ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ, ରାସନ କାର୍ଡ ନଥିବା ପରିବାରଙ୍କୁ ରାସନ ପ୍ରସଂଗରେ ତଥ୍ୟ ରଖ

କଟକ: ରାସନ କାର୍ଡ ନଥିବା ଗରିବ ପରିବାରଙ୍କୁ ଖାଦ୍ୟଶସ୍ୟ, ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ପାଇଁ କି ପଦକ୍ଷେପ ଗ୍ରହଣ କରାଯାଇଛି, ସେ ସଂପର୍କରେ ଜବାବ ତଲବ କରିଛନ୍ତି ହାଇକୋର୍ଟ। କରୋନା ପରିସ୍ଥିତିରେ ଗରିବ ପରିବାର ସମସ୍ୟାରେ ପଡୁଥିବାରୁ ଉପରୋକ୍ତ ପ୍ରସଂଗରେ ସେପ୍ଟେମ୍ବର ୯ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଫୁଲ୍ଲ ସାମନ୍ତରାଙ୍କ ପକ୍ଷରୁ ଦାୟର ଏହି ମାମଲା ସହିତ ଡକ୍ଟର ବିଶ୍ବାବସୁ ଦାସ ଓ ଆଇନଜୀବୀ ଦିଲ୍ଲୀପ କୁମାର ରାୟଙ୍କ ଆବେଦନର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଯୁଗ୍ମ ସଚିବଙ୍କ ତରଫରୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରାଯାଇ ୩ କୋଟି ୩୫ ଲକ୍ଷ ୮୧ ହଜାର ୬୪୪ ଜଣଙ୍କୁ ଖାଦ୍ୟ ସୁରକ୍ଷା ପ୍ରଦାନ କରାଯାଇଛି ବୋଲି ଦର୍ଶାଯାଇଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ଅନ୍ତୋଦୟ ଅନ୍ନ ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ‘ଆତ୍ମନିର୍ଭର ଭାରତ ଯୋଜନା, ପ୍ରବାସୀ ଶ୍ରମିକଙ୍କ ସଂପର୍କିତ ସ୍ବତନ୍ତ୍ର ଯୋଜନାରେ କେତେ ଲୋକଙ୍କୁ ଖାଦ୍ୟଶସ୍ୟ ପ୍ରଦାନ କରାଯାଇଛି ସେ ନେଇ ତଥ୍ୟ ଦାଖଲ କରାଯାଇଥିଲା। କିନ୍ତୁ ଏହି ଜବାବରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ପ୍ରସଂଗରେ କିଛି ଉଲ୍ଲେଖ କରାଯାଇ ନଥିଲା। ଏଥି ସହିତ ରାସନ କାର୍ଡ ନଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାର ଗୁଡିକକୁ ମାଗଣା ଖାଦ୍ୟଶସ୍ୟ ପ୍ରଦାନ ପ୍ରସଂଗରେ ମଧ୍ୟ ଜବାବରୁ ସ୍ଥିତି ସ୍ପଷ୍ଟ ହୋଇ ନଥିଲା। ହାଇକୋର୍ଟ ଶୁଣାଣି ସମୟରେ ଏଭଳି ଜବାବ ତଲବ କରିଛନ୍ତି। ଶ୍ରୀ ସାମନ୍ତରାଙ୍କ ତରଫରୁ ଆଇନଜୀବୀ ଈଶ୍ବର ମହାନ୍ତି , ଶ୍ରୀ ଦାଶଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ଓ ଶ୍ରୀ ରାୟ ନିଜେ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର