ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ରେତ ଜଳସେଚନ ପ୍ରକଳ୍ପରେ କେଳେଙ୍କାରୀ ଯୋଗୁଁ ୮୬ କୋଟି ଟଙ୍କାର ପ୍ରକଳ୍ପ ୭୬୮ କୋଟିରେ ପହଞ୍ଚିଛି। ୫ ବର୍ଷ ପରେ କେନାଲ ଭୁଶୁଡ଼ିବା ଓ ତଳମୁଣ୍ଡକୁ ଠିକ୍ ଭାବରେ ପାଣି ପହଞ୍ଚୁ ନଥିବା ଯୋଗୁଁ ପ୍ରାୟ ୧୦୦ କୋଟିରୁ ଅଧିକ ଟଙ୍କାର ଲାଇନିଂ ପାଇଁ ଡିପିଆର୍ ପ୍ରସ୍ତୁତ ହୋଇଛି। ବର୍ତ୍ତମାନ ବିଭିନ୍ନ ଛୋଟଛୋଟ କାମ ମାଧ୍ୟମରେ ଠିକାଦାରଙ୍କ ପାଇଁ ରେତ ପ୍ରକଳ୍ପ ଦୁଧିଆଳି ଗାଈ ସାଜିଛି। ଏହି ପ୍ରକଳ୍ପର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବିଭାଗୀୟ ଦୁର୍ନୀତିର ପର୍ଦ୍ଦାଫାସ୍ ହୋଇପାରନ୍ତା ବୋଲି ଚାଷୀ ମହଲରେ ଦାବି ହେଉଛି। କଳାହାଣ୍ଡି ଜିଲ୍ଲାର ରେତ ଜଳସେଚନ ପ୍ରକଳ୍ପ ପାଇଁ ପ୍ରାରମ୍ଭିକ ବ୍ୟୟ ଅଟକଳ ୮୬ କୋଟି ୧୪ ଲକ୍ଷ ଟଙ୍କା ଥିବାବେଳେ ଏହାର ଖର୍ଚ୍ଚ ୭୬୮ କୋଟି ଟଙ୍କାରେ ପହଞ୍ଚିଛି। ରେତ ପ୍ରକଳ୍ପ ଭବାନୀପାଟଣା ଉପଖଣ୍ଡ ନର୍ଲା ବ୍ଲକ ଅନ୍ତର୍ଗତ କୁଟିଙ୍ଗପଦରରେ ୨୬୨ ବର୍ଗ କିମି ପରିଧି ମଧ୍ୟରେ ନିର୍ମାଣ ହୋଇଛି। ଏହାଦ୍ୱାରା ୧୫ଟି ଗାଁ ପ୍ରଭାବିତ ହେବା ସହ ୭୯୮ ପରିବାର ବିସ୍ଥାପିତ ହୋଇଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ଖରିଫ୍ ଋତୁରେ ଲାଞ୍ଜିଗଡ଼, ନର୍ଲା ସମେତ ଭବାନୀପାଟଣା ସଦର ବ୍ଲକର କିଛି ପଞ୍ଚାୟତର ୯୭ଟି ଗାଁରେ ୮ ହଜାର ୫୦୦ ହେକ୍ଟର ଜମି ଜଳସେଚିତ ହେଉଛି। ସେହିଭଳି ରବି ଋତୁରେ ୨୫୫୦ ହେକ୍ଟର ଜମିରେ ଚାଷ ହେଉଛି। ଅନ୍ୟପକ୍ଷେ ରେତ ପ୍ରକଳ୍ପ ଏଆଇବିପି ଯୋଜନା ମାଧ୍ୟମରେ ୮୬ କୋଟି ୧୪ ଲକ୍ଷ ଟଙ୍କା ବ୍ୟୟରେ ୨୦୦୫ ମସିହାରେ ଆରମ୍ଭ ହୋଇ ୨୦୧୩ ମାର୍ଚ୍ଚ ସୁଦ୍ଧା ଶେଷ ହେବା କଥା। କିନ୍ତୁ ଏହା ୨୦୧୮ ମସିହାରେ ଶେଷ ପର୍ଯ୍ୟାୟରେ କାମ ହୋଇଥିଲା। ୨୦୧୮ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ଟ୍ରାଏଲ ରନ୍ରେ ପାଣି କେନାଲରେ ଛଡ଼ା ଯାଇଥିଲା। ୨୦୨୧ ମସିହାଠାରୁ ଉଭୟ ବାମ ଓ ଦକ୍ଷିଣ କେନାଲରେ ପାଣି ଛଡ଼ା ଯାଇଥିଲା। ୨୦୨୧ ମସିହାରୁ ୨୦୨୫ ମସିହା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କେନାଲ ଭାଙ୍ଗିଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ମଧ୍ୟ ଦେପୁର ନିକଟରେ କେନାଲ ଭାଙ୍ଗିଥିଲା।
ଲାଇନିଂ ପାଇଁ ୧୦୦ କୋଟିର ଡିପିଆର୍ ପ୍ରସ୍ତୁତ
ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ କେନାଲର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୧୯ ମସିହାରେ ତରବରିଆ ଭାବେ ଏହି ପ୍ରକଳ୍ପକୁ ଉଦ୍ଘାଟନ କରାଯାଇଥିଲା। ଫଳରେ ମୁଖ୍ୟ କେନାଲ ଓ ଶାଖା କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି। ପରୀକ୍ଷାମୂଳକ ଭାବେ ପାଣି ଛଡ଼ା ଯାଉଥିବାବେଳେ ଡ୍ୟାମ୍ର ବାମ ଓ ଡାହାଣ କେନାଲ ଶଯ୍ୟା ପୋତିହେବାକୁ ବସିଲାଣି। ଓସିସିଏଲ୍ର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଡ୍ୟାମ୍ ନିର୍ମାଣ କାମ ହେଉଛି। କିନ୍ତୁ ଏଥିରେ ବଡ଼ଧରଣର ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ସରକାରଙ୍କ କ୍ୟାପେକ୍ସ ଯୋଜନାଠାରୁ ଆରମ୍ଭ କରି ବିଭିନ୍ନ ଛୋଟଛୋଟ କାମ ଜରିଆରେ ସରକାରୀ ଅର୍ଥରେ ଠିକାଦାର ପୋଷା ଯାଉଥିବା ଚାଷୀମାନେ ସଂଗିନ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ମଧ୍ୟ କ୍ୟାପେକ୍ସରେ ରାସ୍ତା ନିର୍ମାଣ ପାଇଁ ୮୦ ଲକ୍ଷ ଟଙ୍କା, କେନାଲ ଲାଇନିଂ ପାଇଁ ପ୍ରାୟ ୧୦୦ କୋଟିରୁ ଅଧିକ ଟଙ୍କାର ଡିପିଆର୍ ପ୍ରସ୍ତୁତ ହୋଇ ରହିଛି। ସେହିଭଳି ବିଭିନ୍ନ ଛୋଟଛୋଟ ଠିକା ଜରିଆରେ କେନାଲ ମରାମତି କରାଯାଉଥିଲେ ମଧ୍ୟ ବୁସ୍କଟିଂ ଓ ମରାମତି ନାମରେ ବ୍ୟାପକ ହରିଲୁଟ୍ ଚାଲିଥିବା ଅଭିଯୋଗ ହେଉଛି। ଏନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଗୁମର ଲୋକଲୋଚନକୁ ଆସି ପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏନେଇ ଅଧିକ୍ଷଣ ଯନ୍ତ୍ରୀ ଅନନ୍ତ ନାଏକଙ୍କୁ ପଚାରିବାରୁ କେନାଲ ଲାଇନିଂ ପାଇଁ ପ୍ରାୟ ୧୦୦ କୋଟିର ଡିପିଆର୍ ପ୍ରସ୍ତୁତ ହୋଇଥିବା କହିଛନ୍ତି। ସେହଭଳି କ୍ୟାପେକ୍ସ ଓ ଅନ୍ୟ ଯୋଜନାରେ ଅନୁଦାନ ନିମନ୍ତେ ଡିପିଆର୍ ମଧ୍ୟ ହୋଇଛି। ଛୋଟଛୋଟ କାମ ମାଧ୍ୟମରେ କେନାଲ ମରାମତି କାମ କରାଯାଉଥିବା ସ୍ବୀକାର କରିଛନ୍ତି। ସମ୍ପୂର୍ଣ୍ଣ ଲାଇନିଂ କାମ କରାଗଲେ ତଳମୁଣ୍ଡରେ ଚାଷୀ ଠିକ୍ ଭାବରେ କେନାଲ ପାଣି ପାଇପାରିବେ ବୋଲି ଶ୍ରୀ ନାଏକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/08/fshshfsfh-2025-10-08-01-34-52.jpg)