କାଶୀପୁର କଲେରା ପ୍ରକୋପ: ମୃତ୍ୟୁସଂଖ୍ୟା ୧୦, ଆକ୍ରାନ୍ତ ସଂଖ୍ୟା ୩୦୦ ମୁହାଁ

ସ୍ବାସ୍ଥ୍ୟ ବିଭାଗର କସରତ ସତ୍ତ୍ବେ ନିୟନ୍ତ୍ରଣକୁ ଆସିପାରୁନି, ଫୋକସ୍‌ରେ ୨୯୭ ଗାଁ, ସୁସ୍ଥ ହେଲେଣି ୯୮, ଚିନ୍ତା ବଢ଼ାଉଛି ଯାତାୟାତ ସମସ୍ୟା

ରାୟଗଡ଼ା/କାଶପୁର: କାଶୀପୁରରେ କମୁନି କଲେରା ପ୍ରକୋପ। ବଢ଼ିଚାଲିଛି ମୃତ୍ୟୁ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା। ଦୈନିକ ଆକ୍ରାନ୍ତ ତାଲିକାରେ ଯୋଡ଼ି ହୋଇଚାଲିଛି ଗୋଟିଏ ପରେ ଗୋଟିଏ ଗାଁର ନାମ। ଆଜି ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଶଙ୍କରଡ଼ା ଆଦିବାସୀ ବସ୍ତିର ୫୫ବର୍ଷୀୟ ଜନୁ ମାଝୀ ବୋଲି ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଜନୁ ମାଝୀଙ୍କୁ ବାରମ୍ବାର ଝାଡ଼ାବାନ୍ତି ହେବାପରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ କହିଛନ୍ତି। କିଛିବର୍ଷ ତଳେ ପତ୍ନୀଙ୍କୁ ହରାଇବା ପରେ ଜାନୁ ପୁଅ ଏବଂ ବୋହୂଙ୍କ ନିକଟରେ ରହୁଥିଲେ। ଆଜିର ମୃତ୍ୟୁକୁ ମିଶାଇ କାଶୀପୁର ବ୍ଲକ୍‌ରେ ମୋଟ ୧୦ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଅନ୍ୟପକ୍ଷରେ; ଆଜି ପହୁଣ୍ଡି, ବିଲାମାଳ, କମ୍ପର, ଚମ୍ପାଯୋଡ଼ି, ଇରିପିପୁଟ, ବାହାରକୁଟମି, କାଳିଆଯୋଡ଼ି, ବଡ଼ପୁକେଲ, ଦୁରଖାଲ, ସୋରିଷପଦର, ପଞ୍ଚାଳି, କପାଡାଙ୍ଗର ଗାଁରୁ ୧୪ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବାପରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ମୁହାଁ ହୋଇଛି। ମହାମାରୀ ରୋକିବାକୁ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କ କସରତ ସତ୍ତ୍ବେ ସ୍ଥିତି ନିୟନ୍ତ୍ରଣକୁ ଆସିପାରୁନଥିବାରୁ ମୁକାବିଲା ନେଇ ଚିନ୍ତା ବଢ଼ିଛି।

କାଶୀପୁରରେ କଲେରା ସ୍ଥିତି ଉଦ୍‌ବେଗଜନକ ପରେ ମହାମାରୀ ମୁକାବିଲା ପାଇଁ ବ୍ଲକ୍‌ରେ ନିୟୋଜିତ ହୋଇଛନ୍ତି ସ୍ବାସ୍ଥ୍ୟ ବିଭାଗର ୩୦୦ରୁ ଊର୍ଦ୍ଧ୍ବ କର୍ମଚାରୀ। ୨୯୭ ଗାଁକୁ ସ୍ବାସ୍ଥ୍ୟ ବିଭାଗ ନୀରିକ୍ଷଣରେ ରଖିଛି। ପୂର୍ବରୁ ୮ଟି ମୋବାଇଲ୍ ହେଲ୍ଧ ୟୁନିଟ୍ ମୁତୟନ ହୋଇଥିବାବେଳେ ଆଜି ଆଉ ଗୋଟିଏ ୟୁନିଟ୍‌କୁ ମୁତୟନ କରାଯାଇଛି। ୯ଟି ମୋବାଇଲ୍ ୟୁନିଟ୍ ଟିମ୍ ଗାଁକୁ ଗାଁ ବୁଲି ଘରେ ପଡ଼ିରହିଥିବା ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଉଛି। କିଛି କିଛି ଗାଁକୁ ରାସ୍ତା ନଥିବାରୁ ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇବାରେ ବିଳମ୍ବ ହେଉଛି। ସ୍ବାସ୍ଥ୍ୟ କର୍ମୀ, ଡାକ୍ତରଙ୍କୁ ନଦୀ, ନାଳ ଡେଇଁବାକୁ ପଡୁଥିବା ବେଳେ ବର୍ଷା ଯୋଗୁ ପାଣି ଅଧିକା ରହୁଥିବାରୁ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି। ଯାହା ଆକ୍ରାନ୍ତ ସଂଖ୍ୟା ବଢ଼ିବାର ଅନ୍ୟତମ କାରଣ ବୋଲି ଜଣାପଡ଼ିଛି। ଆଜି ସୁଦ୍ଧା ଡାକ୍ତରଖାନାକୁ ଚିକିତ୍ସା ପାଇଁ ୧୫୦ଜଣ ଆକ୍ରାନ୍ତ ଆସିଥିବା ବେଳେ ୯୮ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ପଦକ୍ଷେପ ସତ୍ତ୍ବେ ବହୁ ଗାଁର ପାଣି ‌ଏବେ ବି ବ୍ୟବହାର ଯୋଗ୍ୟ ହୋଇପାରୁନି। ନଳକୂପ, ଜଳ ଉତ୍ସ ବିଶୋଧନ ପରେ ମଧ୍ୟ ପାନୀୟ ଜଳ ସଂକ୍ରମଣମୁକ୍ତ ହୋଇପାରୁନି। ନିରୁପାୟ ହୋଇ ଗ୍ରାମବାସୀ ଉକ୍ତ ପାଣିକୁ ପିଉଥିବାରୁ ସ୍ଥିତିରେ ସୁଧାର ଆସିପାରୁନି।

ସମ୍ବନ୍ଧିତ ଖବର