ସମ୍ବଲପୁର: ବିପୁଳ ଜଳ ସମ୍ବଳ ସହ ଉପଯୁକ୍ତ ଜ୍ଞାନକୌଶଳର ପ୍ରୟୋଗ ଓ ଲୋକଙ୍କ ଭାଗୀଦାରି ହୀରାକୁଦ ଜଳଭଣ୍ଡାରରେ କେଜ୍ ଫିସ୍ କଲ୍ଚର୍କୁ ଏକ ସଫଳ ମଡେଲ୍ରେ ପରିଣତ କରିଛି ବୋଲି ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଛନ୍ତି। ଗତ ସପ୍ତାହରେ ଶ୍ରୀ ମହାପାତ୍ର ସମ୍ବଲପୁର ଗସ୍ତରେ ଆସିଥିବାବେଳେ ହୀରାକୁଦ ଜଳଭଣ୍ଡାରର ଆବଦ୍ଧ ମାଛ ଚାଷ (କେଜ୍ କଲ୍ଚର୍) ପରିଦର୍ଶନ କରିଥିଲେ। ଏଥି ସହ ମାଛ ଚାଷୀ, ଉଦ୍ୟୋଗୀ ଓ ବିଭାଗୀୟ ଅଧିକାରୀ ମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସେ ମଧ୍ୟ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଏହା ଉପରେ ଉଚ୍ଚସ୍ତରୀୟ ସମୀକ୍ଷା କରି ଶ୍ରୀ ମହାପାତ୍ର କହିଛନ୍ତି ଯେ ହୀରାକୁଦ କେଜ୍ କଲ୍ଚର ଏକ ସଫଳ ମଡେଲ୍ରେ ପରିଣତ ହେବାକୁ ଯାଉଛି।
ଏହା ନିକଟ ଭବିଷ୍ୟତରେ ଓଡ଼ିଶାର ମଧୁର ମାଛ ଉତ୍ପାଦନକୁ ବହୁଗୁଣିତ କରିବ। ଏଥି ସହ ଅଞ୍ଚଳର ଆର୍ଥିକ ବିକାଶରେ ମଧ୍ୟ ଏହା ସହାୟକ ହେବ ବୋଳି ସେ ମତ ଦେଇଛନ୍ତି। ମାଛଚାଷ କାର୍ଯ୍ୟର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ରାଜ୍ୟ ସରକାର ହୀରାକୁଦ ଜଳଭଣ୍ଡାରରେ ମାଛ ପହଞ୍ଚାଇବା ନିମନ୍ତେ ଭାସମାନ ଜେଟି, ସାଧାରଣ ସୁବିଧା କେନ୍ଦ୍ର, ମତ୍ସ୍ୟ ପରୀକ୍ଷାଗାର ଆଦି ଭିତ୍ତିଭୂମି ନିର୍ମାଣ କରୁଛନ୍ତି। ଖୁବ୍ ଶୀଘ୍ର ଏଗୁଡ଼ିକ କାର୍ଯ୍ୟକାରୀ ହେବ ବୋଲି ଟ୍ବିଟ୍ ଜରିଆରେ ସୂଚନା ଦେଇଛନ୍ତି। ନିଜ ହୀରାକୁଦ ଗସ୍ତବେଳେ ଶ୍ରୀ ମହାପାତ୍ର କେଜ୍ ଫିସ୍ କଲ୍ଚର୍ର ବିକାଶ ନିମନ୍ତେ ସରକାର ଆବଶ୍ୟକୀୟ ଭିତ୍ତିଭୂମି ଓ ସହଯୋଗ ଯୋଗାଇଦେବେ ବୋଲି ଉଦ୍ୟୋଗୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସାଧାରଣ ସୁବିଧା କେନ୍ଦ୍ରରେ ଚାଷୀମାନେ କେଜରୁ ମାଛ ଧରି ବିପଣୀ ନିମନ୍ତେ ବର୍ଗୀକରଣ, ଓଜନ ଓ ପ୍ରକ୍ରିୟାକରଣ କରିପାରିବେ। ସେଠାରେ ଚାଷୀଙ୍କ ପାଇଁ ପାଣି, ବିଦ୍ୟୁତ, ପରିଚ୍ଛନ୍ନତା ଓ ଶୌଚାଳୟ ଆଦିର ବ୍ୟବସ୍ଥା ରହିବ। ସେହିପରି ମତ୍ସ୍ୟ ଚାଷ ଗବେଷଣା ପରୀକ୍ଷାଗାର ଜଳଜୀବ ସ୍ୱାସ୍ଥ୍ୟ ନିରୀକ୍ଷଣ ଏବଂ ପରିବେଶ ସନ୍ତୁଳନ ଅନୁଧ୍ୟାନ ଆଦିରେ ସହାୟକ ହେବ। ମାଛ ଚାଷୀ ମାନେ କେଜ୍ରେ ବଢ଼ୁଥିବା ମାଛଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଗୁଣାତ୍ମାକମାନର ଉତ୍ପାଦନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେଇପାରିବେ।
ଜଳଭଣ୍ଡାର ଉପରିଭାଗର ୧% ଅଂଚଳରେ ଏହି ଆବଦ୍ଧ ମାଛ ଚାଷକୁ ସୀମିତ ରଖିବା ଲାଗି ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହୀରାକୁଦର ମତ୍ସ୍ୟ ଓ ପଶୁସଂପଦ ବିକାଶ ଉପ ନିର୍ଦ୍ଦେଶକ ଜଣାଇଥିଲେ ଯେ ଜାତୀୟ ନୀୟମାବଳି ଅନୁଯାୟୀ ନିର୍ଦ୍ଧାରିତ ସୀମାଠାରୁ ବହୁ କମ୍ ଅଂଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୨ଟି କେଜ୍ ମାଛଚାଷ ଜୋନ୍ ଏବଂ ୬୨୫ଟି ସବ୍ଜୋନ ଚିହ୍ନଟ କରାଯାଇଛି। ଏହା ମଧ୍ୟରୁ ୧୦୧ଟି ସବ୍ ଜୋନକୁ ପୁଞ୍ଜିନିବେଶ ଆଗ୍ରହ ଭିତ୍ତିରେ ଚୟନ ହୋଇଥିବା ଉଦ୍ୟୋଗୀ ମାନଙ୍କୁ ଲିଜ୍ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ ୭୧ ଜଣ ଉଦ୍ୟୋଗୀ ବିଭାଗ ସହ ବୁଝାମଣାପତ୍ର ସ୍ୱାକ୍ଷର କରି କ୍ଷେତ୍ରସ୍ତରୀୟ କାମ ଆରମ୍ଭ କରିଛନ୍ତି। ୩୦ଟି ସବ୍ ଜୋନରେ କେଜ୍ ସ୍ଥାପନ କାର୍ଯ୍ୟ ସରିଛି। ଉଦ୍ୟୋଗୀମାନଙ୍କୁ ନିୟମିତ ଯୋଗାଯୋଗ ଓ ବୈଷୟିକ ଜ୍ଞାନକୌଶଳ ସଂପ୍ରସାରଣ ମାଧ୍ୟମରେ ଉତ୍ସାହିତ କରି ଆଗାମୀ ୬ ମାସରେ ଅବଶିଷ୍ଟ ସବ୍ ଜୋନ ମାନଙ୍କରେ କେଜ୍ ସ୍ଥାପନ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗୋଟିଏ ସବ୍ ଜୋନରେ ୧୬ ମିଟର୍ ବ୍ୟାସ ଓ ୫ ମିଟର୍ ଗଭୀରତାର ୩ଟି ଗୋଲାକାର କେଜ୍ କିମ୍ବା ୪ ଗୁଣା ୬ ଗୁଣା ୪ ମିଟରର ୨୪ଟି ଆୟତ୍ତାକାର କେଜ୍ ସ୍ଥାପନ କରାଯାଇ ପାରିବ। ପ୍ରତି ଗୋଲାକାର କେଜ୍ରୁ ଥରକେ ୨୫ ରୁ ୩୦ ଟନ୍ ମାଛ ଅମଳ କରାଯାଇ ପାରିବ। ଆବଣ୍ଟିତ ସବ୍ଜୋନ ଗୁଡିକରେ ଉତ୍ପାଦନ ଆରମ୍ଭ ହେଲେ ଥରକେ ପ୍ରାୟ ୧୪,୫୦୦ ଟନ୍ରୁ ଅଧିକ ମାଛ ଅମଳ ହୋଇପାରିବ। ହୀରାକୁଦ ଜଳଭଣ୍ଡାର ଉପରିଭାଗରେ ୧୮୭୫ ଟି ଗୋଲାକାର କେଜ୍ କିମ୍ବା ୧୫,୦୦୦ ଆୟତ୍ତାକାର କେଜ୍ ପ୍ରତିଷ୍ଠା କରାଯାଇ ପାରିବ। ଏସବୁରୁ ଥରକେ ପ୍ରାୟ ୪୫,୦୦୦ ଟନ୍ରୁ ଅଧିକ ମଧୁର ଜଳ ମାଛ ଅମଳ ହେବ। ଉଦ୍ୟୋଗୀମାନଙ୍କୁ ଅମଳ ମାଛର ବିତରଣ ନିମନ୍ତେ ବଜାର ସଂଯୋଗ ପରାମର୍ଶ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।