ଭୁବନେଶ୍ୱର: ବାତ୍ୟା ‘ଦାନା’ ଓଡ଼ିଶାରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିବା ପରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିଥିବାବେଳେ ଆଜି ମୁଖ୍ୟ ସଚିବ ମନୋଜ ଆହୁଜା ସଚିବସ୍ତରୀୟ ବୈଠକ କରିଛନ୍ତି। ଏଥିରେ ଜନସାଧାରଣଙ୍କୁ ବାତ୍ୟା ପରେ ଯେପରି କମ୍ ସମୟରେ ଟେଲିଫୋନ୍ ସେବା, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ସେବା ଯୋଗାଇ ହେବ ଏବଂ ବାତ୍ୟା ପରେ ପରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ପୁନଃ ଚାଲୁ କରିବା ନେଇ ଆଲୋଚନା ହୋଇଛି।
ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ସଚିବ କହିଛନ୍ତି ଯେ ବାତ୍ୟା ହେଲେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇପାରେ। ଏହାପରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ତୁରନ୍ତ ପାନୀୟ ଜଳ ଯୋଗାଇବା ଆହ୍ବାନ ପାଲଟିବ। ଏହାକୁ ଦୃଷ୍ଟିରେ ରଖି ୨୩ ଓ ୨୪ ତାରିଖରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ସମସ୍ତ ଓଭରହେଡ୍ ପାଣି ଟାଙ୍କିଗୁଡ଼ିକୁ ଶତ ପ୍ରତିଶତ ପୂର୍ଣ୍ଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ବିଭିନ୍ନ ଡାକ୍ତରଖାନାରେ ଆବଶ୍ୟକ ଡିଜି/ଜେନେରେଟର ସେଟ୍ ସବୁବେଳେ କାର୍ଯ୍ୟକ୍ଷମ ରହିବାର ନିତାନ୍ତ ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଶକ୍ତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଅନ୍ୟ ବିଭିନ୍ନ ସେବା ପାଇଁ ପରସ୍ପର ମଧ୍ୟରେ ସମନ୍ୱୟ ରଖି ଆବଶ୍ୟକ ଜେନେରେଟର ସେଟ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜେନେରେଟର ସେଟ୍ଗୁଡ଼ିକ ଚାଲୁଛି କି ନାହିଁ ତାହା ଆଗୁଆ ଯାଞ୍ଚ କରିବା ଏବଂ ଆବଶ୍ୟକୀୟ ଡିଜେଲ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବାତ୍ୟା ପରବର୍ତ୍ତୀ ସମୟରେ ବିଭିନ୍ନ ସ୍ଥାନରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ବୈଠକରେ କୁହାଯାଇଛି। ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ଯେ ବାତ୍ୟାକୁ ନଜରରେ ରଖି ଆବଶ୍ୟକ ଜଳ ସଞ୍ଚୟ ରଖନ୍ତୁ। ବାତ୍ୟା ସମୟରେ ଓ ବାତ୍ୟା ପରବର୍ତ୍ତୀ ସମୟରେ ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଜଳର ଉପଯୁକ୍ତ ବ୍ୟବହାର କରନ୍ତୁ।
ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ
ଜଳ ସଂରକ୍ଷଣ କରି ରଖିବାକୁ ଜନସାଧାରଣଙ୍କୁ ନିବେଦନ
ବୈଠକରେ ଗତ ସେପ୍ଟେମ୍ବର ମାସ ସୁଦ୍ଧା ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ବାବଦରେ କରାଯାଇଥିବା ଖର୍ଚ୍ଚ ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା। ବଜେଟ୍ ଅନୁମୋଦନ ମୁତାବକ ଅର୍ଥର ଉପଯୋଗକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ଗତ ବର୍ଷ ତୁଳନାରେ ଚଳିତ ସେପ୍ଚେମ୍ବର ସୁଦ୍ଧା ରାଜ୍ୟର ନିଜସ୍ୱ ରାଜସ୍ୱ ଆଦାୟ ୧୩.୭୩% ବୃଦ୍ଧି ଘଟିଥିବା ବୈଠକରୁ ଜଣାଯାଇଛି। ଏହାସହ ଅନ୍ୟ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ବୈଠକରେ ଆଲୋଚନା ହୋଇଛି। ଆଜିର ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଦେଓ ରଞ୍ଜନ କୁମାର ସିଂହ , ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଜି. ମାଥିଭାଥନନ୍ଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, କମିସନରମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/23/QLfZfvicabbt2ce4R5XZ.jpg)