ଗାଁ ଦାଣ୍ଡରେ ଶୁଭୁନି ଯୋଗୀର କେନ୍ଦରା ଗୀତ

ଅସୁରାଳି: ଆମ ରାଜ୍ୟର ବିବିଧ ସାଂସ୍କୃତିକ ଐତିହ୍ୟ ମଧ୍ୟରୁ ଯୋଗୀ ସମ୍ପ୍ରଦାୟର କେନ୍ଦରା ଗୀତ ପରମ୍ପରା ବେଶ ପ୍ରାଚୀନ। ପୁରପଲ୍ଲୀରେ ଏହି ପୁରାତନ ଲୋକକଳା ବେଶ ଲୋକପ୍ରିୟ ହୋଇଥିଲା ବେଳେ ପରିବର୍ତ୍ତିତ ପରିସ୍ଥିତିରେ ଏହି ପରମ୍ପରା ଏବେ ତା’ର ସ୍ଥିତି ହରାଇବାକୁ ବସିଛି। ଯୋଗୀ ସମ୍ପ୍ରଦାୟର ଉତ୍ତରପିଢ଼ି ପରମ୍ପରାଗତ ବୃତ୍ତି ପ୍ରତି ଅନାଗ୍ରହ ଭାବ ଦେଖାଉଥିବାରୁ ଏଭଳି ଅବସ୍ଥା ଦେଖା ଦେଇଥିବା ଜଣାପଡ଼ିଛି।

ଭଦ୍ରକ ଜିଲ୍ଲାର ଉତ୍ତରବାହିନୀ, ହଳଦୀଡିହ ବାଇପାସ୍‌, ନାଥସାହି ପ୍ରଭୃତି ଅଞ୍ଚଳରେ ରହିଛନ୍ତି ଯୋଗୀ ସମ୍ପ୍ରଦାୟର ଶତାଧିକ ପରିବାର। ଏମାନେ କୌଳିକ ବୃତ୍ତି ଭାବେ କେନ୍ଦରା ବାଦନ କରିବା ସହିତ ଅତ୍ୟନ୍ତ ସୁମଧୁର ସଙ୍ଗୀତ ଗାୟନ କରି ଘର ଘର ବୁଲିଥା’ନ୍ତି। ଟୀକା ଗୋବିନ୍ଦ ଚନ୍ଦ୍ର, ରୋହିତ ଶୋକ, ରାମ ଲକ୍ଷ୍ମଣ ସୀତା ଚୋରି, ଆଖଣ୍ଡଳମଣିଙ୍କ ବିଷୟ ଆଧାରିତ ସଙ୍ଗୀତ ଗାଇବା ବେଳେ ଏମାନଙ୍କ ପରିବେଷଣ ସମସ୍ତଙ୍କୁ ବିଭୋର କରିଦେଇଥାଏ। ବିଶେଷ କରି ଗୃହିଣୀମାନେ ଯୋଗୀ ପୁଅର କେନ୍ଦରା ଗୀତ ଶୁଣି ତା’ ଝୁଲା ମୁଣିରେ ଖୁସିରେ ଚାଉଳ ପନିପରିବା ଟଙ୍କା ପଇସା ତ ପୁଣି କିଏ ନୂଆ ବସ୍ତ୍ର ପରିଧାନ ଭରି ଦେଇଥାଏ। ଏଭଳି ଦୃଶ୍ୟ ଅଧିକାଂଶ ସମୟରେ ଘର ଦୁଆର ମୁହଁରୁ ଗାଁ ଦାଣ୍ଡ ଯାଏଁ ଦେଖିବାକୁ ମିଳେ, ଯାହା ଗ୍ରାମ୍ୟ ଜୀବନର ରୁଦ୍ଧିମନ୍ତ ପରମ୍ପରାକୁ ବୟାନ କରିଥାଏ।

ସମୟ କ୍ରମେ ଯୋଗୀ ବା ନାଥ ସମ୍ପ୍ରଦାୟର ପରବର୍ତ୍ତୀ ପିଢ଼ି ପାଠସାଠ ପଢ଼ି ଶିକ୍ଷିତ ହେବା ପରେ ଏମାନେ ଆଉ କୌଳିକ ପ୍ରଥା ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। ପୂର୍ବରୁ ବାପା-ଦାଦା-ଗୋସବାପାଙ୍କଠାରୁ କେନ୍ଦରା ଗୀତ ଶିଖି ପରିବାର ପ୍ରତିପୋଷଣ କରୁଥିବା ବୟସ୍କ ଯୋଗୀ ପୁଅମାନେ ଆଉ ଆଗ ଭଳି ଗାଁଗଣ୍ଡାରେ ଦେଖିବାକୁ ମିଳୁନାହାନ୍ତି। ଏଭଳି ସ୍ଥିତିରେ ବହୁ ପୁରାତନ ଯୋଗୀ ପରମ୍ପରାର ଅସ୍ତିତ୍ବକୁ ନେଇ ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧିତ ଖବର