ଭୁବନେଶ୍ବର: ଓଡ଼ିଶାର କାଶିକା ମିଶ୍ର ଦେଶର ମହିଳା ଆମେଚର୍‌ ଗଲ୍ଫରଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ରାଜ୍ୟର ପ୍ରଥମ ଗଲ୍ଫର ହେବାର ଗୌରବ ଅର୍ଜନ କରିଛନ୍ତି। ବିଗତ ଏକ ବର୍ଷର ନିରନ୍ତର ଶ୍ରେଷ୍ଠ ପ୍ରଦର୍ଶନ ଏବଂ ୧୩ ରୁ ୧୬ ମେ ପର୍ଯ୍ୟନ୍ତ ରୟାଲ୍ କଲିକତା ଗଲ୍ଫ କ୍ଲବ୍‌ରେ ଅନୁଷ୍ଠିତ ଆଇଜିୟୁ ପଶ୍ଚିମବଙ୍ଗ ଲେଡିଜ୍ ଆଣ୍ଡ୍ ଜୁନିଅର ଗାର୍ଲ୍ସ ଗଲ୍ସ ପ୍ରତିଯୋଗିତାରେ ସଦ୍ୟତମ ସ୍ଥାନ ସହିତ, କାଶିକା ୧୬ ପଏଣ୍ଟ୍‌ର ଅଗ୍ରଣୀ ସହିତ ଚତୁର୍ଥ ସ୍ଥାନରୁ ଉପରକୁ ଉଠି ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ଭାରତର ଆମେଚର୍‌ ଗଲ୍ଫ ମାନ୍ୟତାରେ ଓଡ଼ିଶାର ଆଉ ଜଣେ ଖେଳାଳି ମାନ୍‌ଭୀ ସିଂଘାନିଆ ୩୬ତମ ସ୍ଥାନରେ ଅଛନ୍ତି। ତେବେ ଏହି ତାଲିକାରେ କୌଣସି ଓଡ଼ିଶା ପୁରୁଷ ଗଲ୍ଫ ଖେଳାଳିଙ୍କ ନାମ ନାହିଁ। 

Advertisment

କଶିକା ଗତ ମାର୍ଚ୍ଚ ମାସରେ ଭିଏତ୍‌ନାମ୍‌ର ଡାନାଙ୍ଗରେ ଅନୁଷ୍ଠିତ ମହିଳା ଆମେଚର ଏସିଆ-ପାସିଫିକ୍ ପ୍ରତିଯୋଗିତାରେ ଭାରତୀୟ ଦଳର ଅଂଶବି‌ଶେଷ ଥିଲେ। ଚଳିତ ମାସ ଶେଷ ସପ୍ତାହରେ ହଂକଂରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ପାସିଫିକ୍ ଗଲ୍ଫ କନ୍‌ଫେଡେରେସନ ପ୍ରତିଯୋଗିତାରେ ସେ ଦେଶ ପକ୍ଷରୁ ପ୍ରତିନିଧିତ୍ବ କରିବେ। ବ୍ରହ୍ମପୁରର ମୂଳ ବାସିନ୍ଦା କାଶିକା ବର୍ତ୍ତମାନ ଗୁରୁଗ୍ରାମର ଶ୍ରୀରାମ ସ୍କୁଲ୍‌ରେ ତାଙ୍କର ଦ୍ୱାଦଶ ଶ୍ରେଣୀ ସମାପ୍ତ କରିଛନ୍ତି। ଖୁବ୍ ଶୀଘ୍ର ତାଙ୍କର ଗଲ୍ଫିଂ ଏବଂ ଉଚ୍ଚଶିକ୍ଷା ପାଇଁ ଆମେରିକାର ଏକ ବିଶ୍ୱବିଦ୍ୟାଳୟରେ ଯୋଗଦେବେ।

ମାତ୍ର ପାଞ୍ଚ ବର୍ଷ ପୂର୍ବେ ଗଲ୍ଫ ଖେଳିବା ଆରମ୍ଭ କରିବା ଏବଂ ୨୦୨୩ ମେ’ରେ ଡବ୍ଲୁଏଜିଆର୍‌ (ୱାର୍ଲ୍ଡ ଆମେଚର ଗଲ୍ଫ ରାଙ୍କିଂ) ହାସଲ କରିବା ପରେ, ଗତ ବର୍ଷ ଧରି ତାଙ୍କର ପ୍ରଦର୍ଶନ ଖୁବ ଭଲ ରହିଥିବାରୁ ସେ ଆମେଚର ରାଙ୍କିଂରେ ଉପରକୁ ଉଠିବାରେ ସକ୍ଷମ ହୋଇଛନ୍ତି। ଗୁରୁବାର କାଶିକା ରାଷ୍ଟ୍ରପତି ଭବନରେ ମାନ୍ୟବର ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର ସୌଭାଗ୍ୟ ପାଇଥିଲେ। ଏହି ଭେଟ ତାଙ୍କୁ ଆହୁରି କଠିନ ପରିଶ୍ରମ ଏବଂ ଅନ୍ତର୍ଜାତୀୟସ୍ତରରେ ଅଧିକ ଗୌରବ ହାସଲ କରିବାକୁ ପ୍ରେରଣା ଦେଇଛି। କାଶିକା ସଫଳତା ପାଇଁ ପ୍ରଶିକ୍ଷକ ଅନିତ୍ୟ ଚାନ୍ଦ, ପିତାମାତା କିରଣ ମିଶ୍ର ଏବଂ ବ୍ରିଗେଡିୟର ତାପସ ମିଶ୍ରଙ୍କ ମାର୍ଗଦର୍ଶନ, ଭୁବନେଶ୍ୱର ଓ ଦିଲ୍ଲୀ ଗଲ୍ଫ କ୍ଲବ୍‌, ଓଡ଼ିଶା ସରକାର, ଅନ୍ୟାନ୍ୟ ସଂସ୍ଥାମାନଙ୍କର ସମର୍ଥନର ଏବଂ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦକୁ ଶ୍ରେୟ ଦେଇଛନ୍ତି। ସେ ଏମ୍‌ଜିଏମ୍‌ ମିନେରାଲ୍ସ ଲିମିଟେଡ୍‌କୁ ସେମାନଙ୍କର ଅକ୍ଳାନ୍ତ ସମର୍ଥନ ପାଇଁ ବିଶେଷ ଭାବରେ କୃତଜ୍ଞତା ଜଣାଇଛନ୍ତି।