କଟକ : ପୁରୀଘାଟ ନିକଟସ୍ଥ ଦେବୀଗଡ଼ାରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। କାଠଯୋଡ଼ିରୁ ପାଣି ଭାର ଉଠାଉଥିବା ବେଳେ ଜଣେ କାଉଡ଼ିଆ ବୁଡ଼ି ପ୍ରାଣ ହରାଇଥିବା ବେଳେ ତାଙ୍କର ଅନ୍ୟ ତିନି ସାଥୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମୃତ କାଉଡ଼ିଆ ଜଣକ ହେଉଛନ୍ତି ବାଦାମବାଡ଼ି ଥାନା ଝାଞ୍ଜିରୀମଙ୍ଗଳା ଲୁଣିଆ ସାହିର ମିଲନ କୁମାର ସାହାଣୀ(୩୫)। ତାଙ୍କ ପ୍ରକୃତ ଘର ଜଗତ୍ସିଂହପୁର ବାଲିକୁଦା ଅଂଚଳରେ ହୋଇଥିବା ବେଳେ ସିଟି କଲେଜ୍ରେ ସେ ଯୁକ୍ତ ତିନିର ଛାତ୍ର ଥିଲେ। ଅଗ୍ନିଶମ ବିଭାଗ ମିଲନଙ୍କ ଶବ ଉଦ୍ଧାର କର ପୁରୀଘାଟ ଥାନା ପୁଲିସକୁ ହସ୍ତାନ୍ତର କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁଯାୟୀ, ଝାଞ୍ଜିରୀମଙ୍ଗଳା ଲୁଣିଆ ସାହିର ବିଜୟ କୁମାର ସାହାଣୀଙ୍କ ପୁଅ ମିଲନ ଏବଂ ତାଙ୍କ ତିନି ବନ୍ଧୁ ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ପୁରୀଘାଟ ଥାନା ଦେବୀଗଡ଼ା ନିକଟରେ ପାଣି ଭାର ଉଠାଇବାକୁ ଯାଇଥିଲେ। ଆସନ୍ତାକାଲି ସେମାନେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଜଳାଭିଷେକ କରିଥା’ନ୍ତେ। କିନ୍ତୁ ପାଣି ଭାର ଉଠାଇବା ପାଇଁ ନଦୀ ଭିତରକୁ ଯାଇଥିବା ବେଳେ ସେ ଗୋଡ଼ ଖସି ଯାଇଥିଲେ। ହଠାତ୍ ସେ ଗଭୀର ପାଣିରେ ବୁଡ଼ି ଯାଇ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଅନ୍ୟ ତିନି ସାଥୀ ସୌଭାଗ୍ୟବଶତଃ କୂଳକୁ ଚାଲି ଆସିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଖବର ପାଇ ସିଡିଏ ଅଗ୍ନିଶମ ବିଭାଗ ଟିମ୍ ଏବଂ ଓଡ୍ରାଫ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଦେବୀଗଡ଼ାର ଅଳ୍ପ ଦୂରରେ ମିଲନ୍ଙ୍କୁ ଉଦ୍ଧାର କରି ଅଗ୍ନିଶମ ବିଭାଗ ବଡ଼ ମେଡିକାଲ୍କୁ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅନ୍ୟ ତିନି ବନ୍ଧୁ ଘଟଣାସ୍ଥଳରେ ନଥିବାରୁ ସେମାନଙ୍କ ପରିଚୟ ମିଳିପାରି ନାହିଁ।