କାଶୀପୁର ଝାଡ଼ାବାନ୍ତି: ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା, ପହଞ୍ଚିଲେ ଆରଏମ୍ଆରସି ଓ ମେଡ଼ିକାଲ୍ କଲେଜ ବିଶେଷଜ୍ଞ ଦଳ

ଆସିଲା ନମୁନା ପରୀକ୍ଷଣ ରିପୋର୍ଟ, ଦୂଷିତ ଜଳ ମୁଖ୍ୟ କାରଣ

ରାୟଗଡ଼ା/କାଶୀପୁର,୧୭/୭(ଇମିସ): କାଶୀପୁରରେ କମୁନି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି କୋଡ଼ିପାର୍ ପଞ୍ଚାୟତର ବିଭିନ୍ନ ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୪ ଜଣଙ୍କୁ ଚିକିତ୍ସା ପାଇଁ ଟିକିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି। ଟିକିରି ଓ ଉଷାପଡ଼ା ମେଡ଼ିକାଲରେ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରଖିଛି ସ୍ବାସ୍ଥ୍ୟ ବିଭାଗ।

ଗାଁ ଗାଁରେ ଆକ୍ରାନ୍ତ ପଡି ରହିଥିବାରୁ ଆଜି କୋରାପୁଟ ମେଡ଼ିକାଲ୍ କଲେଜର ବିଶେଷଜ୍ଞ ଦଳ ଟିକିରିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେପଟେ ପରୀକ୍ଷଣ ପାଇଁ ଯାଇଥିବା ଜଳ ନମୁନାର ରିପୋର୍ଟରେ ଦୂଷିତ ଜଳ ଯୋଗୁ ମହାମାରୀ ବ୍ୟାପିଥିବା ସ୍ପଷ୍ଟ ପଡିଛି। ମଳ ନମୁନାର ରିପୋର୍ଟ ଆସିବା ପରେ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବ ସ୍ବାସ୍ଥ୍ୟ ବିଭାଗ। ସପ୍ତାହେ ଧରି କାଶୀପୁର, ଟିକିରି, ଶଙ୍କରଡ଼ା, ଦୁଡୁକାବାହଲ, କୋଡ଼ିପାର୍ ପଞ୍ଚାୟତରେ ଲାଗି ରହିଥିବା ମହାମାରୀ ଯୋଗୁ ୭ ଜଣଙ୍କ ମୃତ୍ୟୁ ହେଲାଣି। ଶନିବାର ସ୍ବାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଟିମ୍ ଟିକିରିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଆଜି ଡା. ବି. ବି. ପାଲଙ୍କ ନେତୃତ୍ବରେ ଆରଏମଆରସିର ବିଶେଷଜ୍ଞ ଦଳ ସ୍ଥିତି ଅନୁଧ୍ୟାନ ପାଇଁ ଆସିଛନ୍ତି।

ରାୟଗଡ଼ାରେ ଥିବା ବିଶେଷଜ୍ଞ ଦଳ ସୋମବାର ସକାଳେ ଟିକିରି ସମେତ ପ୍ରଭାବତ ଅଞ୍ଚଳ ଗସ୍ତ କରି ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରିବା ସହ ପରୀକ୍ଷଣ ପାଇଁ ବିଭିନ୍ନ ନମୁନା ସଂଗ୍ରହ କରିବେ। ସେହିପରି କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ୍ କଲେଜର ଭେଷଜ ବିଭାଗ ଏବଂ ସୋସିଆଲ୍ ପ୍ରିଭେନଟିଭ୍ ମେଡ଼ିସିନ୍ ବିଭାଗର ବିଶେଷଜ୍ଞ ଟିମ୍ ଆଜି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ଦୂଷିତ ଜଳ ଯୋଗୁ ହିଁ ଝାଡ଼ାବାନ୍ତି ବ୍ୟାପୁଥିବା ପରୀକ୍ଷଣ  ରିପୋର୍ଟ ଆସିବା ପରେ ସମସ୍ତ ଜଳ ଉତ୍ସକୁ ବିଶୋଧନ କରିବାକୁ ଗୁରୁତ୍ବ ଦେଇଛି ଜିଲ୍ଲା ପ୍ରଶାସନ। ପରୀକ୍ଷଣ ପାଇଁ ଯାଇଥିବା ଦୁଡୁକାବାହଲ କୂଅର ପାଣି ବ୍ୟବହାର ଯୋଗ୍ୟନଥିବା ଜଣା ପଡିଛି। ପାଣିରେ ଭୂତାଣୁ ଜମି ରହିଥିବାରୁ କୂଅ ପାଣି ବ୍ୟବହାରକୁ ନିଷିଦ୍ଧ କରାଯାଇଛି। ସ୍ବାସ୍ଥ୍ୟ ବିଭାଗର ମେଡ଼ିକାଲ୍ ଟିମ୍ ଗାଁକୁ ଗାଁ ବୁଲି ଗରମ ପାଣି, ସୁଷମ ଖାଦ୍ୟ ଖାଇବା ଉପରେ ଗୁରୁତ୍ବାରୋପ କରୁଛନ୍ତି। ସାମାନ୍ୟ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ଓଆରଏସ୍ ସହ ହାଲୋଜିନ୍ ବଟିକା ପ୍ରଦାନ କରାଯାଇଛି। ରାୟଗଡ଼ା ଉପଜିଲ୍ଲାପାଳ ଭୀମସେନ ଶବର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଲାଲମୋହନ ରାଉତରାୟଙ୍କ ତତ୍ତ୍ବାବଧାନରେ ମେଡ଼ିକାଲ୍ ଟିମ୍ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି। ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ସଭାପତି ସରସ୍ବତୀ ମାଝି ଟିକିରି, ଉଷାପଡ଼ା ମେଡ଼ିକାଲ୍ ସହ ଟିକିରି ଝୋଡ଼ିଆ ସାହି, ଦୁଡୁକାବାହଲ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ମୁଦୁଲି ଜିଲ୍ଲାପାଳ ସ୍ବଧା ଦେବ ସିଂ, ଉପଜିଲ୍ଲାପାଳ ଓ ସିଡିଏମଓଙ୍କ ସହ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, କାଶୀପୁରରେ ଲାଗି ରହିଥିବା ଝାଡ଼ାବାନ୍ତିରେ ଆଜି ସୁଦ୍ଧା ୭ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୯୦ରେ ପହଞ୍ଚିଛି। କୋରାପୁଟ ମେଡ଼ିକାଲ୍ କଲେଜକୁ ସ୍ଥାନାନ୍ତର ହୋଇଥିବା ୨ ଆକ୍ରାନ୍ତଙ୍କ ସ୍ଥିତି ଗୁରୁତର ରହିଥିବା ଜଣା ପଡିଛି।

ସମ୍ବନ୍ଧିତ ଖବର