ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଖଣି ଖାଦାନଭରା କୋଇଡ଼ା ସହ ଲହୁଣିପଡ଼ା ବ୍ଲକ୍ରେ କାୟାବିସ୍ତାର କଲାଣି ଜଣ୍ଡିସ୍। ଟେନ୍ସାରେ ୫୦ ରକ୍ତ ନମୁନାରୁ ୩୨ ଜଣ୍ଡିସ୍ ପଜିଟିଭ୍ ଥିବା ଜଣାପଡ଼ିଛି। ଲହୁଣିପଡ଼ା ବ୍ଲକ୍ ଅନ୍ତର୍ଗତ ବରସୁଆଁ ଟାଉନସିପ୍ରେ ୨୨ ରକ୍ତ ନମୁନାରୁ ୪ ପିଲାଙ୍କ ଜଣ୍ଡିସ୍ ପଜିଟିଭ୍ ଆସିଛି। ଅନ୍ୟ ୧୮ ଜଣଙ୍କର ଜଣ୍ଡିସ୍ର ଲକ୍ଷଣ ରହିଛି। ଏମାନେ ସମସ୍ତେ କୋଇଡା ବ୍ଲକ ଅନ୍ତର୍ଗତ ଗୋପପୁର ସାହିର।
ସୂଚନା ଅନୁସାରେ, କୋଇଡ଼ା ବ୍ଲକ୍ର ଗୋପପୁର ସାହିରେ ଲୋକମାନଙ୍କୁ ଜ୍ବର ଆସିବା ସହ ବାନ୍ତି ଓ ପେଟ ବ୍ୟଥା ମଧ୍ୟ ହେଉଛି। ଟେନ୍ସା ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି। ଲହୁଣିପଡ଼ା ବ୍ଲକ୍ ଅନ୍ତର୍ଗତ ବରସୁଆଁ ଟାଉନସିପ୍ ଓ ଏହାର ଆଖପାଖ ଅଞ୍ଚଳ ଯଥା ଶଶ୍ୟକଳା, ରାଇକେଳାରେ ପ୍ରାୟ ଅଧିକାଂଶ ଲୋକଙ୍କୁ ଗତ କିଛିଦିନ ଧରି ଜ୍ବର ଆସିବା ସହ ବାନ୍ତି ହେଉଛି। କୋଇଡ଼ାରୁ ପ୍ରଦୂଷିତ ନଦୀ, ନାଳପାଣିକୁ ବସ୍ତିବାସିନ୍ଦା ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ସେଲ୍ ଟାଉନସିପ୍କୁ ଯୋଗାଣ ହେଉଥିବା ପାନୀୟ ଜଳ ବ୍ୟବହାର ଦ୍ବାରା ଜଣ୍ଡିସ୍ ହେଉଥିବା ପ୍ରାଥମିକ ତଦନ୍ତରୁ ସ୍ବାସ୍ଥ୍ୟ ବିଭାଗ ଜାଣିବାକୁ ପାଇଛି। ବୟସ୍କ ଲୋକମାନଙ୍କୁ କମ୍, ଛୋଟଛୋଟ ପିଲାମାନେ ବେଶି ଜଣ୍ଡିସ୍ରେ ଆକ୍ରାନ୍ତ ହେଉଛନ୍ତି।
ଲହୁଣିପଡା ସିଏଚ୍ସି ମୁଖ୍ୟ ଡାକ୍ତର ରୁଦ୍ରମଣି ସାହୁଙ୍କ ସୂଚନା ଅନୁସାରେ, ଲହୁଣିପଡ଼ା ବରସୁଆଁ ଟାଉନସିପ୍ରୁ ୨୨ରୁ ଅଧିକ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଏଥିରୁ ମଧ୍ୟରୁ ୪ ପିଲାଙ୍କ ଜଣ୍ଡିସ୍ ପଜିଟିଭ୍ ରହିଛି। ଚାରିପିଲାଙ୍କ ମଧ୍ୟରୁ ଦୁଇପିଲା କେବଳ ଦମାଳୁର। ୧୮ ରକ୍ତ ନମୁନା ପରୀକ୍ଷା ପାଇଁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ଏମାନଙ୍କ ମଧ୍ୟରୁ କେତେଜଣ ଜଣ୍ଡିସ୍ ପଜିଟିଭ୍ ଅଛନ୍ତି ଜଣାପଡ଼ିବ ବୋଲି ସେ କହିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜକାନ୍ତି ମିଶ୍ର କହିଛନ୍ତି, ଲହୁଣିପଡ଼ା ଓ କୋଇଡ଼ା ଦୁଇଟି ବ୍ଲକ୍ରୁ କିଛି ଜଣ୍ଡିସ୍ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଆକ୍ରାନ୍ତ ଅଞ୍ଚଳ ଓ ଏହାର ଚତୁଃପାର୍ଶ୍ବରେ ଅଞ୍ଚଳରେ ଘରକୁ ଘରୁ ବୁଲି ରକ୍ତ ନମୁନା ସଂଗ୍ରହ କରିବାକୁ ସ୍ଥାନୀୟ ମେଡ଼ିକାଲ ଟିମ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି।