କାର୍ତ୍ତିକରେ ଶାବର ଶ୍ରୀକ୍ଷେତ୍ର-ଶୀତୁଆ ସକାଳରେ ଭକ୍ତଙ୍କ ଗହଳିରେ ଭକ୍ତିମୟ ପରିବେଶ

କୋରାପୁଟ: ଧର୍ମର ମାସ କାର୍ତ୍ତିକ। ଧର୍ମ ଓ ପୁରାଣ ମତରେ ମାସ ମଧ୍ୟରେ ଶ୍ରେଷ୍ଠ ମାସ କାର୍ତ୍ତିକ। ଧର୍ମ ମାସ ହୋଇଥିବାରୁ ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାର ଗାଁ ଠୁ ସହର ସବୁ ଚଳଚଂଚଳ ଥିବା ବେଳେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ପରିବେଶ ହୋଇଛି ଭକ୍ତିମୟ। ଆଶ୍ବୀନ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ଯାଏଁ କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ହୋଇଥାଏ କାର୍ତ୍ତିକ ନୀତି ।
ଅନେକ ଶ୍ରଦ୍ଧାଳୁ ଓ ବହୁ ସଂଖ୍ୟକ ବ୍ରତଚାରୀଗଣଙ୍କ ହୋଇଥାଏ ଏଠାରେ ସମାଗମ । ଶ୍ରଦ୍ଧା ଓ ଭକ୍ତିରେ ସେମାନେ ବ୍ରତ ପାଳିଥାନ୍ତି । ସମାଗତ ଭକ୍ତ ଓ ହବିଶିଆଳିଙ୍କ ହୁଳହୁଳି ଧ୍ୱନୀରେ ପ୍ରକମ୍ପିତ ହୁଏ ଏହି କ୍ଷେତ୍ର ।  ପ୍ରାତଃ ସ୍ନାନ, ଅବାକଶ, ମଇଲମ, ସୂର୍ଯ୍ୟପୂଜା, ବାଳଭୋଗ, ମଙ୍ଗଳଆଳତୀ ଓ ବେଶ କରାଯାଇଥାଏ ଚତୁର୍ଧାମୁର୍ତୀଙ୍କର । ସେ ସମୟରେ ଶ୍ରଦ୍ଧାଳୁ ମାନେ ବି ମନ୍ଦିର ବେଢାରେ ତୁଳସୀ ପୂଜା,ରାଧା ଦାମୋଦର ପୂଜା ସହ ତୁଳସୀ ବୃକ୍ଷ ମୂଳେ କରିଥାନ୍ତି ବାଲୁକା ପୂଜା । ପରିବାରର ସୁଖ, ସମୃଦ୍ଧି ଆୟୁଶକ୍ତି ଓ ସର୍ବମଙ୍ଗଳ ପାଇଁ ମହିଳାଙ୍କ ସମାଗମ ଅତ୍ୟନ୍ତ ହୃଦୟସ୍ପର୍ଶୀ । ଅନ୍ୟପଟେ ମନ୍ଦିର ବେଢା ପରିକ୍ରମା ସହ ବିଶ୍ୱନିୟନ୍ତାଙ୍କ ବିବିଧ ବେଶ ଦର୍ଶନ ଓ ଶାବର ଶ୍ରୀକ୍ଷେତ୍ରର ପରିବେଶ ହୋଇଉଠେ ଜଗନ୍ନାଥ ମୟ। ପହିଲି ଶୀତ କୁ ଖାତିର ନ କରି ପବିତ୍ର କାର୍ତିକ ମାସରେ ନିଜକୁ କୃତାର୍ଥ ମନେ କରିବା ସହ ଶାବର ଶ୍ରୀକ୍ଷେତ୍ର କାର୍ତିକ ବ୍ରତଧାରୀଙ୍କ ହୁଳହୁଳି ଧ୍ୱନିରେ ହୋଇଉଠିଛି ମୁଖରିତ ।
ସମ୍ବନ୍ଧିତ ଖବର