ପୋଖରୀରେ ବୁଡ଼ିଗଲେ କାଉଡ଼ିଆ : ସାଙ୍ଗ ହୋଇ ଆସିଥିଲେ ୮ ଜଣ, ମୃତ୍ୟୁ ସନ୍ଦେହଜନକ

ପୁରୀ : ପୁରୀ ସଦର ଥାନା ବାଟମଙ୍ଗଳା ମନ୍ଦିର ନିକଟ ପୋଖରୀରେ ବୁଡ଼ି ଆଜି ଜଣେ କାଉଡ଼ିଆଙ୍କର ମୃତ୍ୟୁ ଘଟିଛି। ମୃତ କାଉଡ଼ିଆ ଜଣକ ହେଲେ ଭୁବନେଶ୍ୱର ଖଣ୍ଡଗିରି ଥାନା ୟୁନିଟ୍‌-୮ ତୁଳସୀବସ୍ତିର ପ୍ରସନ୍ନ ପାଢ଼ୀଙ୍କ ପୁଅ କମଳାକାନ୍ତ ପାଢୀ (୨୩)। ତେବେ ଯେଉଁ ପରିସ୍ଥିତିରେ କମଳାକାନ୍ତଙ୍କ ମୃତ୍ୟୁ ହେଲା ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ପାଖରେ ଏକାଧିକ ଯୁବ କାଉଡ଼ିଆ ଥିଲେ ମଧ୍ୟ ବୁଡ଼ି ଯାଉଥିବା କମଳାକାନ୍ତଙ୍କୁ କାହିଁକି କେହି ଉଦ୍ଧାର କରିପାରିଲେନି ବୋଲି ପ୍ରଶ୍ନ ଉଠିଛି।

ସୂଚନା ମୁତାବକ, ଶ୍ରାବଣ ମାସ ସୋମବାରରେ ଲୋକନାଥଙ୍କ ପୀଠରେ ପାଣି ଢ଼ାଳିବା ପାଇଁ କମଳାକାନ୍ତ ୮ ଜଣ ସାଙ୍ଗଙ୍କ ସହିତ ପୁରୀ ଆସି ଆଜି ସକାଳେ ଚନ୍ଦନପୁର ବଜାର ନିକଟ ଭାର୍ଗବୀ ନଦୀରୁ ପାଣି ଉଠାଇଥିଲେ। ଦ୍ୱିପ୍ରହରରେ ବାଟମଙ୍ଗଳା ମନ୍ଦିର ନିକଟରେ ପହଞ୍ଚିବା ପରେ ସାଙ୍ଗମାନଙ୍କ ସହ ମିଶି କମଳାକାନ୍ତ ହୋଟେଲ୍‌ରେ ଖାଇଥିଲେ। ଖାଇବା ପରେ ଅଶୁଦ୍ଧି ହୋଇଥିବାରୁ ସମସ୍ତେ ପାଖ ପୋଖରୀକୁ ଗାଧୋଇବା ଲାଗି ଯାଇଥିଲେ। ସେଠାରେ ୬ ଜଣ ସାଙ୍ଗ ପୋଖରୀ ଭିତରକୁ ନଯାଇ କେବଳ ପାଣି ଛିଞ୍ଚି ହୋଇ ଚାଲି ଆସିଥିବା ବେଳେ କମଳକାନ୍ତ ଏବଂ ତାଙ୍କ ସାଙ୍ଗ ଅନିଶ୍ୱା ସାହୁ, ବଟକୃଷ୍ଣ ନାୟକ ପୋଖରୀରେ ଗାଧୋଇଥିଲେ। ଅନିଶ୍ୱା ଓ ବଟକୃଷ୍ଣଙ୍କ କହିବା ମୁତାବକ, ଗାଧୋଇବା ସମୟରେ ହଠାତ୍‌ ଗୋଡ଼ ଖସିଯିବାରୁ କମଳାକାନ୍ତ ଗଭୀର ପାଣିକୁ ଚାଲି ଯାଇଥିଲେ। କମଳାକାନ୍ତ ବୁଡ଼ି ଯାଉଥିବା ବେଳେ ଦୁଇ ସାଙ୍ଗ ଅନିଶ୍ୱା ଓ ବଟକୃଷ୍ଣ ପହଁରା ଜାଣିନଥିବାରୁ ସାହସ କରି ଭିତରକୁ ଯାଇନଥିଲେ ଏବଂ ଡାକ ପକାଇଥିଲେ ବି କେହି ଶୁଣିନଥିଲେ ବୋଲି କହିଛନ୍ତି। କିଛି ସମୟ ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ପରେ ପୋଖରୀ ଭିତରୁ କମଳାକାନ୍ତଙ୍କ ମୃତଦେହ ମିଳିଥିଲା। କାଳେ ବଞ୍ଚିଥିବେ ଭାବି କମଳାକାନ୍ତଙ୍କୁ ଏକ ଗାଡ଼ି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। କିନ୍ତୁ ଡାକ୍ତର କମଳାକାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ତେବେ କମଳାକାନ୍ତଙ୍କ ମୃତ୍ୟୁ ଏବଂ ସାଙ୍ଗମାନଙ୍କ ଉତ୍ତରକୁ ସ୍ଥାନୀୟ ଲୋକେ ବିଶ୍ୱାସ କରି ପାରୁନାହାନ୍ତି। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ବିଶେଷ କରି ବାଟମଙ୍ଗଳା ମନ୍ଦିର ପାଖରେ ସଦାସର୍ବଦା ଗହଳିଚହଳି ରହୁଥିବା ବେଳେ କମଳାକାନ୍ତ କେମିତି ପାଣିରେ ବୁଡ଼ିଗଲେ ବୋଲି ପ୍ରଶ୍ନ କରିଛନ୍ତି। ଯଦି କେହି ଡାକ ପକାଇଥାନ୍ତା ତେବେ ଆଖପାଖ ଲୋକଙ୍କୁ ଡାକ ନଶୁଭିବା ଏବଂ ବିଳମ୍ବରେ ସ୍ଥାନୀୟ ଲୋକେ ଘଟଣା ସଂପର୍କରେ ଜାଣିବା ସନ୍ଦେହ ସୃଷ୍ଟି କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ହିଁ ସତ କହିବ ବୋଲି ଲୋକେ କହିଛନ୍ତି।

କାର୍‌ ଧକ୍କାରେ ଜଣେ ଗୁରୁତର

ପୁରୀ : ପୁରୀ-ମେରାଇନ୍‌ ଡ୍ରାଇଭ୍‌ ରୋଡ୍‌ର ନୂଆନଈ ଓଭର୍‌ବ୍ରିଜ୍‌ ନିକଟରେ ଆଜି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ କାଉଡ଼ିଆ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ବିଜୟ ପାତ୍ର (୩୨), ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ବୋଲି ଜଣାପଡ଼ିଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଭର୍ତି ହୋଇଛନ୍ତି।

ସମ୍ବନ୍ଧିତ ଖବର