ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତିକ ନୀତି

ପୁରୀ : ଆଜିଠାରୁ ଶ୍ରୀମନ୍ଦିରରେ କାର୍ତିକ ମାସ ବାଳଧୂପ ନୀତି ଆରମ୍ଭ ହୋଇଛି। ଆସନ୍ତା ୨୫ ତାରିଖରୁ କାର୍ତିକ ବ୍ରତ ଆରମ୍ଭ ହୋଇ ନଭେମ୍ବର ୨୩ରେ ସରିବ। ‌ସେହିଭଳି ଆଜିଠାରୁ ଆରମ୍ଭ ହୋଇଥିବା କାର୍ତିକ ବାଳଧୂପ ନୀତି ନଭେମ୍ବର ୨୩ରେ ଶେଷ ହେବ। ଅନ୍ୟପଟେ ଆଜିଠାରୁ ମହାପ୍ରଭୁ ଭକ୍ତଙ୍କୁ ରାଧା ଦାମୋଦର ବେଶରେ ଦର୍ଶନ ଦେଇଛନ୍ତି। ହବିଷ୍ୟାଳିମାନେ ମହାପ୍ରଭୁଙ୍କ ଏହି ବେଶ ଦେଖି ବ୍ରତ ଆରମ୍ଭ କରିଥାନ୍ତି। ଏ ନେଇ ଆଜି ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବହୁସଂଖ୍ୟାରେ ଭକ୍ତ ପାପାଙ୍କୁଶା ଏକାଦଶୀ ଭଳି ପବିତ୍ର ଦିନରେ ମହାପ୍ରଭୁଙ୍କ ଦର୍ଶନ କରି କୃପାଲାଭ କରିଥିଲେ। ସେପଟେ ନଭେମ୍ବର ୧୨ ସୋମବାରରେ ଅବକାଶ ପରେ ହରିହର ବେଶ, ନଭେମ୍ବର ୧୯ରେ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ ଓ ହରି ଉତ୍ଥାପନ ନୀତି, ନଭେମ୍ବର ୨୦ରେ ବାଙ୍କଚୂଡ଼ ବା ବାମନ ବେଶ ଓ ଗରୁଡ଼ ଉତ୍ଥାପନ ନୀତି, ନଭେମ୍ବର ୨୧ରେ ଆଡ଼ିକିଆ ବା ତ୍ରିବିକ୍ରମ ବେଶ, ନଭେମ୍ବର ୨୨ରେ ଡାଳିକିଆ ବା ଲକ୍ଷ୍ମୀ ନୃସିଂହ ବେଶ, ନଭେମ୍ବର ୨୩ରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ଅନୁଷ୍ଠିତ ହେବ।

ଆଜିଠାରୁ କାର୍ତିକ ନୀତି ଆରମ୍ଭ ହୋଇଥିବା ବେଳେ ପୂର୍ବ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୋର ୪ଟାରେ ଦ୍ବାରଫିଟା ନୀତି ସଂପନ୍ନ ହୋଇଥିଲା। ଭୋର ସାଢ଼େ ୪ଟାରେ ଭିତର ଶୋଧ, ଭୋର ୫ଟାରେ ମଙ୍ଗଳ ଆଳତି ନୀତି ସଂପନ୍ନ ହେବାର ଥିଲା। ସେହିପରି ମଇଲମ ଓ ତଡ଼ପ ଲାଗି ଭୋର ୫ଟା ୩୦, ଅବକାଶ ସକାଳ ୬ଟା ୧୫, ରାଧା‌ଦାମୋଦର ବେଶ ସକାଳ ୬ଟା ୩୦ରୁ ୭ଟା ୩୦, ରୋଷହୋମ ସକାଳ ୭ଟା, ସୂର୍ଯ୍ୟପୂଜା ସକାଳ ୭ଟା ୧୫, ଦ୍ବାରପାଳ ପୂଜା ସକାଳ ୭ଟା ୩୦, ଗୋପାଳବଲ୍ଲଭ ସକାଳ ୮ଟା, ସକାଳ ଧୂପ (କେବଳ କୋଠଭୋଗ) ସକାଳ ୮ଟା ୩୦ରୁ ୯ଟା ୩୦, ବାଳଧୂପ ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ଟା, ଭୋଗମଣ୍ଡପ ଉଠିବା ପୂର୍ବାହ୍ଣ ୧୦ଟା ୧୦, ମଇଲମ ଓ ବେଶ ପୂର୍ବାହ୍ଣ ୧୦ଟା ୪୫ରୁ ସାଢ଼େ ୧୧ଟା, ଭୋଗମଣ୍ଡପ ‌ଶେଷ ମଧ୍ୟାହ୍ନ ୧୨ଟା, ମଧ୍ୟାହ୍ନ ଧୂପ (କେବଳ କୋଠଭୋଗ) ମଧ୍ୟାହ୍ନ ସାଢ଼େ ୧୨ଟାରୁ ଅପରାହ୍ଣ ସାଢ଼େ ଗୋଟାଏ, ଦ୍ବିତୀୟ ଭୋଗ ମଣ୍ଡପ ଅପରାହ୍ଣ ଗୋଟାଏରୁ ୨ଟା, ଦକ୍ଷିଣୀଘର ଭୋଗ ଅପରାହ୍ଣ ୨ଟା, ମଇଲମ ଓ ବେଶ ଅପରାହ୍ଣ ସାଢ଼େ ୨ଟା, ଦିବା ପହୁଡ଼ ଅପରାହ୍ଣ ୩ଟା, ଦ୍ବାରଫିଟା ସଂଧ୍ୟା ୫ଟା, ସଂଧ୍ୟା ଆଳତି ସଂଧ୍ୟା ୬ଟା, ମଇଲମ, ବେଶ ସଂଧ୍ୟା ୬ଟା ୫ରୁ ୬ଟା ୫୦, ସଂଧ୍ୟାଧୂପ (କେବଳ କୋଠ ଭୋଗ) ରାତି ୭ଟା ୨୦ରୁ ରାତି ୯ଟା, ମଇଲମ ରାତି ସାଢ଼େ ୯ଟା, ଚନ୍ଦନ ଲାଗି ରାତି ୧୦ଟା, ବଡ଼ସିଂହାର ବେଶ ରାତି ୧୧ଟା, ବଡ଼ସିଂହାର ଭୋଗ ରାତି ସାଢ଼େ ୧୧ଟା, ରାତ୍ର ପହୁଡ଼ ରାତି ୧୨ଟାରେ ସଂପନ୍ନ ହେବାର ଥିଲା। ତେବେ ଆଜି ନୀତି ସାମାନ୍ୟ ବିଳମ୍ବ ହୋଇଛି। ଫଳରେ ଶ୍ରୀମନ୍ଦିରରେ ଅବଢ଼ା ବାହାରିବା ବି ବିଳମ୍ବ ହୋଇଛି। ଭକ୍ତମାନେ ଆଜି ବିଳମ୍ବରେ ଅବଢ଼ା ପାଇଥିଲେ।

ସମ୍ବନ୍ଧିତ ଖବର