କାଶୀପୁରରେ ଲେଉଟିଲା ଅଜଣା ରୋଗ: ୩ ଶିଶୁ ମୃତ, ୫ ଗୁରୁତର

ରାୟଗଡ଼ା: ବର୍ଷା ଦିନ ପୂର୍ବରୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌କୁ ଲେଉଟିଲା ଅଜଣା ରୋଗ। ଶିଶୁଙ୍କୁ ଆକ୍ରାନ୍ତ କରି ଜୀବନ ନେଉଛି। ସପ୍ତାହେ ହେଲା ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ମୁନୁଷପଦର ଗାଁରେ ଏହା ବ୍ୟାପିବାରେ ଲାଗିଛି। ଏହାରି ମଧ୍ୟରେ ୩ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ସେହିପରି ୫ଜଣ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ତେବେ ୪ଜଣ ଶିଶୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସିଡିଏମ୍‌ଓ ଡା. ଲାଲମୋହନ ରାଉତରାୟ ସୂଚନା ଦେଇଛନ୍ତି।

ଆକ୍ରାନ୍ତ ଶିଶୁଙ୍କ ଲକ୍ଷଣରୁ ରୋଗ ଚିହ୍ନଟ ହୋଇପାରୁନି। ଡେପ୍‌ଥେରିଆ ହେବାର ସମ୍ଭାବନା ଅଧିକ ବୋଲି କୁହାଯାଉଛି। କିନ୍ତୁ ଶିଶୁମାନେ କେଉଁ ରୋଗରେ ଆକ୍ରାନ୍ତ ସେହି ବିଷୟରେ ସ୍ବାସ୍ଥ୍ୟ ବିଭାଗ ମୁହଁ ଖୋଲୁନି। ଗ୍ରାମବାସୀଙ୍କ ସୂଚନା ଅନୁସାରେ, ସପ୍ତାହକ ଭିତରେ ୪ରୁ ୧୨ବର୍ଷ ବୟସ ମଧ୍ୟରେ ୮ଜଣ ଶିଶୁ ଅସୁସ୍ଥ ହୋଇଛନ୍ତି। ରୋଗ ଚିହ୍ନଟ ନହେବାରୁ ଉପଯୁକ୍ତ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଶିବ ମାଝୀଙ୍କ ଝିଅ ପୂର୍ଣ୍ଣି ମାଝୀ (୧୦), ସିନ୍ଦୂର ମାଝୀଙ୍କ ପୁଅ ନରେନ୍ଦ୍ର ମାଝୀ (୪), ଡମ୍ବୁ ମାଝୀଙ୍କ ପୁଅ ଦାସ ମାଝୀ (୧୦)ଙ୍କ ମୃତ୍ୟୁ ହୋଇଛି। ସେହିପରି ପବିତ୍ର ମାଝୀ (୬), ମହେନ୍ଦ୍ର ମାଝୀ (୫), ଜୟରାମ ମାଝୀ (୫), ପାଲସି ମାଝୀ (୧୨)ଙ୍କ ସ୍ବାସ୍ଥ୍ୟାବସ୍ଥା ସମୟକ୍ରମେ ଜଟିଳ ହେବାରୁ ଶେଷରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଅସୁସ୍ଥଙ୍କ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ଟିମ୍‌ ଗଠନ କରି ନିୟୋଜିତ କରାଯାଇଛି। ଏହି ଟିମ୍‌ ଚିକିତ୍ସା କରୁଥିଲେ ସୁଦ୍ଧା ରୋଗର କାରଣ ଏଯାଏ ଜାଣିପାରୁନି। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେବାରୁ ବିଶେଷଜ୍ଞ ଟିମ୍‌ ଆସୁଥିବା ସୂଚନା ମିଳିଛି। ସେହିପରି ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ଭୁବନେଶ୍ବର ପଠାଯାଇଛି। ରିପୋର୍ଟ ମିଳିବାକୁ ପ୍ରାୟ ସପ୍ତାହେ ଲାଗିଯିବ ବୋଲି ଜଣାପଡ଼ିଛି।

ରୋଗ ଚିହ୍ନଟରେ ବିଳମ୍ବ ଏବଂ ପରୀକ୍ଷା ରିପୋର୍ଟ ମିଳିବାରେ ବିଳମ୍ବ ଅଭିଭାବକଙ୍କୁ ଆତଙ୍କିତ କରିଛି। ଚିନ୍ତାର ବିଷୟ ହେଲା ଜଣେ ଆକ୍ରାନ୍ତ ଶିଶୁ ଏବେ ବି ଗାଁରେ ରହିଥିବା ଖବର ମିଳିଛି। ଚିକିତ୍ସା ପାଇଁ ଡାକ୍ତରଖାନା ଆଣିବାକୁ ଶିଶୁର ଅଭିଭାବକ ରାଜି ହେଉନଥିବା କୁହାଯାଉଛି। ଆଶ୍ଚର୍ଯ୍ୟର ବିଷୟ ହେଲା ସ୍ବାସ୍ଥ୍ୟ ବିଭାଗ ଏଯାଏ ଠୋସ୍‌ ପଦକ୍ଷେପ ନେଇନାହିଁ। ଗୋଟିଏ ଗାଁର ଏତେ ଜଣ ଶିଶୁ ଅସୁସ୍ଥ ହେବା ଓ ୩ଜଣ ମୃତ୍ୟୁବରଣ କରିବା ଖବର ରହିଥିଲେ ସୁଦ୍ଧା ସ୍ବାସ୍ଥ୍ୟ ବିଭାଗର ବିଶେଷଜ୍ଞ ଟିମ୍‌ର ଦେଖା ନାହିଁ। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଜିଲ୍ଲା ପ୍ରଶାସନ ଯେତିକି ତତ୍ପରତା ଦେଖାଇବା କଥା ତାହା ମଧ୍ୟ ଦେଖିବାକୁ ମିଳିନି। ସୂଚନାଯୋଗ୍ୟ, କଲେରା ପାଇଁ ପୂର୍ବରୁ କାଶୀପୁର ବ୍ଲକ ଅପବାଦ ମୁଣ୍ଡାଇ ସାରିଛି।

ସମ୍ବନ୍ଧିତ ଖବର