ବ୍ରହ୍ମପୁର : ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଗଜପତି ଜିଲ୍ଲା କାଶୀନଗର ଏନ୍‌ଏସିର କନିଷ୍ଠ ଯନ୍ତ୍ରୀ(ଜେଇ) ନରେନ୍ଦ୍ର କୁମାର ସାହୁ। ଜଣେ ଠିକାଦାରଙ୍କ ବିଲ୍‌ ପାସ୍‌ କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି। ଭିଜିଲାନ୍ସ ବିଭାଗ କେସ୍ ନମ୍ବର ୨୯/୨୨ରେ ତାଙ୍କୁ ଗିରଫ କରିଥିବା ସୂଚନା ଦିଆଯାଇଛି। ଏହା ସହିତ ତାଙ୍କ ଘର ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢ଼ଉ ଜାରି ରଖିଛି।

Advertisment

କାଶୀନଗର ଏନ୍‌ଏସିରେ ଜଣେ ଠିକାଦାର ରାସ୍ତା ଓ ଡ୍ରେନ୍‌ କାମ କରିଥିଲେ। କାମ ପରେ ବକେୟା ବିଲ୍‌ ପାସ୍‌ କରିବା ପାଇଁ ସେ ଆବେଦନ କରିଥିଲେ। କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ବିଲ୍‌ ପାସ୍‌ କରିବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଠିକାଦାର ଜଣଙ୍କ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଆଜି କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ତାଙ୍କର ଅଫିସ୍‌ ଚାମ୍ବରରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ଭିଜିଲାନ୍ସ ଟିମ୍‌ ଲାଞ୍ଚ ବାବଦ ୩୦ହଜାର ଟଙ୍କା ଜବତ କରି ଯନ୍ତ୍ରୀଙ୍କୁ ଗିରଫ କରିଥିଲା। ଏହା ସହିତ ଯନ୍ତ୍ରୀଙ୍କ କାଶୀନଗର ସ୍ଥିତ ଭଡ଼ାଘର, ଏନ୍‌ଏସି ଅଫିସ୍‌ ଓ କେନ୍ଦୁଝର ଜିଲ୍ଲା ଆନନ୍ଦପୁରସ୍ଥିତ ଘରେ ଭିଜିଲାନ୍ସ ବିଭାଗ ଚଢ଼ଉ ଜାରି ରଖିଛି।