ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଶିଳ୍ପ ସମୃଦ୍ଧ କାଶୀପୁର ବ୍ଲକ ଅନାହାର ଓ ଝାଡ଼ାବାନ୍ତି ପାଇଁ ବାରମ୍ବାର ଅପବାଦ ମୁଣ୍ଡାଇଛି। କିନ୍ତୁ ପ୍ରକୃତି ଏହି ଆଦିବାସୀ ଅଧ୍ୟୁଷିତ ବ୍ଲକକୁ ସୌନ୍ଦର୍ଯ୍ୟରେ ଭରି ଦେଇଛି। ରାଜରାଜୁଡ଼ା ଅମଳରୁ ଏଠାକାର ପରିବେଶ ଆଗନ୍ତୁକଙ୍କୁ ଆକର୍ଷିତ କରୁଥିଲା। କାରଣ ଏଠକାର ଘଞ୍ଚ ଜଙ୍ଗଲକୁ ସୁଗନ୍ଧିତ କରୁଥିଲା ବୀସ୍ତିର୍ଣ୍ଣ ଚମ୍ପା ବଣ। ତେଣୁ ଲକ୍ଷେ ଚମ୍ପା ଗଛର ମୂଲକ ବୋଲି ପୂର୍ବରୁ ନାମକରଣ କରାଯାଇଥିଲା। ଚମ୍ପା ଫୁଲର ମହକ ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶର ବେପାରୀଙ୍କୁ କାଶୀପୁର ଟାଣି ଆଣୁଥିଲା। ଅତର ପାଇଁ ବାହାର ବ୍ୟବସାୟୀ ଚମ୍ପାଫୁଲ କିଣିବାକୁ ବାରମ୍ବାର ଆସୁଥିଲେ। ସେହିପରି ମହାଦେବଙ୍କୁ ଚମ୍ପାଫୁଲ ଚଢ଼ାଇବା ନିମନ୍ତେ କାଶୀପୁର ଉପରେ ନିର୍ଭର କରୁଥି‌ଲେ। ବର୍ଷ ତମାମ ପ୍ରଚୁର ଚମ୍ପାଫୁଲ ମିଳୁଥିବାରୁ କାଶୀପୁରର ସୁଗନ୍ଧ ବହୁ ଦୂର ପର୍ଯ୍ୟନ୍ତ ବ୍ୟାପିଥିଲା। ତେବେ ପରିବର୍ତ୍ତିତ ପରିସ୍ଥିତିରେ ଅଧିକାଂଶ ଗଛ ଉଭାନ ହୋଇଯାଇଛି। ବର୍ତ୍ତମାନ କାଁଭାଁ ସ୍ଥାନରେ ପୁରୁଣା ଗଛ ଦଣ୍ଡାୟମାନ। ଆଉ ସେହି ପୁରୁଣା ମହକ ନାହିଁ।

Advertisment

କାଶୀପୁର ମୁଖ୍ୟରାସ୍ତା ଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂର ନୀଳକଣ୍ଠେଶ୍ୱର ଶିବ ମନ୍ଦିର ନିକଟରେ ରହିଛି ବିରାଟ ଚମ୍ପା ତୋଟା। ଅଧିକାଂଶ ଗଛ ବହୁ ପୁରୁଣା, ଉପଯୁକ୍ତ ଯତ୍ନ ଅଭାବରୁ ସେଥିରୁ ଅନେକ ନଷ୍ଟ ହେବା ଅବସ୍ଥାରେ ରହିଛି। ଗ୍ରାମବାସୀଙ୍କ ଉଦ୍ୟମରେ ତୋଟାରେ ଅଳ୍ପ କିଛି ଗଛ ସୁରକ୍ଷିତ ରହିଛି। ସ୍ବାଧୀନତା ପୂର୍ବରୁ କାଶୀପୁର ବ୍ଲକ କଳାହାଣ୍ଡି ରାଜାଙ୍କ ଅଧୀନରେ ରହିଥିଲା। ସେହି ସମୟରେ କାଶୀପୁର ଅଞ୍ଚଳ ଚମ୍ପା ଓ ରାମପୁର ଚନ୍ଦନ ବଣ ପାଇଁ ପ୍ରସିଦ୍ଧ ଥିଲା। ରାସ୍ତାଘାଟ ଉନ୍ନତୀକରଣ ଏବଂ ଶିଳ୍ପ ପାଇଁ ପ୍ରକ୍ରିୟା ଆରମ୍ଭ ହେବାରୁ ତିନି ଦଶନ୍ଧି ମଧ୍ୟରେ ବହୁ ଚମ୍ପାବଣ ବିଲୁପ୍ତ ପ୍ରାୟ ଅବସ୍ଥାକୁ ଚାଲିଆସିଛି। କାଶୀପୁର ରେଞ୍ଜ ପକ୍ଷରୁ କିଛି ସ୍ଥାନରେ ଚମ୍ପା ଚାରାରୋପଣ କରି ପୂର୍ବ ଗୌରବ ଫେରାଇ ଆଣିବାକୁ ପ୍ରୟାସ ହୋଇଥିଲା। କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସୁଫଳ ମିଳିଲା ନାହିଁ। ନୀଳକଣ୍ଠେଶ୍ବର ମନ୍ଦିର ନିକ‌ଟରେ ଏବେ ୫୦ରୁ ୬୦ ପୁରୁଣା ଚମ୍ପା ଗଛ ରହିଛି। ବର୍ଷ ତମାମ ସେହି ଗଛରୁ ଫୁଲ ମିଳୁଥିବାରୁ ସ୍ଥାନୀୟ ଲୋକ ଏହାକୁ ପୂଜାରେ ବ୍ୟବହାର କରୁଛନ୍ତି। ପୂର୍ବରୁ ବହୁ ପରିବାର ଚମ୍ପା ଫୁଲ ବିକ୍ରି କରି ଗୁଜରାଣ ମେଣ୍ଟାଉଥିଲେ। କାଶୀପୁର ରାସ୍ତାର ଉଭୟ ପାର୍ଶ୍ବରେ ପ୍ରଚୁର ଚମ୍ପା ଗଛ ରହିଥିଲା ବୋଲି ଶିକ୍ଷାବିତ୍‌ ରାମାନନ୍ଦ ଚୌଧୁରୀ ପ୍ରକାଶ କରିଛନ୍ତି। ଉନ୍ନତୀକରଣ ନାଁରେ ଲକ୍ଷେ ଚମ୍ପାର ଅଞ୍ଚଳ ବୋଲି ଗୌରବ ମଣ୍ଡିତ କରିଥିବା କାଶୀପୁର ସୁଗନ୍ଧ ହରାଇ ସାରିଲାଣି।