ରାୟଗଡ଼ା (ନବୀନ ଚନ୍ଦ୍ର ସାହୁ): କନ୍ଧମାଳ ପରେ ଏବେ ଜାତୀୟ ବଜାରରେ ବଢ଼ୁଛି କାଶୀପୁର ହଳଦୀର ଚାହିଦା। ରାସାୟନିକ ସାର ଓ କୀଟନାଶକ ବ୍ୟବହାର ନ କରି ସଂପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ ହୋଇଥିବାରୁ କୃଷି ବିଭାଗ ସମେତ ବେସରକାରୀ ସଂସ୍ଥା କାଶୀପୁର ହଳଦୀର ଚାହିଦା ବୃଦ୍ଧି ପାଇଁ ନେଇଛନ୍ତି ପଦକ୍ଷେପ। ଆଗାମୀ ୩ ବର୍ଷରେ କାଶୀପୁରରୁ ଉତ୍ପାଦିତ ହଳଦୀକୁ କନ୍ଧମାଳ ହଳଦୀର ମାନ ସହ ସମକକ୍ଷ କରିବାକୁ ସରକାର ପରମ୍ପରାଗତ କୃଷି ଯୋଜନାରେ ବ୍ଲକର ଶହେ ଏକର ଜମି ସହ ଶହେ ଚାଷୀଙ୍କୁ ସାମିଲ୍ କରିଛନ୍ତି।
କାଶୀପୁର ବ୍ଲକରେ ଚଳିତ ବର୍ଷ ୪୧୦ ହେକ୍ଟର ଜମିରେ ହୋଇଛି ହଳଦୀ ଚାଷ। ତଳଝିରି ପଞ୍ଚାୟତର ଝିରିଗୁମ୍ମା, ଯୋଡିପାଇ, ଡଙ୍ଗାସିଲ, ଅଣଗାର, ବିଲାମାଳ, ପିତାଯୋଡ଼ି, ନକଟିଗୁଡା, ବୁଡାଜୋର୍, ବାଙ୍କାମ୍ବ, ମଲ୍ଲୀଝରଣ, ଖାତିଗୁଡା ପ୍ରଭୃତି ଗ୍ରାମର ଚାଷୀ ଜୈବିକ ପଦ୍ଧତିରେ ହଳଦୀ ଚାଷ କରିଛନ୍ତି। ରାସାୟନିକ ସାର ବଦଳରେ ହାଣ୍ଡି ଖତ, ଜିଆ ଓ କେଞ୍ଚୁଆ ଖତ ପ୍ରସ୍ତୁତ ପାଇଁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଗୋବର, ନିମ ପତ୍ର, ଗୋ ମୂତ୍ର, ଅରଖ ଓ କରଞ୍ଜ ପତ୍ରରୁ ତିଆରି ହେବାକୁ ଥିବା ସାର ଚାଷ କାର୍ଯ୍ୟରେ ବ୍ୟବହାର ହେବ।
ସେହିପରି ହଳଦୀ ଗଛରେ ପୋକ ଲାଗିଲେ ନିରାକରଣ ଗାଈର କ୍ଷୀର, ଦହି, ଗୋବର, ଖତରୁ ପ୍ରସ୍ତୁତ ପଞ୍ଚ ଗବ୍ୟକୁ ସ୍ପ୍ରେ କରିବାକୁ କୃଷି ବିଭାଗ ତାଲିମ୍ ପ୍ରଦାନ କରିଛି। ପ୍ରସ୍ତୁତ ପଞ୍ଚ ଗବ୍ୟକୁ ୭ ଦିନ ରଖିବା ପରେ ପୋକ ଲାଗିଥିବା ଗଛରେ ସ୍ପ୍ରେ କଲେ ରାସାୟନିକ କୀଟନାଶକ ଭଳି ଏହା କାମ କରିବ। ଉତ୍ପାଦିତ ଫସଲକୁ ରସାୟନିକ ମୁକ୍ତ କରିବାକୁ କୃଷି ବିଭାଗ ଏହି ଯୋଜନା କରିଛି। ଚଳିତ ବର୍ଷ ଜୈବିକ ପଦ୍ଧତିରେ କାଶୀପୁରରୁ ଉତ୍ପାଦିତ ହୋଇଥିବା ହଳଦୀର ମାନ ପରୀକ୍ଷଣ ପାଇଁ ୧୬ଟି ନମୁନା ଭୁବନେଶ୍ବରସ୍ଥିତ କୃଷି ଗବେଷଣା ସଂସ୍ଥା ‘ସୁବିଧା’ ଓ କୃଷି ବିଭାଗ ଦ୍ବାରା ଚୟନ କରାଯାଇ ଦିଲ୍ଲୀ ପରୀକ୍ଷାଗାରକୁ ପଠାଯାଇଛି। କାଶୀପୁର ହଳଦୀରେ ଚାଷୀ ରାସାୟନିକ ସାର, କୀଟନାଶକ ବ୍ୟବହାର କରିଛନ୍ତି ନା ନାହିଁ ତାହା ପ୍ରମାଣିତ କରିବାକୁ ‘ସୁବିଧା’ ଗବେଷଣା ସଂସ୍ଥା ସଂଯୋଜକ ଅମରେନ୍ଦ୍ର ନାୟକ, କୃଷି ବିଭାଗ ଅଧିକାରୀ ମାଲା ଶ୍ରୀନିଭାସ ରାଓ, କୃଷି ଅଧିଦର୍ଶକ ମୁଗୁରା ମାଝୀ, ନିରଞ୍ଜନ ନାୟକ ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ହଳଦୀ ନମୁନା ସଂଗ୍ରହ କରିଛନ୍ତି।
photo-healthsites.comଜାତୀୟ ବଜାରରେ କାଶୀପୁର ହଳଦୀର ଚାହିଦାକୁ ଅତୁଟ ରଖିବା ପାଇଁ ଗବେଷଣା ସଂସ୍ଥା ଓ କୃଷି ବିଭାଗ ପକ୍ଷରୁ ଏହି ପ୍ରୟାସ କରାଯାଇଛି। ଯାହା ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପରମ୍ପରାଗତ କୃଷି ବିକାଶ ଯୋଜନାରେ ବ୍ଲକର ଅଧିକାରୁ ଅଧିକ ଚାଷୀଙ୍କ ସାମିଲ୍ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ଜୈବିକ ପଦ୍ଧତିରେ ଚାଷ ପାଇଁ କୃଷି ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ବିଭିନ୍ନ କ୍ଲଷ୍ଟରର ଚାଷୀଙ୍କୁ ତାଲିମ୍ ପ୍ରଦାନ କରାଯାଉଛି। ବର୍ତ୍ତମାନ କାଶୀପୁରରୁ ଉତ୍ପାଦନ ହେଉଥିବା ହଳଦୀକୁ ଆନ୍ଧ୍ରପ୍ରଦେଶ ସମେତ ଭୁବନେଶ୍ବର ଓ ପଡୋଶୀ ଜିଲ୍ଲାର ବ୍ୟବସାୟୀ ଅଗ୍ରୀମ ଦେଇ କିଣି ନେଉଛନ୍ତି। ଶୁଖିଲା ହଳଦୀ କେଜି ପ୍ରତି ଶହେ ଟଙ୍କା ଏବଂ କଞ୍ଚା ହଳଦୀ କେଜି ପ୍ରତି ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଛି।
ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲାର ମୁନିଗୁଡା, ବିଷମକଟକ, ଚନ୍ଦ୍ରପୁର ସମେତ କାଶୀପୁର ବ୍ଲକରୁ ଜୈବିକ ପଦ୍ଧତିରେ ଶସ୍ୟ ଉତ୍ପାଦନ କରିବାକୁ ପରମ୍ପରାଗତ କୃଷି ବିକାଶ ଯୋଜନାରେ ସାମିଲ୍ କରାଯାଇଛି। କାଶୀପୁର ବ୍ଲକରେ ହଳଦୀ ଫସଲକୁ ଯୋଜନାରେ ସାମିଲ କରାଯାଇଥିବା ବେଳେ ଅନ୍ୟ ବ୍ଲକରେ ଧାନ ଓ ମାଣ୍ଡିଆ ଫସଲକୁ ସାମିଲ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/RGD_Kasipur-Turmeric.jpg)