ଆସନ୍ତା ମାସରୁ କାୟାକଳ୍ପ ପୁରସ୍କାର ପାଇଁ ମୂଲ୍ୟାୟନ

ଭୁବ‌େନଶ୍ବର : ସରକାରୀ ଡାକ୍ତରଖାନାମାନଙ୍କର କାୟାକଳ୍ପ ପୁରସ୍କାର ପା‌ଇଁ ଆସନ୍ତା ମାସରୁ ମୂଲ୍ୟାୟନ ଆରମ୍ଭ ହେବ। ଏହା ନଭେମ୍ବର ୨୫ପର୍ଯ୍ୟନ୍ତ ଚ‌ାଲିବ। ଯେଉଁ ସରକାରୀ ଡାକ୍ତରଖାନା ନିର୍ଧାରିତ ମାନଦଣ୍ଡ ଅନୁଯାୟୀ ୭୦ ପ୍ରତିଶତରୁ ଅଧିକ ନମ୍ବର ପାଇବେ ସେମାନେ ପ୍ରଥମ, ଦ୍ବିତୀୟ ଏବଂ ସାନ୍ତ୍ବନାମୂଳକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହେବେ।

ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ ଏଭଳି ସୂଚନା ଦିଆଯାଇଛି। ଆଜି ଜାତୀୟ ସ୍ବାସ୍ଥ୍ୟ ମିସନ ସମ୍ମିଳନୀ କକ୍ଷରେ ବାହ୍ୟ ସମୀକ୍ଷକମାନଙ୍କୁ ନେଇ ଆୟୋଜିତ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ବାସ୍ଥ୍ୟସେବା ନିର୍ଦେଶାଳୟ ଏବଂ ଜାତୀୟ ସ୍ବାସ୍ଥ୍ୟ ମିସନର ପଦାଧିକାରୀଙ୍କ ସମେତ ଉନ୍ନୟନ ସହଯୋଗୀ ଏବଂ ଜନସ୍ବାସ୍ଥ୍ୟ ସଂଗଠନର କର୍ମକର୍ତାମାନେ ଉପସ୍ଥିତ ଥିଲେ।

ପ୍ରଥମ ସ୍ଥାନ ଅଧିକାର କରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୫୦ଲକ୍ଷ ଟଙ୍କା, ଦ୍ବିତୀୟ ସ୍ଥାନ ପାଇଁ ୨୦ଲକ୍ଷ ଟଙ୍କା ଏବଂ ସାନ୍ତ୍ବନା ମୂଳକ ପୁରସ୍କାର ବାବଦକୁ ୩ଲକ୍ଷ ଟଙ୍କା ଲେଖାଏ ମିଳିବ। ସେହିପରି ଉପଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯଥା‌କ୍ରମେ ୧୫ଲକ୍ଷ, ୧୦ଲକ୍ଷ ଏବଂ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।

ଉଲ୍ଲେଖଥାଉକି, ସରକାରୀ ଡାକ୍ତରଖାନାରେ ଉନ୍ନତ ସ୍ବାସ୍ଥ୍ୟସେବା ସାଙ୍ଗକୁ ସ୍ବଚ୍ଛତାକୁ ପ୍ରୋତ୍ସାହିତ କରିବା ଏବଂ ସଂକ୍ରମଣ ନିୟନ୍ତ୍ରଣ ଅଭ୍ୟାସକୁ ନିୟମିତ କରାଇବା ଉଦ୍ଦେଶ୍ୟରେ ୨୦୧୫ ମସିହାରୁ ଏହି ପୁରସ୍କାର ବ୍ୟବସ୍ଥା ଆରମ୍ଭ ହୋଇଛି। କାୟାକଳ୍ପ ନିର୍ଦେଶାବଳୀ ଅନୁଯାୟୀ ପ୍ରାଥମିକ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଡାକ୍ତରଖାନାଗୁଡ଼ିକୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ ବାହ୍ୟ ସମୀକ୍ଷକଙ୍କ ଦ୍ବାରା ସମୀକ୍ଷା କରାଯାଏ।

ସମ୍ବନ୍ଧିତ ଖବର