ପୁରୀ, : ବର୍ଷାରେ ଭିଜୁଥିଲା ଶରୀର। ତୁଣ୍ଡରୁ ଉଚ୍ଛୁଳି ଆସୁଥିଲା ଶିବ ମନ୍ତ୍ର। ପାଦରେ ଶକ୍ତି ନଥିଲା, କିନ୍ତୁ ଚାଲିବା ବନ୍ଦ ହେଉନଥିଲା। ଶ୍ରାବଣୀ ପାଲି ଲାଗି ପାଇଁ ଦ୍ବିତୀୟ ସୋମବାର ଶ୍ରୀକ୍ଷେତ୍ରକୁ କାଉଡ଼ିଆଙ୍କର ସୁଅ ଛୁଟିଥିଲା। ଶ୍ରୀଲୋକନାଥଙ୍କ ପୀଠ ଗେରୁଆମୟ ପାଲଟିଥିଲା। ମଳ ମାସ ପ୍ରବେଶ ପୂର୍ବରୁ ଆଜି ଥିଲା ସୋମବାର ସଂକ୍ରାନ୍ତି ଓ ଅମାବାସ୍ୟା। ଫଳରେ ଆଜି କାଉଡ଼ିଆ ଭକ୍ତଙ୍କ ସଂଖ୍ୟା ସବୁ ରେକର୍ଡକୁ ଅତିକ୍ରମ କରିଛି। ଆଜି ଗୋଟିଏ ଦିନରେ ୨୯୪୦୦ କାଉଡ଼ିଆ ଜଳଲାଗି କରିଛନ୍ତି। ଜଳଲାଗି ପାଇଁ ଧାଡ଼ି ଆଜି ଷଣ୍ଢ ଛକ ପର୍ଯ୍ୟନ୍ତ ଲମ୍ବିଥିଲା। ତେଣୁ ବହୁ ଭକ୍ତ ବାଧ୍ୟ ହୋଇ ପାର୍ବତୀ ସାଗର ନିକଟ ଶିବ ପ୍ରତିମାରେ ପାଣି ଢାଳି ଲେଉଟି ଆସିଛନ୍ତି। ଏଥିପାଇଁ ପ୍ରଶାସନର ଶୃଙ୍ଖଳା ବ୍ୟବସ୍ଥାକୁ ଦାୟୀ କରିଛନ୍ତି।
ଗତ ୧୦ ତାରିଖରେ ଶ୍ରାବଣ ପ୍ରଥମ ସୋମବାର ପ୍ରାୟ ୧୬ ହଜାର ଭକ୍ତ ପାଣି ଲାଗି କରିଥିଲେ। ତେବେ ଏଥର ଯୋଡ଼ା ଶ୍ରାବଣ ଯୋଗୁ ମଝିରେ ମଳ ମାସ ପଡ଼ୁଥିବାରୁ ଦ୍ବିତୀୟ ପାଳିରେ ସର୍ବାଧିକ କାଉଡ଼ିଆ ଜଳ ଲାଗି କରିଛନ୍ତି।ଏଥିପାଇଁ ଆଜି ଦୁଇଟି ଟିକେଟ୍ କାଉଣ୍ଟର କରାଯାଇଥିଲା। କୁଷ୍ଠାଶ୍ରମ ଛକ ବ୍ୟତୀତ ଆଜି ଦରଜି ପନ୍ତି ଛକ ନିକଟରେ ଆଉ ଏକ ଟିକେଟ୍ କାଉଣ୍ଟର୍ ହୋଇଥିଲା। ଭକ୍ତମାନେ ରବିବାର ଅପରାହ୍ନରୁ ଟିକେଟ୍ କରି ରାତିରୁ ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ। ୧୨ଟା ବାଜିବା ପୂର୍ବରୁ ଆଜି କାଉଡ଼ିଆଙ୍କ ଲମ୍ବା ଧାଡ଼ି ଷଣ୍ଢ ଛକ ପର୍ଯ୍ୟନ୍ତ ଲମ୍ବିଥିଲା। ଗତକାଲି ଶୀଘ୍ର ପହୁଡ଼ ପଡ଼ିବା ପରେ ରାତି ୧୨ଟାରୁ ଦ୍ବାର ଫିଟା ହୋଇଥିଲା। ମଙ୍ଗଳ ଆଳତି ଓ ଅବକାଶ ପରେ ରାତି ୧୨ଟା ୨୦ ମିନିଟରୁ ଜଳଲାଗି ଆରମ୍ଭ ହୋଇଥିଲା।
ରାତି ଯେତେ ବଢ଼ୁଥିଲା ଭିଡ଼ ସେତେ ଲମ୍ବୁଥିଲା। ଭକ୍ତମାନେ ଟିକେଟ୍ ନେଇ ବ୍ୟାରିକେଡ୍ରେ ପ୍ରବେଶ କରି ରୋଷଘର ପଛ ପାର୍ଶ୍ବ ଦ୍ବାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ। ଲାଗି କୂଅ ତଥା ଲକ୍ଷ୍ମୀ ଦ୍ବାରଠାରେ ପବିତ୍ର ଜଳ ଢ଼ାଳି ପ୍ରତ୍ୟାବର୍ତ୍ତନ କରିଥିଲେ। ରାତିରେ ଝିପିଝିପି ବର୍ଷା ଲାଗି ରହିଥିବାରୁ ସେଡ୍ରେ ବହୁ ଭକ୍ତ ଅପେକ୍ଷା କରି ରହିଥିଲେ। ପ୍ରାୟ ୨ ହଜାର କାଉଡ଼ିଆ ଭକ୍ତଙ୍କ ପାଇଁ ସେଡର ବନ୍ଦୋବସ୍ତ ହୋଇଥିବାରୁ ବହୁ ଭକ୍ତ ଏହା ମଧ୍ୟରେ ଆଶ୍ରୟ ନେଇଥିଲେ।
ଶ୍ରୀଲୋକନାଥ ମନ୍ଦିରର ମ୍ୟାନେଜର ଅପଚ୍ଛ କୁମାର ପରିଡ଼ା କହିଛନ୍ତି, ସମସ୍ତ ନୀତିକାନ୍ତି ତ୍ବରିତ ଭାବେ ସମ୍ପନ୍ନ କରି ଜଳଲାଗି ଆରମ୍ଭ ହୋଇଥିଲା। ପାଳିଆ ସେବକଙ୍କ ସମେତ ସେବକମାନଙ୍କୁ ନେଇ ଗଠିତ ଏକ ଟିମ୍ ଜଳଲାଗି କାର୍ଯ୍ୟରେ ଭକ୍ତମାନଙ୍କୁ ସହଯୋଗ କରିଥିଲେ। ଉପଜିଲ୍ଲାପାଳ ଭବତାରଣ ସାହୁ ଉପସ୍ଥିତ ରହି ଭକ୍ତଙ୍କ ଶୃଙ୍ଖଳିତ ଜଳଲାଗିବ୍ୟବସ୍ଥା ତଦାରଖ କରିଥିଲେ। ଆସନ୍ତାକାଲିଠାରୁ ମଳମାସ ଆରମ୍ଭ ହେଉଥିବା ବେଳେ ପୁନର୍ବାର ଅଗଷ୍ଟ ମାସର ୨୧ ଓ୨୮ ତାରିଖରେ ବୋଲବମ୍ ଭକ୍ତ ଶ୍ରୀଲୋକନାଥଙ୍କ ପୀଠରେ ଜଳଲାଗି କରିବେ।
ବାହାରେ ଢାଳିଲେ ପାଣି
ବିଳମ୍ବିତ ରାତିରେ ଲମ୍ବା ଧାଡ଼ି ଏବଂ ବର୍ଷା ଦାଉ ସାଧିଥିଲା। ତେଣୁ ଦୂରରୁ ଆସିଥିବା ଭକ୍ତମାନଙ୍କ ପାଇଁ ବହୁ ସମୟ ଧରି ଧାଡ଼ିରେ ଛିଡ଼ା ହେବା ଯନ୍ତ୍ରଣାଦାୟକ ହୋଇଥିଲା। ତେଣୁ ଶହଶହ ଭକ୍ତ ବିଳମ୍ବିତ ରାତିରେ ଅନ୍ୟ ଦ୍ବାର ବାଟ ଦେଇ ପାଣି ଢାଳିବାକୁ ଯିବାକୁ ପ୍ରୟାସ କରୁଥିଲେ। ବାରଣ କରାଯିବାରୁ ଶହଶହ କାଉଡ଼ିଆ ଭକ୍ତ ସିଂହଦ୍ବାର ନିକଟ ଓ ପାର୍ବତୀ ସାଗର ନିକଟ ଶିବ ମୂର୍ତ୍ତିରେ ପାଣି ଲାଗି କରି ଫେରିଥିଲେ। ଏନେଇ ଶ୍ରୀଲୋକନାଥ ମନ୍ଦିରର ମ୍ୟାନେଜର ଶ୍ରୀ ପରିଡ଼ା କହିଛନ୍ତି, ବହୁ ଭକ୍ତଙ୍କ ସମାଗମ ଓ ବର୍ଷା ହେଉଥିବାରୁ ବହୁ ଭକ୍ତ ଲମ୍ବା ଧାଡ଼ିରେ ଛିଡ଼ା ହୋଇନପାରି ସିଂହଦ୍ବାର ବାଟେ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ପ୍ରବେଶ ପାଇଁ ଏକ ମାତ୍ର ବିକଳ୍ପ ବାଟ ରହିଥିବାରୁ ଅନ୍ୟ ଦ୍ବାର ବାଟ ଦେଇ ଛାଡ଼ିବା ସମ୍ଭବ ନଥିଲା। ତେବେ ଭକ୍ତମାନେ ପାଣି ଲାଗି ବ୍ୟବସ୍ଥାକୁ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ କରାଯାଇନଥିଲା ବୋଲି ଅଭିଯୋଗ କରିଛନ୍ତି।