୍ତି। ଯେଉଁମାନେ ପଞ୍ଜୀକରଣ ନକରି ସିଧାସଳଖ ଶିବିରରେ ପହଞ୍ଚୁଛନ୍ତି, ସେମାନଙ୍କୁ ବି ଶିବିରରେ ରହିବାର ବ୍ୟବସ୍ଥା କରାଯାଉଛି। ବ୍ରତଧାରୀ ହବିଷ୍ୟାଳୀମାନେ ପ୍ରତିଦିନ ଯେପରି ଶ୍ରୀମନ୍ଦିର ଯା’ଆସ କରିପାରିବେ, ସେଥିପାଇଁ ସ୍ବତନ୍ତ୍ର ବସ୍‌ର ବ୍ୟବସ୍ଥା କରାଯାଇଛି। ରେଳବାଇ କମ୍ପ୍ଲେକ୍ସରେ ୨ଟି ବସ୍‌ର ବ୍ୟବସ୍ଥା ହୋଇଛି। ହବିଷ୍ୟାଳୀ ଶିବିରରେ ସିସି କ୍ୟାମେରା ସହ ପଞ୍ଚତୀର୍ଥ ପୁଷ୍କରିଣୀରେ ସ୍ନାନକାର୍ଯ୍ୟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଠାରେ ସ୍ବତନ୍ତ୍ର ହବିଷ୍ୟାଳୀ ତୁଠ କରାଯାଇଛି। ଅଗ୍ନିଶମ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ଏଠାରେ ମୁତୟନ କରାଯାଇଛି। ସଂଧ୍ୟାରେ ଶିବିରରେ ମହାପ୍ରସାଦ ସେବନ, ପୂଜା କାର୍ଯ୍ୟ ପାଇଁ ପିଣ୍ଡି ବ୍ୟବସ୍ଥା କରାଯାଇଛି। ଗରମ ପାଣିରେ ସ୍ନାନ ପାଇଁ ଗିଜର୍‌ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ଶିବିର ସହ ଅନ୍ୟାନ୍ୟ ସ୍ଥାନରେ ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲାଯାଇଛି। ୩ଜଣ ସୁପରଭାଇଜର, ୪ଜଣ କୋଅର୍ଡିନେଟିଂ ଅଧିକାରୀଙ୍କ ସମେତ ୧୨ଜଣ ନୋଡାଲ୍‌ ଅଫିସରଙ୍କୁ ହବିଷ୍ୟାଳୀଙ୍କ ତତ୍ତ୍ବାବଧାନ ଦାୟିତ୍ବ ଦିଆଯାଇଛି। ସହାୟତା ପାଇଁ ୪୦ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଛି।

ସମ୍ବନ୍ଧିତ ଖବର