ବିଧାନସଭାରେ କାଶୀପୁର କମ୍ପନ

ସୁଷମ ଖାଦ୍ୟ ମିଳୁ ନଥିବାରୁ ଲୋକ ଟାକୁଆ ଖାଉଛନ୍ତି: ନରସିଂହ
କାଶୀପୁର ଘଟଣା ଲଜ୍ଜାଜନକ: ତାରା
ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ହୋହଲ୍ଲା, ଗୃହ ମୁଲତବୀ
ସୋମବାର ବିବୃତି ରଖିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ବର : କାଶୀପୁରରେ ଝାଡ଼ାବାନ୍ତି ମହାମାରୀ ରୂପ ନେଉଛି। ଜଣଙ୍କ ପରେ ଜଣେ ଆକ୍ରାନ୍ତ ଆଖି ବୁଜୁଛନ୍ତି। ଶନିବାର ଦିନ ବିଧାନସଭାରେ ଏହି ପ୍ରସଙ୍ଗରେ କମ୍ପନ ସୃଷ୍ଟି ହୋଇଥିଲା। କଂଗ୍ରେସ ସଭ୍ୟମାନେ ପ୍ରସଙ୍ଗଟିକୁ ଉଠାଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସରକାର ଲୋକଙ୍କୁ ସମ୍ମାନର ସହ ବଞ୍ଚିବାକୁ ଦେଉନାହାନ୍ତି ବୋଲି ଆରୋପ ଲଗାଇଥିଲେ। ମୁଖ୍ୟମନ୍ତ୍ରୀ ନିଜେ ଗୃହକୁ ଆସି ବିବୃତି ଦେବାକୁ ଦାବି କରି କଂଗ୍ରେସ ସଭ୍ୟମାନେ ହୋହଲ୍ଲା କରିଥିଲେ। ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

ଶନିବାର ଦିନ ଶୂନ୍ୟକାଳରେ କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ, ଆମ ସମ୍ବିଧାନ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛି। ଅନାହାର, ଅଖାଦ୍ୟ ଖାଇ କେହି ମରିବେନି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏଠି ସରକାର ଖାଦ୍ୟ ଯୋଗାଇପାରୁ ନାହାନ୍ତି। ଖାଲି ଚାଉଳ ଯୋଗାଇ ଦେଲେ ସେମାନେ ବଞ୍ଚିବେ କେମିତି? ସେହି ଚାଉଳ ବି ଠିକ୍ ଭାବେ ମିଳୁନି। ରାୟଗଡ଼ାର ପୂର୍ବତନ ଜିଲ୍ଲାପାଳ ସ୍ବୀକାର କରିଥିଲେ ଯେ ଲୋକଙ୍କୁ ସେଠି କାମଧନ୍ଦା ମିଳୁନି। ସେଥି ପାଇଁ ସେମାନେ ଟାକୁଆ ଖାଉଛନ୍ତି। ଏହି ସତ୍ୟ ସେହି ଜିଲ୍ଲାପାଳ କହିଲା ପରେ ତାଙ୍କୁ ତୁରନ୍ତ ବଦଳି କରିଦିଆଗଲା। ଆଦିବାସୀମାନେ ଟାକୁଆ ଖାଇବା ଅଭ୍ୟାସ ଛାଡ଼ିପାରୁ ନାହାନ୍ତି, ଏହା ସତ୍ୟ। କିନ୍ତୁ ତାହାର କାରଣ ହେଲା ସେମାନଙ୍କୁ ଅନ୍ୟ ସୁଷମ ଖାଦ୍ୟ ଠିକ୍ ଭାବେ ମିଳୁନି। ଚାଉଳ ଯଥେଷ୍ଟ ମିଳୁନି। ରାସନ୍ କାର୍ଡ ହଜିଗଲେ ଚାଉଳ ମିଳୁନି ବୋଲି ଜଣାପଡ଼ିଛି। ବହୁତ ସମୟରେ ଡିଲର୍‌ମାନେ ସରକାରୀ ଅଧିକାରୀଙ୍କ ସହ ହାତ ମିଳାଇ ଚାଉଳ ଲୁଟ୍ କରୁଛନ୍ତି। ମୁଖ୍ୟମନ୍ତ୍ରୀ ବିଦେଶ ଯାଇ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ବାହାବା ନେଲେ। ଭୁଲ୍ ତଥ୍ୟ ଦେଇ ପୁରସ୍କାର ଆଣିବାରେ ଏ ସରକାର ବ୍ୟସ୍ତ। କିନ୍ତୁ କ୍ଷେତ୍ର ସ୍ତରକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ। ମୁଖ୍ୟମନ୍ତ୍ରୀ ଘରୁ ବାହାରୁ ନାହାନ୍ତି। ବିଧାନସଭା ଗୃହକୁ ଆସୁନାହାନ୍ତି। ସର୍ବଦଳୀୟ ବୈଠକରେ ମୁଁ ଅନୁରୋଧ କରିଥିଲି ଯେ ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ। ଯଦି ମୁଖ୍ୟମନ୍ତ୍ରୀ ଗୃହକୁ ଆସିବେନି ଓ କିଛି ଶୁଣିବେନି, ତେବେ ସେ ପ୍ରତିକ୍ରିୟା ପ୍ରକାଶ ନ କରିବା ସ୍ବାଭାବିକ। ଯେ କୌଣସି ଉପାୟରେ ନିର୍ବାଚନ ଜିତିବା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ। ଲୋକ ଯେତେବେଳେ ଭୋକରେ ମରୁଛନ୍ତି, ସେତେବେଳେ ଯୋଜନା କରି ଲୋକଙ୍କୁ ଦିଆଯାଉଛି। ପୂର୍ବରୁ ମହାଜନ ଶୋଷଣ କରୁଛି ବୋଲି ଜାଣୁଥିଲେ ବି ଗାଁ ଲୋକ ତାଙ୍କୁ ଭଗବାନ ବୋଲି ମାନୁଥିଲେ। କାରଣ ଅଧ ରାତିରେ ଗଲେ ମହାଜନ ଠାରୁ ସାହାଯ୍ୟ ମିଳୁଥିଲା। ଏ ସରକାର ସେମିତି ଚାଲିଛି। ଚାଉଳ, ଜୋତା, ଛତା ଦେବାର ଏକମାତ୍ର ଉଦ୍ଦେଶ୍ୟ ଭୋଟ୍ ନେବା। ଏତେ ଯୋଜନା ଚାଲୁଥିବା ସତ୍ତ୍ବେ ଲୋକ ଭୋକିଲା ରହୁଛନ୍ତି କାହିଁକି? ଦୁଇ ଓଳି ଦୁଇ ମୁଠା ଖାଇବାକୁ ନ ପାଇ କାହିଁକି ଅଖାଦ୍ୟ ଖାଉଛନ୍ତି? ନିୟମିତ ଭାବେ ରାଜ୍ୟରେ ଏମିତି ଘଟି ଚାଲିଛି। ନିକଟରେ କୃଷି ମନ୍ତ୍ରୀ ଗୃହରେ ରାୟଗଡ଼ାର ବିକାଶ କଥା କହୁଥିଷଲ। ଯଦି ଏତେ ବିକାଶ ହେଉଥିଲା ତେବେ ଲୋକ ଖାଇବାକୁ ଚାଉଳ କେମିତି ପାଇଲେନି? ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତି ପାଇଁ ଯେତିକି ଚାଉଳ ଦିଆଯିବା କଥା ତାହା ଦିଆଯାଉ ନାହିଁ। ମୁଖ୍ୟମନ୍ତ୍ରୀ ନିଜେ ଗୃହକୁ ଆସି ବିବୃତି ଦିଅନ୍ତୁ। ରାଜ୍ୟରେ ଅନାହାର ଓ ଅଖାଦ୍ୟ ଖାଇବା ରୋକିବାକୁ କି ପଦକ୍ଷେପ ନେଇଛନ୍ତି, ତାହା ଗୃହକୁ ଜଣାନ୍ତୁ। ରାଜ୍ୟବାସୀ ଜାଣିବା ଦରକାର କାଶୀପୁରରେ ଏପରି ମୃତ୍ୟୁ ପାଇଁ ଦାୟୀ କିଏ?

କଂଗ୍ରେସର ବରିଷ୍ଠ ସଭ୍ୟ ତାରାପ୍ରସାଦ ବାହିନୀପତି ଉଦ୍‌ବେଗ ପ୍ରକାଶ କରି କହିଲେ, କାଶୀପୁର ଘଟଣା ନିଶ୍ଚିତ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ। ସେହି ବ୍ଲକ୍‌ରେ ଶହ ଶହ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ବାହାସ୍ଫୋଟ ମାରୁଛନ୍ତି, କେହି ଭୋକରେ ମରିବେନି। କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ଓଲଟା ଦେଖିବାକୁ ମିଳୁଛି। କଂଗ୍ରେସ ସରକାର ସମୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆସିଥିଲା। ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତଙ୍କୁ ସାମିଲ୍ କରିବା ପରେ ମଧ୍ୟ ଆଦିବାସୀ ଆମ୍ବ ଟାକୁଆ ଓ ଅଖାଦ୍ୟ ଖାଇବା ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଗୃହରେ ବିବୃତି ରଖିବା ଆବଶ୍ୟକ।

ସ୍ବାଧୀନ ସଭ୍ୟ ମକରନ୍ଦ ମୁଦୁଲି କହିଲେ, କାଶୀପୁର ଅଞ୍ଚଳରେ ୨/୩ ଦିନ ହେଲା ଝାଡ଼ାବାନ୍ତି ବ୍ୟାପିଛି। ଲୋକ ଗୁରୁତର ହୋଇପଡ଼ୁଛନ୍ତି। ଏପରିକି ତିନି ଦିନ ଭିତରେ ଲୋକ ମରିଗଲେଣି। ଗତକାଲି ଏକ ମେଡିକାଲ୍‌ ଟିମ୍‌ ସେଠାକୁ ପଠାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଏହି ସମସ୍ୟାର ସମାଧାନ ହେବା ଆବଶ୍ୟକ।

ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି କଂଗ୍ରେସ ସଭ୍ୟମାନେ ହୋହଲ୍ଲା କରିଥିଲେ। ତାରା ବାହିନୀପତି, ଦାଶରଥୀ ଗମାଙ୍ଗୋ, ରାଜନ ଏକ୍କା ଓ ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଦୁଇଟି ପର୍ଯ୍ୟାୟରେ ୨୫ ମିନିଟ୍‌ ମୁଲତବୀ ରଖିଥିଲେ। ପରେ ବାଚସ୍ପତି ଘୋଷଣା କରିଥିଲେ ଯେ ସୋମବାର ଦିନ ଏହି ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ବିବୃତି ରଖିବେ। ତାହା ପରେ ବିରୋଧୀ ଶାନ୍ତ ହୋଇଥିଲେ ଓ ଗୃହ କାର୍ଯ୍ୟ ସ୍ବାଭାବିକ ଭାବେ ଚାଲିଥିଲା।

ସମ୍ବନ୍ଧିତ ଖବର