ହବିଷ୍ୟାଳୀଙ୍କ ନବୀନ ଭଜନ : ଦୃଢ଼ ନିନ୍ଦା କଲା ବିଜେପି, ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାକୁ ନେଇ ରାଜନୀତି ଦୁର୍ଭାଗ୍ୟଜନକ ବୋଲି କହିଲା ବିଜେଡି

ସରକାର କ୍ଷମା ନ ମାଗିଲେ ଆନ୍ଦୋଳନ ବ୍ୟାପକ ହେବ: ପ୍ରଭାତୀ ପରିଡ଼ା

ଭୁବନେଶ୍ବର: ପୁରୀସ୍ଥିତ ବଗଲା ଧର୍ମଶାଳାରେ ହବିଷ୍ୟାଳୀମାନେ ଏକତ୍ର ବସି ମୁଖ୍ୟମନ୍ତ୍ରୀ ନବୀନଙ୍କ ଉପରେ ଲିଖିତ ଭଜନ ଗାନ କରିବାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ହବିଷ୍ୟାଳୀ ଶିବିରରେ କାର୍ତ୍ତିକ ବ୍ରତର ମୂଳ ଲକ୍ଷ୍ୟ ଦିଗହରା ହେଉଥିବା ଅଭିଯୋଗ ହୋଇଛି। ଭଜନକୀର୍ତ୍ତନ ବଦଳରେ ରାଜନୈତିକ ପରିବେଶ ଏଠାରେ ମୁଣ୍ଡ ଟେକିଛି। ହବିଷ୍ୟାଳୀ ଶିବିରରେ ନବୀନଙ୍କ ଉପରେ ଲିଖିତ ଭଜନ ଗାନ ମହାପ୍ରଭୁ ଜଗନ୍ନାଥ, ଓଡ଼ିଆ ଜାତି ଓ ହବିଷ୍ୟାଳୀଙ୍କ ସଂସ୍କୃତିକୁ ଅପମାନ କରାଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏହାକୁ ଭାରତୀୟ ଜନତା ପାର୍ଟି (ବିଜେପି) ଦୃଢ଼ ନିନ୍ଦା କରିଛି।

ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା ଓଡ଼ିଶାବାସୀଙ୍କୁ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ହବିଷ୍ୟାଳୀଙ୍କ ଦ୍ୱାରା ଏଭଳି ଗୀତ ପରିବେଷଣ କରାଇବା ଅତ୍ୟନ୍ତ ଦୁଃଖ ଓ ପରିତାପର କଥା। ପ୍ରାଶାସନିକ ଅଧିକାରୀମାନେ ଏହି ଗୀତ ଲେଖିଛନ୍ତି, ଯେ ନବୀନ ବାବୁ ହେଲେ ଚଳନ୍ତି ଠାକୁର। ଓଡିଶାବାସୀଙ୍କ ଧାର୍ମିକ ଭାବନା ପ୍ରତି କୁଠାରଘାତ କରାଯାଇଛି। ଅତି ଗର୍ବେ ହତ ଲଙ୍କା। ଏ ସରକାରର ଗର୍ବ ଅଧିକ ହୋଇଗଲାଣି। ନବୀନ ଭଜନ ପ୍ରଭୁ ଜଗନ୍ନାଥଙ୍କ ପୀଠରେ ହେବା ଆମ ସମସ୍ତଙ୍କ ପାଇଁ କୁଠାରଘାତ। ସମଗ୍ର ଓଡ଼ିଆ ସମାଜ ଏଥିରେ ମ୍ରିୟମାଣ ହୋଇଉଠିଛି। ଏଭଳି ଗୀତ ଗାଇବା ମହାପ୍ରଭୁ ଜଗନ୍ନାଥ, ଓଡ଼ିଆ ଜାତି ଓ ହବିଷ୍ୟାଳୀଙ୍କ ସଂସ୍କୃତିକୁ ଅପମାନ କରାଯାଇଛି। ଏ ଅପମାନ ଲାଗି ଯଦି ସରକାର କ୍ଷମା ମାଗିବେ ନାହିଁ, ତେବେ ଆଗକୁ ସମଗ୍ର ପୁରୀ ଅଞ୍ଚଳରୁ ଆନ୍ଦୋଳନ ବ୍ୟାପକ ହେବ।

ପ୍ରଶାସନିକ ଅଧିକାରୀ, ପୁଲିସ ଉପସ୍ଥିତିରେ ହବିଷ୍ୟାଳୀଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସହ ତୁଳନା କରି ଗୀତ ଗାଇବାକୁ କୁହାଯାଉଛି। ଲୋକଙ୍କୁ ଦୟାରେ ଗାଡ଼ିରେ ଆଣିଛନ୍ତି ଏବଂ ଅବଢ଼ା ନବୀନ ବାବୁଙ୍କ ଦୟାରେ ମିଳୁଛି ବୋଲି ଗାଇବାକୁ କହୁଛନ୍ତି। 

ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା

ତେବେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, କାର୍ତ୍ତିକ ମାସରେ ହବିଷ୍ୟାଳୀମାନେ ପୁରୀରେ ଜଗନ୍ନାଥଙ୍କୁ ଆରାଧନା କରିଥାନ୍ତି। ସେଠାରେ ହବିଷ୍ୟାଳୀଙ୍କ ପାଇଁ ରାଜ୍ୟ ସରକାର ଅନେକ ବ୍ୟବସ୍ଥା କରିଛନ୍ତି। ୨୨ ବର୍ଷ ଶାସନ କାଳରେ ନବୀନ ବାବୁ ସାଢେ ୪ କୋଟି ଲୋକଙ୍କ ହୃଦୟରେ ଅଛନ୍ତି। ତେଣୁ କିଏ ଶ୍ରଦ୍ଧା ମନରେ ନବୀନ ବାବୁଙ୍କୁ ପ୍ରସଂଶା କରିଲା ତାକୁ ନେଇ ରାଜନୀତି କରିବା ଦୁର୍ଭାଗ୍ୟଜନକ।

ମିଳିଥିବା ସୂଚନା ମୁତାବକ, ବୁଧବାର ଦିନ ବଗଲା ଧର୍ମଶାଳାରେ ହବିଷ୍ୟାଳୀଙ୍କୁ ଏକତ୍ର ବସାଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ଲିଖିତ ଭଜନ ଗାନ କରିବାକୁ ହବିଷ୍ୟାଳୀଙ୍କୁ କୁହାଯାଇଥିଲା। ଯେଉଁ ଭଜନରେ ପ୍ରତି ଧାଡ଼ିରେ ମୁଖ୍ୟମନ୍ତ୍ରୀଙ୍କ ଗୁଣଗାନ ହେଉଥିବା ଦେଖିବାକୁ ମିଳିଥିଲା। ଆଉ ପାଖରେ ଜିଲ୍ଲାପାଳଙ୍କ ସହ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ବସି ଧ୍ୟାନର ସହ ଶୁଣୁଥିଲେ ଓ ତାଳି ମାରୁଥିଲେ। ଏଭଳି ଭଜନ କାର୍ତ୍ତିକ ବ୍ରତର ପରମ୍ପରା ଓ ଧାର୍ମିକ ଭାବନାକୁ ନଷ୍ଟ କରୁଥିବାବେଳେ ତୁରନ୍ତ ଏହାକୁ ବନ୍ଦ କରିବାକୁ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଭଲ ପାଉଥିବା ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର