ଝାରସୁଗୁଡ଼ା : ଭିତ୍ତିଭୂମିର ଅଭାବ ସତ୍ତ୍ବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ଚାନ୍ଦିନୀମାଲ ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମରେ ଥିବା କେଛବାହାଲ ପ୍ରାଥମିକ ବିଦ୍ୟାଳୟ

ବ୍ରଜରାଜନଗର: ଝାରସୁଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ଚାନ୍ଦିନୀମାଲ ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ କେଛବାହାଲରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ରହିଛି  କେଛବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟଟି ୧୯୫୬ ମସିହାରେ  ପ୍ରତିଷ୍ଠା କରାଯାଇଥିଲା। ଏବେ ବିଦ୍ୟାଳୟରେ ଭିତ୍ତିଭୂମିର ଘୋର ଅଭାବ। ବିଦ୍ୟାଳୟରେ ୪ଟି  ଶ୍ରେଣୀଗୃହରୁ  ଗୋଟିଏକୁ ବାଦ ଦେଲେ ଅନ୍ୟଗୁଡ଼ିକ ଅସୁରକ୍ଷିତ। ବିଦ୍ୟାଳୟର ଅଫିସ୍‌ ରୋଷେଇ ପାଇଁ ନିର୍ମିତ ସେଡ୍‌ରେ ଚାଲୁଛି। ଏଠାରେ ୫୧ ପିଲା ପାଠ ପଢ଼ୁଛନ୍ତି। ଅଧିକାଂଶ ଆଦିବାସୀ, ହରିଜନ ଓ ଗରିବ ଶ୍ରେଣୀର। ଅସୁରକ୍ଷିତ ଗୃହ ସତ୍ତ୍ବେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲାମାନେ ଉକ୍ତ କୋଠାରେ ପାଠ ପଢ଼ୁଛନ୍ତି। ବାରଣ୍ଡାରେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପିଲା ବସୁଛନ୍ତି। ଭଲଥିବା ଗୋଟିଏ କୋଠରିରେ ପ୍ରଥମ ଶ୍ରେଣୀ ପିଲା ପଢ଼ୁଛନ୍ତି।

ଭତ୍ତିଭୂମିର ଅଭାବ ସତ୍ତ୍ବେ ଏହି ବିଦ୍ୟାଳୟର ପାଠପଢ଼ା, ଉପସ୍ଥାନ, ପିଲାମାନଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଏହା ଏକ ଆଦିବାସୀ ଅଞ୍ଚଳରେ ଥିବା ବିଦ୍ୟାଳୟ ହୋଇଥିଲେ ମଧ୍ୟ ଶିକ୍ଷକମାନଙ୍କ ପ୍ରୟାସ ଓ  ବିଦ୍ୟାଳୟ ପରିଚାଳନା କମିଟିର ସହଯୋଗ ଯୋଗୁଁ ପିଲାମାନଙ୍କ ଉପସ୍ଥାନ ହାରାହାରି ୮୦ ପ୍ରତିଶତ ରହୁଛି। ଶିକ୍ଷକମନେ ଗାଁକୁ ଯାଇ ଅଭିଭାବକଙ୍କୁ ବୁଝାଇ ପିଲାମାନଙ୍କୁ ବିଦ୍ୟାଳୟକୁ ଆଣୁଛନ୍ତି। ସ୍କୁଲ୍‌ରେ ହେଉଥିବା ପରୀକ୍ଷାରେ ପିଲାମାନେ ୫୦ ପ୍ରତିଶତ ନମ୍ବର ରଖିବାରେ ସକ୍ଷମ ହେଉଛନ୍ତି। ଅନ୍ୟ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ   ବିଶେଷ  ଭାବେ ଧ୍ୟାନ ଦେଇ ପାଠ ପଢ଼ା ଯାଉଥିବା ପ୍ରଧାନ ଶିକ୍ଷକ ଦୁଲାମଣି ପଟେଲ୍‌ କହିଛନ୍ତି। ବିଦ୍ୟାଳୟର ଶିକ୍ଷୟିତ୍ରୀ  ସରସ୍ୱତୀ ମିଶ୍ର ସକାଳ ୭ଟାରୁ ୮ଟା ଓ ସନ୍ଧ୍ୟାରେ ୬ଟାରୁ ୮ଟା ପର୍ଯ୍ୟନ୍ତ ପିଲାମାନଙ୍କୁ ନିଜ ଘରେ ମାଗଣାରେ ପାଠ ପଢ଼ାନ୍ତି। ଚଳିତ ବର୍ଷ ଏହି ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ରୀ ଖୁସୁବୁ ପ୍ରଧାନ ପ୍ରଥମ ଥର ବୃତ୍ତି ପାଇଥିବାରୁ ସମସ୍ତେ ଆନନ୍ଦ ପ୍ରକାଶ କରିଛନ୍ତି। ସେହିପରି ଛାତ୍ରୀ ମିତା ନାଏକ  ‘ସୁରଭି ୨୦୧୯’ରେ ଝାରସୁଗୁଡା ଜିଲ୍ଲାରେ ସଙ୍ଗୀତରେ ପ୍ରଥମ ହୋଇ ରାଜ୍ୟସ୍ତରରେ ଭାଗ ନେବାର ସୁଯୋଗ ପାଇଛନ୍ତି। ଭିତ୍ତିଭୂମିର ଅଭାବ ଥାଇ ମଧ୍ୟ କେଛବାହାଲ ବିଦ୍ୟାଳୟ ପରିବେଶ ଶୈକ୍ଷିକ ବାତାବରଣକୁ ଉତ୍କୃଷ୍ଟ କରିଛି। ସୁନ୍ଦର ବଗିଚା ସହିତ କୁଣ୍ଡରେ ଫୁଲଗଛ ସମସ୍ତଙ୍କୁ ଆକର୍ଷଣ କରୁଛି। ଏହି ବିଦ୍ୟାଳୟ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି।

ବିଦ୍ୟାଳୟର ପାଠପଢା, ପରିବେଶ ଓ ଉପସ୍ଥାନକୁ ଦେଖି ଉପରିସ୍ଥ ଅଧିକାରୀମାନଙ୍କ ପ୍ରେରଣା ବିଦ୍ୟାଳୟକ ଆଗକୁ ନେବାରେ ସାହାଯ୍ୟ କରିଥିବା ପ୍ରଧାନ ଶିକ୍ଷକ ଦୁଲାମଣି ପଟେଲ କହିଛନ୍ତି। ବିଭିନ୍ନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ମୀନାରଣୀ ମଙ୍ଗଳ, ବ୍ଲକ ଶିକ୍ଷା ଅଧିକାରୀ, ଏବିଇଓ ଶ୍ରୀ ପ୍ରଧାନଙ୍କ ସମେତ ଅନ୍ୟ ଅଧିକାରୀମାନେ ବିଭିନ୍ନ ସମୟରେ ବିଦ୍ୟାଳୟ ପରିଦର୍ଶନରେ ଆସନ୍ତି। ଗତବର୍ଷ ଗ୍ରୀଷ୍ମ ଛୁଟିରେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ପିଲାମାନଙ୍କୁ ଅତିରିକ୍ତ ସମୟରେ ପାଠ ପଢ଼ାଇ ନିଆରା ଉଦାହରଣ ସୃଷ୍ଟି କରିଥିଲେ। ପରିଚାଳନା କମିଟିର ପ୍ରୟାସରୁ ବିଦ୍ୟାଳୟରେ ଏକ ସୁନ୍ଦର ପାଚେରି ନିର୍ମାଣ ସମ୍ଭବ ହୋଇଛି। ଶିକ୍ଷୟିତ୍ରୀ ସରସ୍ୱତୀ ମିଶ୍ରଙ୍କ କହିବା ଅନୁଯାୟୀ ୨୦୧୮ରେ ସେ ଏହି ସ୍କୁଲ୍‌କୁ ଆସିବା ପରେ ପିଲାଙ୍କ ଭିତରେ ପାଠ ପଢ଼ିବାରେ ଆଗ୍ରହ ସୃଷ୍ଟି କରିବାକୁ ପ୍ରୟାସ କରିଥିଲେ। ଗ୍ରାମର ଅଧିକାଂଶ ଗରିବ ଓ ଦିନ ମଜୁରିଆ ଥିବାରୁ ମାଗଣାରେ ନିଜ ଘରେ ପାଠ ପଢ଼ାଇବା ଆରମ୍ଭ କରିଥିଲେ। ଚଳିତ ବର୍ଷ ବିଦ୍ୟାଳୟରେ ପରୀକ୍ଷା ଫଳ ଭଲହେବ ବୋଲି ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର