କଟକ: କାଠଯୋଡ଼ିକୁ ଜାଣି ଜାଣି ମାରି ଦିଆଯାଉଛି। କାଠଯୋଡ଼ିରେ ଯେତିକି ବି ପାଣି ପ୍ରବାହିତ ହେବା କଥା ତାହା ଏବେ ଆଉ ହେଉ ନାହିଁ। ନରାଜ ଆନିକଟରେ କାଠଯୋଡ଼ିର ଜଳ ପ୍ରବାହକୁ ଅଟକାଇ ଦିଆଯାଉଛି। ଗୋଟିଏ ପଟେ ଅତ୍ୟନ୍ତ ଅବିଚାରିତ ଆଉ ବେପରୱା ଢଙ୍ଗରେ କାଠଯୋଡ଼ିକୁ ବିଭିନ୍ନ ସ୍ଥାନରେ ପୋତି ଦିଆଯିବା, କାଠଯୋଡ଼ି ଭିତରକୁ ସହରର ଆବର୍ଜନ ଜଳକୁ ଛାଡ଼ି ତାହାକୁ ଅତ୍ୟନ୍ତ ପ୍ରଦୂଷିତ କରି ଦିଆଯିବା ଏବଂ କାଠଯୋଡ଼ିକୁ ପର୍ଯ୍ୟାପ୍ତ ପାଣି ଛଡ଼ା ନଯିବା ପଛରେ ଏକ ବିରାଟ ଷଡ଼ଯନ୍ତ୍ର ରହିଥିବା ଏ​ବେ ସନ୍ଦେହ କରାଯାଉଛି। ଏଭଳି ସ୍ଥିତିରେ କଟକର ଇତିହାସ, ସଂସ୍କୃତି ଓ ଭାବାବେଗ ସହ ଜଡ଼ିତ କାଠଯୋଡ଼ିର ସ୍ଥିତି ଆଗକୁ କଣ ରହିବ, ତାହାର ପ୍ରତିକୂଳ ପ୍ରଭାବ କେବଳ କଟକ ସହର ନୁହେଁ, କଟକ ଜିଲ୍ଲା ଓ ଜଗତସିଂହପୁର ଅଞ୍ଚଳରେ କିଭଳି ପଡ଼ିବ, ତାହା ଏବେ ପରିବେଶବିତ୍ ମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

Advertisment

କାଠଯୋଡ଼ିର ବେଲଭ୍ୟୁକୁ ପୋତି ନିଶ୍ଚିହ୍ନ କରି ଦିଆଯାଇଛି। କାଠଯୋଡ଼ିର ଦେବୀଗଡ଼ା ନିକଟରେ ସହରର କଂକ୍ରିଟ୍ ବର୍ଜ୍ୟବସ୍ତୁ ପକାଇ ସେଠି ବି ନଈ ଭିତର ଏକପ୍ରକାର ପୋତା ଚାଲିଛି। ଏବେ କାଠଯୋଡ଼ିର ମଲାଚଣ୍ଡିଆ ଛକ ବୁରୁଜ ନିକଟରୁ ନଈ ଭିତରକୁ ଖାନନଗର ମଧୁପାଟଣା ବୁଲାଣି ପର୍ଯ୍ୟନ୍ତ ପୋତିବା କାମ ଆରମ୍ଭ ହୋଇଯାଇଛି। ଏସବୁ ସହିତ କାଠଯୋଡ଼ିକୁ ମାରିବା ପାଇଁ ଆଉ ଦୁଇଟି ସ୍ଥାନରେ ଚାଲିଥିବା ସାଂଘାତିକ କାମ କାଠଯୋଡ଼ିକୁ ଆଉ ବ୍ୟବହାର ଉପଯୋଗୀ ବି ରଖୁ ନାହିଁ। ଗୋଟିଏ ପଟେ ସିଡିଏର ପେଟାନାଳ ପାଣି କାଠଯୋଡ଼ିକୁ ଛାଡି ଦିଆଯାଉଥିବା ବେଳେ ଅନ୍ୟପଟେ ଖାନନଗର ନିକଟରେ ସହରର ବର୍ଜ୍ୟ ନର୍ଦ୍ଦମା ପାଣି ବିନା ବିଶୋଧନରେ କାଠଯୋଡ଼ିକୁ ଛାଡି ଦିଆଯାଉଛି। ସେହି ଅଞ୍ଚଳ ଦେଇ ଗାଡ଼ିରେ ଗଲା ବେଳେ ଅସହ୍ୟ ଦୁର୍ଗନ୍ଧ ହେଉଛି। ଏହାକୁ ନେଇ ସାଧାରଣ ସଭାରେ ବି କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରତିକ୍ରିୟା ରଖିଛନ୍ତି। କାଠଯୋଡ଼ି ଭିତରକୁ ନର୍ଦ୍ଦମା ପାଣି ଛାଡ଼ିବା ଘଟଣାକୁ ନେଇ ବିଭିନ୍ନ ସମୟରେ ଖାନନଗର ଅଞ୍ଚଳର ବାସିନ୍ଦାଙ୍କ ପକ୍ଷରୁ ପ୍ରତିବାଦ ହୋଇଥିଲେ ବି ପ୍ରଶାସନ ଅତ୍ୟନ୍ତ ବେପରୱା ଢଙ୍ଗରେ ଶୋଇ ଯାଇଛି।

ନଈକୁ ପୋତିବା, ପାଣିକୁ ପ୍ରଦୂଷିତ କରିବା ଭଳି କାର୍ଯ୍ୟରେ କାଠଯୋଡ଼ିକୁ ମାରି ଦିଆଯାଉଥିବା ବେଳେ ବର୍ଷା ଦିନେ କାଠଯୋଡ଼ି ଭିତରେ ପର୍ଯ୍ୟାପ୍ତ ଜଳ ପ୍ରବାହ ନହେବା ନଦୀର ମୃତ୍ୟୁକୁ ଡାକି ଆଣୁଛି। ଶ୍ରାବଣରେ ବି କାଠଯୋଡ଼ି ଶୁଖିଲା ପଡ଼ିବା ଘଟଣା ଏକ ବଡ଼ ଷଡ଼ଯନ୍ତ୍ରର ଆଭାସ ଦେଉଛି। ଏହା ପଛରେ ବାଲି ମାଫିଆଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର ସନ୍ଦେହ କରାଯାଉଛି। କାଠଯୋଡ଼ି ବାଲିର ଚାହିଦା କେବଳ କଟକ ଆଖପାଖରେ ନୁହେଁ, ରାଜ୍ୟ ବାହାରେ ବି ରହିଛି। ବାଲିଘାଟ ସୀମା ବାହାରେ କାଠଯୋଡ଼ି ବାଲିକୁ ବିଭିନ୍ନ ସ୍ଥାନରେ ବାଲି ମାଫିଆ ଲୁଟି ଚାଲିଥିବାର ଦୃଶ୍ୟ ଖୋଲାଖୋଲି ଦେଖିବାକୁ ମିଳୁଛି। କିନ୍ତୁ ପୂର୍ବରୁ ବର୍ଷକୁ ପାଖାପାଖି ୪ ମାସ ନଈ ଭିତରୁ ବାଲି ଉଠାଣ ବର୍ଷା ସମୟରେ ବନ୍ଦ ରହୁଥିବା ବେଳେ ଏବେ ବର୍ଷ ସାରା କାଠଯୋଡ଼ିରୁ ବାଲି ଉଠୁଛି। ନରାଜ ବ୍ୟାରେଜ ନିକଟରେ କାଠଯୋଡ଼ିକୁ ଜଳ ପ୍ରବାହ ହ୍ରାସ କରି ସଂପୂର୍ଣ୍ଣ କାଠଯୋଡ଼ିକୁ ବାଲି ମାଫିଆଙ୍କ ହାତକୁ ଟେକି ଦିଆଯାଇଛି। ଏ ସଂପର୍କରେ ସାମାଜିକ କର୍ମୀ ଅଶୋକ କୁମାର ସ୍ବାଇଁ କହିବା ଅନୁଯାୟୀ କାଠଯୋଡ଼ି ଓ କୁଆଖାଇ ତଳବର୍ତ୍ତୀ ଅଞ୍ଚଳକୁ ଉପରୁ ଦେଖିଲେ ନରାଜରୁ ବୋହି ଆସୁଥିବା ପାଣିକୁ ନଈ ଭିତରେ ଏକ ପ୍ରକାର ବନ୍ଧ ପକାଇ ଗତି ବଦଳାଇ ଦିଆଯାଉଥିବା ଦେଖିବାକୁ ମିଳୁଛି। ନେତାଜୀ ସେତୁ ପରେ ପରେ ବୟାଳିଶ ମୌଜା ପର୍ଯ୍ୟନ୍ତ କାଠଯୋଡ଼ି ସଂପୂର୍ଣ୍ଣ ଭାବେ ବାଲି ମାଫିଆଙ୍କ କବ୍‌ଜାକୁ ଚାଲି ଯାଇଛି। ବର୍ଷା ଦିନେ ନରାଜ ବ୍ୟାରେଜ ପୂର୍ବରୁ ପାଣି ରହୁଥିଲେ ବି କାଠଯୋଡ଼ି କେଉଁ କାରଣରୁ ଶୁଖିଲା ପଡ଼ୁଛି, ତାହାର ଜବାବ ଦାୟିତ୍ବରେ ଥିବା ଅଧିକାରୀ ଦେଇ ପାରିବେ କି ବୋଲି ଶ୍ରୀ ସ୍ବାଇଁ ପ୍ରଶ୍ନ କରିଛନ୍ତି। କାଠଯୋଡ଼ି ତଳକୁ ତଳ ସିଢୁଆ, ବିଲୁଆ ଖାଇ, ଦେବୀ ନଦୀର ରୂପ ନେଇ ସମୁଦ୍ରରେ ମିଶି ଥିବା ବେଳେ କାଠଯୋଡ଼ିର ମୃତ୍ୟୁ ଏସବୁ ନଦୀ ଅବବାହିକାର ଚାଷବାସ, ପରିବେଶକୁ ଧ୍ବଂସ ମୁହଁକୁ ଟାଣି ନେବ ବୋଲି ଆଶଙ୍କା କରାଯାଉଛି।