କେବିକେ କନ୍ଧମାଳ ସ୍ବୟଂ ଶାସିତ ପରିଷଦ ଅଞ୍ଚଳ ଗଠନ ନେଇ ପାଗଭିଡ଼ା

୧୦ ବର୍ଷ ମଧ୍ୟରେ ବିକଶିତ ଜିଲ୍ଲା ଭାବେ ପରିଗଣିତ ହେବ

ନବରଙ୍ଗପୁର : କେବିକେ କନ୍ଧମ‌ାଳ ସ୍ବୟଂଶାସିତ ପରିଷଦ ଅଞ୍ଚଳ ଗଠନ ନେଇ ନବରଙ୍ଗପୁରରୁ ବିଗୁଲ ବାଜିଛି। ରାୟୟଡ଼ା, କୋରାପୁଟ, ନବରଙ୍ଗପୁର , ମାଲକାନାଗିରି, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର, ନୂଆପଡ଼ା, ବୌଦ୍ଧ ଓ କନ୍ଧମାଳ ଆଦି ୧୦ ଟି ଜିଲ୍ଲାକୁ ନେଇ କେବିକେ କନ୍ଧମାଳ ସ୍ବୟଂଶାସିତ ପରିଷଦ ଅଞ୍ଚଳ ଗଠନ କରିବା ପାଇଁ ଆନ୍ଦୋଳନ ଆରମ୍ଭ ହେବ। ଏହି ଅଞ୍ଚଳର ଲୋକେ ନିଜେ ନିୟମ କରି ନିଜେ ଶାସିତ ନହେବା ପର୍ଯ୍ୟନ୍ତ ଅଞ୍ଚଳର ବିକାଶ ହୋଇପାରିବ ନାହିଁ ବୋଲି ଉପସ୍ଥିତ ନେତାମାନେ ମତବ୍ୟକ୍ତ କରିଛନ୍ତି ।

ଆଜି ସ୍ଥାନୀୟ ଟାଉନ ହଲ୍‌ରେ ବରିଷ୍ଠ ଆଇନଜୀବୀ ଏନ୍‌ .ଅହମ୍ମଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, କନ୍ଧମାଳର ପୂବର୍ତନ ମନ୍ତ୍ରୀ ନକୁଳ ନାୟକ, କେ.ଆପଲସ୍ବାମୀ, ପୂର୍ବତନ ବିଧାୟକ ଜାକବ ପ୍ରଧାନ, ରାୟଗଡ଼ାର ଦୁର୍ଗାପ୍ରସାଦ ପଣ୍ଡା, ସୋନପୁରରୁ ଜିତେନ୍ଦ୍ର ନାୟକ, ସଦନ ନାୟକ, ମୁନା ତ୍ରିପାଠୀ, ମହମ୍ମଦ ସାକୁର ପ୍ରମୁଖଙ୍କ ସମେତ ୧୦ ଟି ଜିଲ୍ଲାର ଶତାଧିକ ନେତୃସ୍ଥାନୀୟ ବ୍ୟକ୍ତି ଯୋଗଦେଇ ପରିଷଦ ଗଠନ ନେଇ ଆଲୋଚନା କରିଥିଲେ । ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ କହିଥିଲେ ଯେ ଏହି ପରିଷଦ ଗଠନ ହୋଇପାରିଲେ ଆଞ୍ଚଳିକ ବୈଷମ୍ୟ ଦୂର ହୋଇପାରିବ। ଆଜି ବି ଏହି ଅଂଚଳବାସୀ ସ୍ବଚ୍ଛ ପାନୀୟ ଜଳ ପାଇବାରୁ ବଞ୍ଚିତ ରହିଛନ୍ତି । ଫଳରେ ୫୦ ପ୍ରତିଶତ ଲୋକ ବିଭିନ୍ନ ରୋଗରେ ପଡୁଛନ୍ତି। ଏହି ୧୦ଟି ଜିଲ୍ଲାରେ ଜଳଭଣ୍ଡାରର ଅଭାବ ନାହିଁ କି ଚିରସ୍ରୋତା ନଦୀର ଅଭାବ ନାହିଁ। ପୂର୍ବରୁ କେବିକେ ଯୋଜନାରେ ପ୍ରତି ପରିବାରକୁ ୩୫ କେଜି ଚାଉଳ ମିଳୁଥିବା ବେଳେ ଏବେ ଏହି ଯୋଜନା ବନ୍ଦ ହେବା ଫଳରେ ଲୋକେ ପେଟପୂରା ଖାଇବାକୁ ପାଇ ପାରୁନାହାନ୍ତି। କେବିକେ ଅନୁଦାନ ସମେତ ଆଇଏପି, ବିଆରଜିଏଫ୍‌ ପାଣ୍ଠିକୁ ବନ୍ଦ କରାଯାଇଛି । ମନରେଗା ଅର୍ଥକୁ ଅଧା କରାଯାଇଛି ।ଏଭଳି ସ୍ଥିତିରେ ଏହି ଅଂଚଳର ବିକାଶ କିଭଳି ହେବ ବୋଲି ପ୍ରଶ୍ନ କରିବା ସହ ଲୋକେ କାମଧନ୍ଦା ଅଭାବରୁ ଦାଦନ ଖଟିବାକୁ ଯାଉଥିବା କହିଥିଲେ । କେବିକେ ଓ କନ୍ଧମାଳ ଅଞ୍ଚଳରେ ଅପପୁଷ୍ଟି ଭୟଙ୍କର ରହିଛି। ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ନେଇ ଆନ୍ଦୋଳନ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ । ପ୍ରତି ଜିଲ୍ଲା‌ରେ ସମାବେଶର ଆୟୋଜନ କରାଯିବ । ଲୋକଙ୍କ ମଧ୍ୟରେ ନେତା ତିଆରି ହେବେ। ଏହି ନେତା ନିଜ ମାତୃଭୁମିର ବିକାଶ ପାଇଁ ଚେଷ୍ଟା କରିବେ। ନେତାମାନେ ସରକାରୀ ଅଧିକାରୀଙ୍କ ପାଖରେ ଗୋଲାମ ରହିବେ ନାହିଁ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହୋଇଛି। ଧୀରେ ଧୀରେ ଏହାକୁ ସଂକୁଚିତ କରାଯାଉଛି। ଦେଶରେ ‌ଯେତେ ପରିଷଦ ଗଠନ ହୋଇଛି ସେହି ଅଞ୍ଚଳର ବିକାଶ ହୋଇପାରିଛି। କେବିକେ କନ୍ଧମାଳ ଅଞ୍ଚଳର ନିର୍ବାଚିତ ନେତା ଭୁବନେଶ୍ବରରେ ଅବହେଳିତ ହେଉଛନ୍ତି । ଏହି ଅଂଚଳର ନେତାଙ୍କୁ ଶକ୍ତିଶାଳୀ ବିଭାଗର କ୍ୟାବିନେଟ ମନ୍ତ୍ରୀ ବି ଦିଆଯାଇ ନାହିଁ। ବିଧାୟକଙ୍କୁ ଗୋତି ଶ୍ରମିକ ଭଳି ସରକାରୀ ଅଧିକାରୀଙ୍କ ଆଗରେ ଠିଆ କରାଯାଉଛି। ନିର୍ବାଚିତ ପ୍ରତିନିଧିଙ୍କୁ ଅପମାନ କରାଯାଉଛି। ଏହି ଅଞ୍ଚଳର ବିକାଶ ପାଇଁ ଦୃଢ଼ ନେତୃତ୍ବର ଅଭାବ ରହିଛି। ଏହି ଅଂଚଳର ବିକାଶ ପାଇଁ ଦୁଇ ଗୁଣା କେନ୍ଦ୍ରୀୟ ଅନୁଦାନ ସହ ରାଜ୍ୟ ବଜେଟ୍‌ର ଏକ ତୃତୀୟାଂଶ ଅର୍ଥ ବରାଦ କରିବାକୁ ପଡ଼ିବ ବୋଲି କହିଥିଲେ । ଏଭଳିକି ଏହି ଅଂଚଳରେ ରାଜ୍ୟର ଏକ ସଚିବାଳୟ ରହିବା ଆବଶ୍ୟକ । ଏହା ସଫଳ ହୋଇପାରିଲେ ୧୦ ବର୍ଷ ମଧ୍ୟରେ କେବିକେ କନ୍ଧମାଳ ଜିଲ୍ଲା ଅନ୍ୟ ବିକଶିତ ଜିଲ୍ଲା ସହ ସମକକ୍ଷ ହୋଇପାରିବ ବୋଲି ନେତାମାନେ କହିଥିଲେ।

ସମ୍ବନ୍ଧିତ ଖବର