ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ କିମ୍ବା ସଂସ୍କୃତି କୌଣସି ନିର୍ଦ୍ଦିଷ୍ଟ ଭୂଖଣ୍ଡ ମଧ୍ୟରେ ସୀମାବଦ୍ଧ ନୁହେଁ। ମହାଜାଗତିକ ଚେତନାରେ ଉଦ୍ବୁଦ୍ଧ ସମଗ୍ର ବିଶ୍ବର ସର୍ବାଙ୍ଗୀନ କଲ୍ୟାଣରେ ବ୍ରତୀ ଏହି ଜାତିର ଅବସ୍ଥିତି ଯେ କୌଣସି ଭୂଖଣ୍ଡରେ ଥାଉନା କାହିଁକି, ତା’ର ରୁଚିପୂର୍ଣ୍ଣ ଓ ସୁନ୍ଦର ଭାଷା ଯେ କୌଣସି ପ୍ରାନ୍ତରେ ବ୍ୟବହୃତ ହେଉନା କାହିଁକି, ବିଶ୍ବ ଭାତୃତ୍ବ ଓ ଐକ୍ୟ ସ୍ଥାପନ ନିମନ୍ତେ ଏ ମହାନ ସଂସ୍କୃତିର ଉତ୍ତରୋତ୍ତର ଉନ୍ନତି- ଆଜି ଆମ ସମସ୍ତଙ୍କର ଏକାନ୍ତ ଧ୍ୟେୟ। ଏହାର ପ୍ରଚାର ପ୍ରସାର ଓ ସଂରକ୍ଷଣ ଆମ ସମସ୍ତଙ୍କର ଏକ ସାମୂହିକ ଦାୟିତ୍ବ ଓ କର୍ତ୍ତବ୍ୟ ମଧ୍ୟ। ଝାଡ଼ଖଣ୍ଡର ଚାଇବସାସ୍ଥିତ କୋହ୍ଲଣ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ବିଶିଷ୍ଟ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି।
କୋହ୍ଲଣ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ବହୁ ଗବେଷକ ଯୋଗଦେଲେ
ଓଡ଼ିଆ ଭାଷା ସମୃଦ୍ଧିରେ ସିଂହଭୂମିର ଅବଦାନ ରହିଛି
ଗତ ୨୪ ତାରିଖ ଦିନ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କିସ୍ ବିଶ୍ବବିଦ୍ୟାଳୟ ଗୋପବନ୍ଧୁ ଚେୟାର୍ର ପ୍ରଫେସର ଡ. ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାେର ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ କୋହ୍ଲଣ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗଙ୍ଗାଧର ପଣ୍ଡା, ଝାଡ଼ଖଣ୍ଡର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଡ. ଦୀନେଶ ଷଡ଼ଙ୍ଗୀ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧିରେ ସିଂହଭୂମିର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଅକାଦେମିର ଆଞ୍ଚଳିକ ସଚିବ ଦେବେନ୍ଦ୍ର ଦେବେଶ ସ୍ବାଗତ୍ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ପ୍ରବାସ ରଂଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଅନ୍ୟ ଦୁଇଟି ଅଧିବେଶନରେ ଯଥାକ୍ରମେ ପ୍ରଫେସର ବିଜୟ କୁମାର ଶତପଥୀ ଓ ପ୍ରଦୀପ୍ତ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ମୁଖ୍ୟ ଡ. ହରିହର ପ୍ରଧାନ, ପ୍ରଫେସର ସତ୍ୟପ୍ରିୟ ମହାଳିକ, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର , ସୁରେଶ ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇଥିଲେ। ବହୁ ଗବେଷକ ଓ ଅଧ୍ୟାପକ ପ୍ରବନ୍ଧ ପାଠ କରିବା ସହ ଭାଷା, ସାହିତ୍ୟ ଓ ସଂସ୍କୃତିର ସାଂପ୍ରତିକ ପରିସ୍ଥିତିକୁ ନେଇ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସିଂହଭୂମି, ଷଢ଼େଇକଳା, ଖରସୁଆ ଅଞ୍ଚଳର ଅନେକ ସାହିତ୍ୟିକ, ଅଧ୍ୟାପକ, ସମାଲୋଚକ ଏବଂ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।