ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ‘ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଆ ସମାଲୋଚକ ନଟବର ସାମନ୍ତରାୟ ଏବଂ ମାଲାୟଲମ୍ କବି ତଥା ସମାଲୋଚକ କେ. ଆୟାପ୍ପା ପଣିକଙ୍କର ପ୍ରବନ୍ଧ ଗୁଡ଼ିକ ବିଷୟରେ ଆଲୋଚନା ହୋଇଥିଲା। ସୂଚନାଯୋଗ୍ୟ ଯେ ନିକଟରେ ସାହିତ୍ୟ ଏକାଡେମୀ ଦ୍ୱାରା ଏହି ଲେଖକ ଦ୍ୱୟଙ୍କର ଇଂରାଜି ଅନୁବାଦ ପୁସ୍ତକ ପ୍ରକାଶ ପାଇଥିଲା।
ଇଂରାଜୀ ବୋର୍ଡର ଆବାହକ ମାଲାଶ୍ରୀ ଲାଲ୍ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ଉଭୟ ସମାଲୋଚକଙ୍କର ଭାରତୀୟ ସାହିତ୍ୟ ସମାଲୋଚନା ପ୍ରତି ସେମାନଙ୍କର ଅବଦାନ ବିଷୟରେ କହିଥିଲେ। ସଚ୍ଚିଦାନନ୍ଦ, କେ. ଆୟାପ୍ପା ପଣିକଙ୍କର ମାଲାୟଲମ୍ ସାହିତ୍ୟ ସମ୍ପର୍କରେ କହିଥିବା ବେଳେ ସୁମନ୍ୟୁ ଶତପଥୀ ନଟବର ସାମନ୍ତରାୟଙ୍କ ଅଭିନବ ଗବେଷଣା ପ୍ରଣାଳୀ ଉପରେ ଆଲୋକପାତ କରିଥିଲେ। ନଟବର ସାମନ୍ତରାୟ ପାଶ୍ଚାତ୍ୟ ସମାଲୋଚକଙ୍କୁ ଅନ୍ଧଭାବେ ଅନୁସରଣ ନ କରି ନିଜର ଏକ ସ୍ୱତନ୍ତ୍ର ଶୈଳୀ ତିଆରି କରିଛନ୍ତି ବୋଲି ଅନିମେଷ ମହାପାତ୍ର କହିଥିଲେ। ସାହିତ୍ୟ ଅକାଦେମିର ସଚିବ କେ. ଶ୍ରୀନିବାସ ରାଓ ଏବଂ ଅନିମେଷ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।