ୟୁପିଏସସି ପରୀକ୍ଷାରେ ଓଡ଼ିଶା ଟପ୍ପର ହେଲେ ସୋନପୁର ପୁଅ କାର୍ତ୍ତିକ ପାଣିଗ୍ରାହୀ

ସୁଯୋଗ ମିଳିଲେ ସୋନପୁରର ସାମୂହିକ ବିକାଶ ପ୍ରତି ଧ୍ୟାନ ଦେବି : କାର୍ତ୍ତିକ

ସୋନପୁର: ୨୦୨୧ ସିଭିଲ ସର୍ଭିସ ପରୀକ୍ଷାର ଫଳ ଆଜି ପ୍ରକାଶିତ ହୋଇଛି । ସୋନପୁର ଗଡ଼ଭିତର ନିବାସୀ ଶିବଶଙ୍କର ପାଣିଗ୍ରାହୀ ଏବଂ ଗୀତା ପାଣିଗ୍ରାହୀଙ୍କ ପୁଅ କାର୍ତ୍ତିକ୍ ପାଣିଗ୍ରାହୀ ସର୍ବଭାରତୀୟ ସ୍ତରରେ ୬୩ ରାଙ୍କ ହାସଲ କରି ଓଡ଼ିଶା ଟପ୍ପର ହୋଇଥିବା ଜଣାପଡ଼ିଛି । କାର୍ତ୍ତିକଙ୍କ ବାପା ଶିବଶଙ୍କର ଦିଲ୍ଲୀ ଏୟାରପୋର୍ଟର ଡିଜିଏମ ଥିବାବେଳେ ମା’ ଗୀତା ଜଣେ ଗୃହିଣୀ । ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶାର ଟପ୍ପର ହେବାରେ କାର୍ତ୍ତିକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ପ୍ରଥମ ଛାତ୍ର । କାର୍ତ୍ତିକ ଜଣେ ମେଧାବୀ ଛାତ୍ର ରହିବା ସହ ଜଣେ ଆଇଏଏସ ହେବାର ଲକ୍ଷ୍ୟ ପିଲାଟି ଦିନରୁ ଥିଲା, ଯାହା ଆଜି ପୂରଣ ହୋଇଛି ।

ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର କଲାପରେ ଏବେ ସେହି ବିଶ୍ବବିଦ୍ୟାଳୟରେ ଏମଫିଲ କରୁଛନ୍ତି । ସିଭିଲ ସର୍ଭିସ ପରୀକ୍ଷାରେ ମଧ୍ୟ କାର୍ତ୍ତିକଙ୍କ ଇତିହାସକୁ ଅପ୍ସନାଲ୍ ରଖିଥିଲେ । ସୁଯୋଗ ମିଳିଲେ ସୁବର୍ଣ୍ଣପୁର ଜିଲ୍ଲାର ସାମୂହିକ ବିକାଶ ପ୍ରତି ଧ୍ୟାନ ଦେବି ବୋଲି କାର୍ତ୍ତିକ୍ କହିଛନ୍ତି । କାର୍ତ୍ତିକଙ୍କ ସଫଳତା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ‘୨୦୨୧ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା’ର ଫଳାଫଳ ଆଜି ପ୍ରକାଶ ପାଇଛି | ସମୁଦାୟ ୬୮୫ଜଣ ପ୍ରାର୍ଥୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ନାମ ଲୋକସେବା ଆୟୋଗ  ‘ଇଣ୍ଡିଆନ୍‌ ଆଡ୍‌ମିନିଷ୍ଟ୍ରଟିଭ୍‌ ସର୍ଭିସ୍‌’, ‘ଇଣ୍ଡିଆନ୍ ଫରେନ୍‌ ସର୍ଭିସ୍‌’ ଏବଂ ‘ଇଣ୍ଡିଆନ୍‌ ପୋଲିସ୍‌ ସର୍ଭିସ୍‌’ ଏବଂ ‘ସେଣ୍ଟ୍ରାଲ୍‌ ସର୍ଭିସେସ୍‌ ‘ଗ୍ରୁପ୍‌- ଏ’ ଓ ‘ଗ୍ରୁପ୍‌ ବି’ରେ ନିଯୁକ୍ତି ଲାଗି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛି।

ତେବେ ଏହି ତାଲିକାରେ ୬୩ ରାଙ୍କ ପାଇ କାର୍ତ୍ତିକ ପାଣିଗ୍ରାହୀ ଓଡିଶା ଟପ୍ପର ହୋଇଥିବାବେଳେ ୮୬ତମ ରାଙ୍କରେ ଅଛନ୍ତି ସୁନ୍ଦରଗଡ଼ର ଗୌରବ ଅଗ୍ରୱାଲ।  ଏଥିସହ ଓଡ଼ିଶାର ପୂଜା ସାହୁ(୧୯୯), ବିଶ୍ୱ ବିଶୃତ ତ୍ରିପାଠୀ(୨୩୨), ସମୀର କୁମାର ଜେନା(୨୭୩), ସୌମ୍ୟରଞ୍ଜନ ପ୍ରଧାନ (୩୦୬), ହର୍ଷିତ ମେହେର (୩୭୬), ମାନସରଞ୍ଜନ ସାହୁ (୫୧୩) ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି | ସୂଚନା ଥାଉ କି ଏହି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଶ୍ରୁତି ଶର୍ମା ତାଲିକାର ପ୍ରଥମରେ ରହି ଟପ୍ପର ହୋଇଛନ୍ତି। ଏହି ତାଲିକାର ୨ୟ ସ୍ଥାନରେ ଅଙ୍କିତା ଅଗ୍ରୱାଲ, ୩ୟ ସ୍ଥାନରେ ଗାମିନୀ ସିଙ୍ଗ୍‌ଲା ଓ ୪ର୍ଥ ସ୍ଥାନରେ ଐଶ୍ବର୍ଯ୍ୟା ବର୍ମା ରହିଛନ୍ତି।

ସମ୍ବନ୍ଧିତ ଖବର