ପେସା ଅଧ୍ୟାପନା, ‌ନିଶା ପୌରାଣିକ ନାଟ୍ୟ ପରମ୍ପରା ବଞ୍ଚାଇ ରଖିବା

ଅଭିନୟ ସହ ୮ଟି ଭାଷାରେ ଗାଇ ପାରୁଛନ୍ତି ଗୀତ, ନିର୍ଦ୍ଦେଶନା ସହ ପ୍ରତିଭାବାନ୍‌ କଳାକାର ସୃଷ୍ଟି କରି ଚାଲିଛନ୍ତି

ପାତ୍ରପୁର : ପେସା ଅଧ୍ୟାପନା। କିନ୍ତୁ ନିଶା ହେଉଛି ଭାରତଲୀଳା ଓ ରାମାୟଣ ସମେତ ବିଭିନ୍ନ ପୌରାଣିକ ନାଟକ ପରମ୍ପରାକୁ ବଞ୍ଚାଇ ରଖିବା ଏବଂ ଏଥିରେ ଅଭିନୟ କରିବା। କେବଳ ଏତିକି ନୁହେଁ, ୮ଟି ଭାଷାରେ ଗୀତ ମଧ୍ୟ ଗାଇ ପାରୁଛନ୍ତି। ଏହା ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ଏହାସହ ବଳିଷ୍ଠ ନିଦ୍ଦେର୍ଶନା ଓ ତାଲିମ ମାଧ୍ୟମରେ ସେ ଅନେକ କଳାକାର ସୃ୍ଷ୍ଟି କରିବା ସହ ନିଜର ଏହି ଅନନ୍ୟ ପ୍ରତିଭା ପାଇଁ ସେ ଉତ୍କଳ ସମ୍ମିଳନୀ ସମେତ ଆନ୍ଧ୍ରପ୍ରଦେଶ ସରକାର ଓ ବିଭିନ୍ନ ସଂଗଠନ ଦ୍ବାରା ପୁରସ୍କୃତ ହୋଇଛନ୍ତି।

ଏମିତି ଜଣେ ନିଆରା ବ୍ୟକ୍ତିତ୍ବ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଆନ୍ଧ୍ରଓଡ଼ିଶା ସୀମାନ୍ତ ବୁଡ଼ାରସିଙ୍ଗି ଗ୍ରାମର ମୂଳବାସିନ୍ଦା ତଥା ବର୍ତ୍ତମାନ ସାମନ୍ତିଆପଲ୍ଲୀସ୍ଥିତ ଶ୍ରୀ ଭରତପତି ମହାବିଦ୍ୟାଳୟରେ ଶିକ୍ଷା ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଜଳନ୍ଧର ସାହୁ। ପାଶ୍ଚାତ୍ୟ ଯୁଗରେ ପୁରାତନ ସଂସ୍କୃତି, ପରମ୍ପରା ଓ ଲୋକକଳା ବିଲୁପ୍ତ ହେବାକୁ ବସିଥିବା ବେଳେ ଜଳନ୍ଧର ଏହାକୁ ବଞ୍ଚାଇ ରଖିବା, ପ୍ରତିଭାବାନ୍ ଯୁବପିଢ଼ିଙ୍କୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ସେ ସୀମାନ୍ତରେ ପୌରାଣିକ ନାଟକର ବାର୍ତ୍ତାବହ ଭାବେ ସମସ୍ତଙ୍କ ମହଲରେ ପରିଚିତ ହୋଇପାରିଛନ୍ତି।

ଗଣେଶ ସାହୁ ଓ କାନ୍ତାଙ୍କ ସାନପୁଅ ଜଳନ୍ଧର ୧୯୯୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଗ୍ରାମ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ସରିବା ପରେ ଏହାପରଠୁ ସେ ପଛକୁ ଫେରିନାହାନ୍ତି। ଶିକ୍ଷା ଜୀବନର ୨୮ ବର୍ଷ ମଧ୍ୟରେ ସେ ୮ଟି ଡିଗ୍ରୀ ହାସଲ କରିଛନ୍ତି। ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟରେ ଓଡ଼ିଆରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ବେଳେ ତିରୁପତିସ୍ଥିତ ‌ଭେଙ୍କେଟେଶ୍ବର ବିଦ୍ୟାଳୟରେ ଇଂରାଜୀ ପିଜିରେ ଅଧ୍ୟୟନ କରିଥିଲେ। ଆନ୍ଧ୍ର ବିଶ୍ବବିଦ୍ୟାଳୟରେ ବିଇଡି ଓ ଏମଇଡି ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଆଉ ବର୍ତ୍ତମାନ ସାମନ୍ତିଆପଲ୍ଲୀ ଶ୍ରୀ ଭରତପତି ମହାବିଦ୍ୟାଳୟରେ ଶିକ୍ଷା ବିଭାଗରେ ଅଧ୍ୟାପକ ଭାବେ ଚାକିରି କରୁଛନ୍ତି।

ତେବେ ପିଲାଟି ଦିନରୁ ହିଁ ନାଟକ ଓ କଳା ପ୍ରତି ଜଳନ୍ଧରଙ୍କ ଦୁର୍ବଳତା ରହିଥିଲା। ଏଥିପାଇଁ ବିଭିନ୍ନ ନାଟକରେ ସେ ଶିଶୁ କଳାକାର ଭାବେ ଅଭିନୟ କରୁଥିଲେ। ୨୦୧୭ରେ ପୌରାଣିକ ନାଟକ ଭାରତଲୀଳାରେ ଦୁଆରୀ ଭୂମିକାରେ ତାଙ୍କ ବଳିଷ୍ଠ ଅଭିନୟ ବିଭିନ୍ନ ମହଲରେ ପ୍ରଶଂସା ସାଉଁଟିଥିଲା। ପରେ ଭୂତକେଳି, ମହାଭାରତ ଓ ରାମାୟଣରେ ମଧ୍ୟ ଅଭିନୟ କରିଥିଲେ। ଏହାସହ ସୀମାନ୍ତ ଅଞ୍ଚଳ ତୁଳସୀଗାଁ, ବୁଡ଼ାରସିଙ୍ଗି ଓ ବିରିବାଡ଼ିଆ ଗ୍ରାମରେ ନାଟକରେ ନିର୍ଦ୍ଦେଶନା ଦେଇଥିଲେ। ସେହିଭଳି ହିନ୍ଦୁସ୍ତାନୀ ଶାସ୍ତୀୟ ସଙ୍ଗୀତ ନିର୍ଦ୍ଦେଶନା ଦେଇ ନୂଆ ପରିଚୟ ତିଆରି କରିଥିଲେ।

ବର୍ତ୍ତମାନ ଜଳନ୍ଧର ଓଡ଼ିଆ, ସମ୍ବଲପୁରୀ, ତେଲୁଗୁ, ତାମିଲ୍, ହିନ୍ଦୀ, ଇଂରାଜୀ ଓ କନ୍ନଡ଼ ପ୍ରମୁଖ ଆଠଟି ଭାଷାରେ ଗୀତ ଗାଇପାରୁଛନ୍ତି। ଏଥିପାଇଁ ତାଙ୍କୁ ଆନ୍ଧ୍ର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପୁରସ୍କୃତ କରିଛନ୍ତି। ଏହାସହ ଉତ୍କଳ ସମ୍ମିଳନୀ ଏବଂ ଆନ୍ଧ୍ରପ୍ରଦେଶର ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀଙ୍କଠାରୁ ସେ ପୁରସ୍କାର ପାଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଏହାସହ ସେ ଆନ୍ଧ୍ର ଓଡ଼ିଶା କଳାକାର ମହାସଂଘର ସଭାପତି ଭାବେ ଦାୟିତ୍ବ ମଧ୍ୟ ତୁଲାଇଛନ୍ତି। ଲୋକକଳା ଓ ସଂସ୍କୃତିର ପୁନରୁଦ୍ଧାର ଏବଂ ଏହାର ପ୍ରଚାରପ୍ରସାର ତାଙ୍କର ମୂଳ ଲକ୍ଷ୍ୟ ବୋଲି ଜଳନ୍ଧର କହିଛନ୍ତି।

ସମ୍ବନ୍ଧିତ ଖବର