‘କଥିତ ଓଡ଼ିଆ ଶବ୍ଦକୋଷ’ ଲୋକାର୍ପିତ

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ

ଭୁବନେଶ୍ୱର : ରାଜ୍ୟର ୩୦ଟି ଜିଲ୍ଲାରୁ ସଂଗୃହୀତ ଓ ସମ୍ପାଦିତ ୩୦ ହଜାର ଶବ୍ଦକୁ ନେଇ ରଚିତ ୧୧ଶହ ପୃଷ୍ଠାର ‘କଥିତ ଓଡ଼ିଆ ଶବ୍ଦକୋଷ’ ଲୋକାର୍ପିତ ହୋଇଛି। ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ପକ୍ଷରୁ ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ‘ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ’ ପାଳନ ଅବସରରେ ଏହି ବୃହତ ଗ୍ରନ୍ଥ ପାଠକାର୍ପଣ କରାଯାଇଛି।

ବିହାରସ୍ଥିତ ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଭାଷାକୁ ନିତ୍ୟ ବ୍ୟବହାର କଲେ ହିଁ ବଞ୍ଚି ରହିବ। କିନ୍ତୁ ଆମେ ଓଡ଼ିଆର ଅନ୍ତଃସ୍ଥଳକୁ ପଶିପାରିନାହୁଁ। ପ୍ରବେଶ ପାଇଁ ଆମ ନିକଟରେ ମୂଲ୍ୟବାନ ଗ୍ରନ୍ଥ ହିଁ ନାହିଁ। ଏମିତି କି ଓଡ଼ିଆରେ ଅସଂଖ୍ୟ ପାଣ୍ଡୁଲିପି ରହିଛି। ରାଷ୍ଟ୍ରୀୟ ପାଣ୍ଡୁଲିପି ଅଭିଯାନ ପକ୍ଷରୁ ଦରଖାସ୍ତ ମାଧ୍ୟମରେ ଆବେଦନ କରି ଏଗୁଡ଼ିକ ଛାପିବାର ବ୍ୟବସ୍ଥା ରହିଛି। କିନ୍ତୁ ଏଥିପାଇଁ ଦରଖାସ୍ତ କରାଯାଉ ନାହିଁ। ପୁରୁଣା କବି ଓ ଲେଖକଙ୍କ ଗ୍ରନ୍ଥ ବି ମିଳୁନାହିଁ। ସେ ପୁଣି କହିଲେ, ଓଡ଼ିଆ ଭାଷାକୁ ହତ୍ୟା କରିବାରେ ଓଡ଼ିଆ ଖବରକାଗଜ ଓ ଟେଲିଭିଜନ ଚ୍ୟାନେଲ୍‌ର ସିଂହଭାଗ ଭୂମିକା ରହୁଛି। ଯେଉଁମାନେ ଭାଷା ପାଇଁ କଳା ପତାକା ଧରି ନିଜର ଫଟୋ ପତ୍ରପତ୍ରିକାରେ ଛାପିବା ପାଇଁ ବୁଲୁଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣ ନିଜ ପିଲାଙ୍କୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼ାଉଛନ୍ତି ବୋଲି ସେ ଏହି ଅବସରରେ ପ୍ରଶ୍ନ କରିଛନ୍ତି।

ସଂସ୍କୃତି ବିଭାଗର ସଚିବ ମନୋରଂଜନ ପାଣିଗ୍ରାହୀ କହିଲେ, ତୃଣମୂଳସ୍ତରରେ ଗାଁ’ରେ ହିଁ ଓଡ଼ିଆ ଭାଷା ବଞ୍ଚି ରହିଛି। ବୁଦ୍ଧିଜୀବୀମାନେ ହିଁ ଓଡ଼ିଆ ଭାଷାଠାରୁ ଦୂରେଇ ଯାଉଛନ୍ତି। ତେଣୁ ଓଡ଼ିଆକୁ ଅଧ୍ୟୟନ, କର୍ମସଂସ୍ଥାନ, ନଥିପତ୍ର ଓ ପ୍ରଶାସନର ଭାଷା ହେଉ ବୋଲି ନକହି ହୃଦୟର ଭାଷା ହେଉ ବୋଲି କୁହନ୍ତୁ। ଏଥିସହିତ ସଂସ୍କୃତି ବିଭାଗ ପକ୍ଷରୁ ସେଣ୍ଟ୍ରାଲ୍‌ ୟୁନିଭର୍ସିଟି ଅଫ୍‌ ଗୁଜୁରାଟରେ କୁନ୍ତଳା କୁମାରୀ ସାବତ ଚେୟାର ଏବଂ ସେଣ୍ଟ୍ରାଲ୍‌ ୟୁନିଭର୍ସିଟି ଅଫ୍‌ ହାଇଦ୍ରାବାଦରେ ଭକ୍ତକବି ମଧୁସୂଦନ ଦାସ ଚେୟାର ପ୍ରତିଷ୍ଠା କରାଯିବା ନେଇ ସୂଚନା ଦେଇଥିଲେ। ପୁଣି ସାହିତ୍ୟ ଏକାଡେମିରେ ୯ଟି ବିଭାଗରେ ପୂର୍ବରୁ ପୁରସ୍କାର ଦିଆଯାଉଥିବା ବେଳେ ଏଥର ବ୍ଲଗ୍‌, ସଫ୍‌ଟେଓ୍ଵୟାର ସମେତ ଆଉ ୪/୫ଟି ବିଭାଗରେ ପୁରସ୍କାର ଦିଆଯିବା ସହ ଫକୀର ମୋହନ ସେନାପତିଙ୍କ ନାମରେ ମଧ୍ୟ ପୁରସ୍କାର ଦିଆଯିବ ବୋଲି କହିଥିଲେ। ଆଇଆଇଟି କାନପୁରର ପ୍ରାକ୍ତନ ପ୍ରଫେସର ଭାଷାବିଜ୍ଞାନୀ ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ ଅନୁବାଦ ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଅମିୟ କୁମାର ପଟ୍ଟନାୟକ କହିଥିଲେ ଭାଷା ହିଁ ଏକମାତ୍ର ମାଧ୍ୟମ ଯାହା ଓଡ଼ିଶାକୁ ଏକ କରି ରଖିଛି। ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ କୁମାର ନାୟକ ଓଡ଼ିଆ ଭାଷାର ବୈଶିଷ୍ଟ୍ୟ ଉପରେ ବକ୍ତବ୍ୟ ରଖିଥିବା ବେଳେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦେଶିକା ତମସା ଦାସ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଶେଷରେ ପ୍ରଶାସନିକ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ଶବ୍ଦକୋଷ ପ୍ରସ୍ତୁତି ଦିଗରେ ମୁଖ୍ୟ ଭୂମିକା ନେଇଥିବା ଡ.ରତ୍ନାକର ଚଇନି, ଡ.କୈଳାସଚନ୍ଦ୍ର ଟିକାୟତରାୟ, ଡ.ଗିରିଶ ଚନ୍ଦ୍ର ମିଶ୍ର, ଡ.ଅଶୋକ କୁମାର ଦାଶ, ଡ.ବିବେକାନନ୍ଦ ପାଣିଗ୍ରାହୀ, ଡ.ରମାକାନ୍ତ ରାଉତଙ୍କ ସମେତ ଶବ୍ଦ ସଂଗ୍ରହ କରିଥିବା ୩୦ ଜିଲ୍ଲାର ସଂଗ୍ରାହକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର