ପ୍ରାକୃତିକ ଉପାୟରେ ଭାଙ୍ଗିଛି କେଲୁଅ ନଦୀବନ୍ଧ: ଲୋକାୟୁକ୍ତ

ହାଇକୋର୍ଟ ଯିବେ, କହିଲେ ସୂଚନା କର୍ମୀ

ଯାଜପୁର : ଧର୍ମଶାଳା ବ୍ଲକ୍‌ ରମାପୁରଠାରେ ବ୍ରାହ୍ମଣୀ ନଦୀର ଶାଖା କେଲୁଅ ନଦୀବନ୍ଧ ପ୍ରାକୃତିକ ଉପାୟରେ ଭାଙ୍ଗିଛି। କୃତ୍ରିମ ଉପାୟରେ କିମ୍ବା ଡିନାମାଇଟ୍‌ ଯୋଗେ ଏହି ବନ୍ଧକୁ ଉଡ଼ାଇ ଦିଆଯାଇଥିବାର କୌଣସି ପ୍ରମାଣ ପାଇନାହିଁ ଭିଜିଲାନ୍ସ। ମାମଲାର ତଦନ୍ତ କରୁଥିବା ଭିଜିଲାନ୍ସ ବିଭାଗ ଏଭଳି ରିପୋର୍ଟ ଦେବା ସହ ବହୁଚର୍ଚ୍ଚିତ ଏହି ମାମଲାରେ ଯବନିକା ପଡ଼ିଛି। ଲୋକାୟୁକ୍ତଙ୍କ ନିକଟରେ ଆଜି ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ଥିଲାବେଳେ ଏଥିରେ ପକ୍ଷଭୁକ୍ତ ଧର୍ମଶାଳା ବିଧାୟକଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ କ୍ଲିନ୍‌ଚିଟ୍‌ ଦିଆଯାଇଛି।

୨୦୨୦ ଅଗଷ୍ଟ ବନ୍ୟାରେ କେଲୁଅ ନଦୀବନ୍ଧ ଧୋଇଯାଇଥିଲା। ଡିନାମାଇଟ୍‌ ଲଗାଇ ଏହି ସୁଦୃଢ଼ ନଦୀବନ୍ଧ ରାସ୍ତାକୁ ଉଡ଼ାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା ୨୦୨୦ ସେପ୍ଟେମ୍ବର ୮ ରେ ଏ ସଂକ୍ରାନ୍ତରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ନିର୍ମାଣ ବିଭାଗ ମୁଖ୍ୟ ଯନ୍ତ୍ରୀ, ଯାଜପୁର ଜିଲ୍ଲାପାଳ, ନିର୍ବାହୀ ଯନ୍ତ୍ରୀ ଆର୍‌ ଆଣ୍ଡ ବି ପାଣିକୋଇଲି, ଜଳସେଚନ ବିଭାଜନ ଜାରକା ଉପନିର୍ବାହୀ ଯନ୍ତ୍ରୀ, ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ପାଣିକୋଇଲି ଆର୍‌ ଆଣ୍ଡ ବି ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ନରେନ ଜେନାଙ୍କ ନାମରେ ଏହି ଅଭିଯୋଗ ହୋଇଥିଲା। ଲୋକାୟୁକ୍ତ ଏହି ଘଟଣାର ତଦନ୍ତ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ। ଭିଜିଲାନ୍ସ ଏହାର ତଦନ୍ତ କରି ଲୋକାୟୁକ୍ତଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲା। ଲୋକାୟୁକ୍ତ ଏହାର ଚୂଡ଼ାନ୍ତ ଶୁଣାଣି କରି ଏହି ବନ୍ଧ ପ୍ରାକୃତିକ ଉପାୟରେ ଭାଙ୍ଗିଥିବା ରାୟ ଦେଇଥିଲେ। ଏ ନେଇ ଶ୍ରୀ ବେହୁରା ପ୍ରତିକ୍ରିୟାରେ ‘ସମ୍ବାଦ’କୁ କହିଛନ୍ତି, ମନୁଷ୍ୟକୃତ ଘାଇର ତଦନ୍ତ କରି ଭିଜିଲାନ୍ସ ଭୁଲ୍‌ ରିପୋର୍ଟ ଦେଇଛି। ଏ ନେଇ ହାଇକୋର୍ଟରେ ମାମଲା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର