ସରିନି ‌କେନାଲ ନବୀକରଣ କାମ: ହୀରାକୁଦ ଜଳଭଣ୍ଡାରରୁ ପାଣି ଛାଡ଼ିବାରେ ବିଳମ୍ବ

ସମ୍ବଲପୁର : ସରିନି କେନାଲ ନବୀକରଣ କାମ। ଏଭଳି ସ୍ଥିତିରେ ଏଥର ହୀରାକୁଦ ଜଳଭଣ୍ଡାରରୁ ପାଣି ଛାଡ଼ିବାରେ ବଳିମ୍ବ ହେବ ବୋଲି ଜଣାପଡ଼ିଛି।

ରାଜ୍ୟ ସରକାର ଚାଷୀମାନଙ୍କ ଦାବିକୁ ଗୁରୁତ୍ବ ଦେବା ସହିତ ହୀରାକୁଦ ଜଳଭଣ୍ଡାର କେନାଲ ବ୍ୟବସ୍ଥାକୁ ସୁଦୃଢ଼ କରିବା ବ୍ୟାପକ ପଦକ୍ଷେପ ନେଇଛନ୍ତି। ବରଗଡ଼ ମୁଖ୍ୟ କେନାଲ ଏବଂ ଶାସନ ମୁଖ୍ୟ କେନାଲ ସହିତ ଏଥିରୁ ବାହାରିଥିବା ଶାଖା କେନାଲଗୁଡ଼ିକର ନବୀକରଣ ପାଇଁ ପ୍ରାୟ ୩୧୬.୫୨ କୋଟି ଅର୍ଥ ମଂଜୁର ହୋଇଛି। ନିକଟରେ ବରଗଡ଼ ମୁଖ୍ୟ କେନାଲ ନିମନ୍ତେ ୧୭୮.୧୨ କୋଟି ଟଙ୍କା କ୍ୟାବିନେଟ୍ ଅନୁ‌ମୋଦନ ଲାଭ କରିଥିଲେହେଁ କାମ ଆରମ୍ଭ ହୋଇପାରିନାହିଁ। ତ‌େବେ, ବରଗଡ଼ ମୁଖ୍ୟ କେନାଲରୁ ବାହାରିଥିବା ଡୁଙ୍ଗୁରିପାଲି ମାଇନର୍‌ କେନାଲ ୧୯.୨୪ କୋଟି, କୁଇବାହାଲ-ମହଦା ମାଇନର୍ କେନାଲ ୯.୪୩ କୋଟି ଟଙ୍କା ବ୍ୟୟରେ କଂକ୍ରିଟକରଣ(କଂକ୍ରିଟ ଲାଇନିଂ) କାମ ହେଉଛି। ଡୁଙ୍ଗୁରିପାଲି ମାଇନର୍ କେନାଲ ଏଚ୍ଏମ୍‌ କନ୍‌ଷ୍ଟ୍ରକ୍ଟସନ୍ ଏବଂ କୁଇବାହାଲ-ମହଦା ମାଇନର୍ କେନାଲ କଂକ୍ରିଟକରଣ କାମ ଶିବଜ୍ୟୋତି କନ୍‌ପ୍ରୋ ପ୍ରାଇଭେଟ୍‌ ଲିମିଟିଡ୍ କରୁଛି। ସେହିପରି ବହୁ ପ୍ରତୀକ୍ଷିତ ଶାସନ କେନାଲ କଂକ୍ରିଟ୍‌କରଣ କାମ ପାଇଁ ୬୩ .୦୪ ‌କୋଟି ଟଙ୍କା ବ୍ୟୟରେ କାମ ହେଉଛି। ଶାସନ କେନାଲ ମୁହାଣରୁ ୧୫ କିଲୋମିଟର ପର୍ଯ୍ୟନ୍ତ କଂକ୍ରିଟକରଣ କାମ ଆରମ୍ଭ ହେବାକୁ ଥିବାବେଳେ ଏହି ଋତୁରେ ୪ କିଲୋମିଟର ପର୍ଯ୍ୟନ୍ତ କଂକ୍ରିଟ୍‌କରଣ କରାଯିବାର ଲକ୍ଷ୍ୟ ରହିଛି। ପ୍ରତିବର୍ଷ ଜୁନ୍ ୧୬/୧୭ ତାରିଖ ଦିନ ହୀରାକୁଦ ଜଳଭଣ୍ଡାରରୁ ଚାଷ କାମ ପାଇଁ କେନାଲଗୁଡ଼ିକରେ ପାଣି ଛଡ଼ାଯାଇଥାଏ। ମାତ୍ର, ଚଳିତ କେନାଲ କଂକ୍ରିଟ୍‌କରଣ କାମ ଯୋଗୁ ଏହା ବିଳମ୍ବ ହେବ ବୋଲି ଜଣାପଡ଼ିଛି।

ଏ ସଂକ୍ରାନ୍ତରେ ଅପର୍‌ ମହାନଦୀ ବେସିନ୍‌ର ବେସିନ ମ୍ୟାନେଜର ତଥା ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ କହିଲେ, ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ କେନାଲ କଂକ୍ରିଟ୍‌କରଣ କାମ କରିବାକୁ ଅନୁମତି ଦିଆଯାଇଛି।‌ ତେବେ, ପାଣିପାଗକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ଉଲ୍ଲେଖ‌ଯୋଗ୍ୟ ଯେ ପର୍ଯ୍ୟାୟକ୍ରମେ କେନାଲର ଶଯ୍ୟା ସହିତ ଉଭୟ ପାର୍ଶ୍ବ ହିଡ଼ର କଂକ୍ରିଟକରଣ କରାଯିବାର ଯୋଜନା ରହିଛି। କଂକ୍ରିଟକରଣ ହେଲେ କେନାଲ ହିଡ଼ ସୁରକ୍ଷିତ ରହିବା ସହିତ ପାଣି ବି ଆଗ ଭଳି ନଷ୍ଟ ହେବନାହିଁ। କେନାଲ ଶଯ୍ୟାରେ ଏକ ପ୍ରକାର ଘାସ ବଢ଼ିଥାଏ। ଏହାଦ୍ବାରା କେନାଲରେ ଜଳ ପ୍ରବାହରେ ସମସ୍ୟା ସୃଷ୍ଟି ହୋଇଥାଏ। ପୂର୍ଣ୍ଣ କ୍ଷମତା ଅନୁଯାୟୀ ପାଣି ଛଡ଼ାଯିବା ସମୟରେ ଅନେକ ଥର କେନାଲର ହିଡ଼ ବି ଭାଙ୍ଗିଛି । କେନାଲର ଶଯ୍ୟା ଓ ହିଡ଼ ପାର୍ଶ୍ବ କଂକ୍ରିଟକରଣ ହେବା ପରେ ‌ସେହି ଭୟ କମିଯିବ। କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚୁ ନଥିବାରୁ ଚାଷୀମାନଙ୍କ ଯେଉଁ ଫସଲ ହାନି ହେଉଥିଲା, ଏବେ ସେହି ସମସ୍ୟା ଦୂର ହୋଇଯିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର