ଭୁବନେଶ୍ବର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ହେଲେ ପ୍ରଫେସର କରୁଣାକର ନନ୍ଦ

ଭୁବନେଶ୍ବର: ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ୱରର ନିଦ୍ଦେର୍ଶକ ଭାବେ ପ୍ରାୟୋଗିକ ପଦାର୍ଥ ବିଜ୍ଞାନର ସର୍ବଶ୍ରେଷ୍ଠ ବୈଜ୍ଞାନିକ ପ୍ରଫେସର କରୁଣାକର ନନ୍ଦ ଗତ ୧୬ ତାରିଖରୁ କାର୍ଯ୍ୟଭାର ଗ୍ରହଣ କରିଛିନ୍ତି। ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିଦ୍ଦେର୍ଶକ ହେବା ପୂର୍ବରୁ ସେ ଭାରତର ପ୍ରମୁଖ ଗବେଷଣା ପ୍ରତିଷ୍ଠାନ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ, ବାଙ୍ଗାଲୋରରେ ୨୦୦୫ ମସିହାଠାରୁ ଏବେ ପର୍ଯ୍ୟନ୍ତ ୧୬ ବର୍ଷ ହେଲା ବିଭିନ୍ନ ପଦ-ପଦବୀରେ ରହି ଆସିଛନ୍ତି।

ପ୍ରଫେସର ନନ୍ଦଙ୍କର ଗତ ୧୦ ବର୍ଷ ମଧ୍ୟରେ ୧୫୦ରୁ ଅଧିକ ଗବେଷଣା ଲେଖା ପ୍ରକଶିତ ହୋଇଛି ଓ ଷ୍ଟାଣ୍ଡାର୍ଡ ୟୁନିଭର୍ସିଟି ରିସର୍ଚର ଦ୍ୱାରା ୨୦୨୦ରେ ପ୍ରକାଶିତ ଲେଖା ବିଶ୍ୱର ପ୍ରାୟୋଗିକ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ୨%  ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇଛି। ନିଜର ଉଚ୍ଚ ଗବେଷଣା ଯୋଗୁ ସେ ଅନେକ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ଯେପରିକି ଜାପାନ ଦ୍ୱାରା ଜେଏସପିଏସ ଛାତ୍ରବୃତ୍ତି, ଭାରତ ଦ୍ୱାରା ଏମଆରଏସଆଇ ବକ୍ତୃତା ପଦକ, ଓଡିଶା ବିଜ୍ଞାନ ଏକାଡେମୀରୁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ଆଦି ପାଇଛନ୍ତି।

ସେ ଏବଂ ତାଙ୍କ ସହଯୋଗୀମାନଙ୍କର  ଦେଶର ଶକ୍ତି କ୍ଷେତ୍ରରେ,  ପରିବେଶରେ ଗ୍ୟାସ ସେନସିଙ୍ଗ ଉପକରଣ, ଅଲଟ୍ରାବାୟୋଲେଟ ଏବଂ ଆରଆଇ ଉପକରଣ କ୍ଷେତ୍ରରେ  ଅତ୍ୟଧିକ ଯୋଗଦାନ ରହିଛି।

ପ୍ରଫେସର ନନ୍ଦଙ୍କର ଜନ୍ମସ୍ଥାନ ବୌଦ୍ଧ ଜିଲ୍ଲାର ଏକ ସୁଦୂର ଗ୍ରାମରେ ଏବଂ ତାଙ୍କ ପିତାଙ୍କ ନାମ ଶ୍ରୀ ଦାମୋଦର ନନ୍ଦ। ତାଙ୍କର ପ୍ରାଥମିକ ଶିକ୍ଷା ଖତାଖତିଆ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା। ସେ ପାଲସୋଗୋରା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କଲା ପରେ ସୋନପୁର ମହାବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହେଲା ପରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନରୁ ଡକଟେରେଟ ଡିଗ୍ରୀ ପୂରା କରିଛନ୍ତି। ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ, ବାଙ୍ଗାଲୋରରେ ଯୋଗଦାନ ପୂର୍ବରୁ ସେ ଗେରହାର୍ଡ ମେକର୍ଟର ବିଶ୍ୱବିଦ୍ୟାଳୟ, ଜର୍ମନୀରେ ଅତିଥି ବୈଜ୍ଞାନିକ, ଡବଲିନ ସିଟି ବିଶ୍ୱବିଦ୍ୟାଳୟରେ ବରିଷ୍ଠ ପୋଷ୍ଟ ଡାକ୍ଟରାଲ ଛାତ୍ର ଭାବେ କାର୍ଯ୍ୟରତ ଥିଲେ।

 

 

ସମ୍ବନ୍ଧିତ ଖବର