କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଘୋଷିତ : ବୀରେନ୍ଦ୍ରଙ୍କୁ ବାଲ୍‌ ସାହିତ୍ୟ, ଶିଶିରଙ୍କୁ ଯୁବ ପୁରସ୍କାର

ଭୁବନେଶ୍ବର : ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର। ଓଡ଼ିଆ ଭାଷାରେ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ସାମନ୍ତରାୟ ବାଲ୍‌ ସାହିତ୍ୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏଥିସହ ଅଧ୍ୟାପକ ଶିଶିର ବେହେରା ଚଳିତ ବର୍ଷର ଯୁବ ପୁରସ୍କାର ପାଇ‌ବାକୁ ମନୋନୀତ ହୋଇଛନ୍ତି। ଅଗରତାଲାଠାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଅକାଦେମିର କାର୍ଯ୍ୟକାରିଣୀ ପରିଷଦ ବୈଠକରେ ୨୦୧୯ ବର୍ଷ ପାଇଁ ଏହି ପୁରସ୍କାର ଘୋଷଣା ହୋଇଛି।

ସାମଗ୍ରିକ କୃତିତ୍ବ ପାଇଁ ୧୯୪୬ରେ ଖୋର୍ଦ୍ଧା ଜିଲ୍ଲାର ପାଳସାହିରେ ଜନ୍ମିତ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ସାମନ୍ତରାୟ ବାଲ୍‌ ସାହିତ୍ୟ ପୁରସ୍କାର ପାଇବେ। ପୂର୍ବରୁ ୧୯୯୦ରେ ସେ ବିଜ୍ଞାନ ଭିତ୍ତିକ କିଶୋର ସାହିତ୍ୟ ପୁସ୍ତକ ‘ରାଜାର ସ୍ବପ୍ନ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପାଇସାରିଛନ୍ତି। ପୁରସ୍କାର ଖବର ପାଇବା ପ୍ରତିକ୍ରିୟାରେ ସେ କହିଛନ୍ତି, ‘ପ୍ରତ୍ୟେକ ପୁରସ୍କାର ନିଜର ସୃଷ୍ଟି ଓ ସର୍ଜନା ପାଇଁ ଏକ ସ୍ବୀକୃତି। କେନ୍ଦ୍ର ସାହିତ୍ୟ ଅକାଦେମି ଏହି ସ୍ବୀକୃତି ଦେଇଥିବାରୁ ମୁଁ ବହୁତ ଖୁସି।’ ପିଲାଙ୍କ ହସକଥା, ଗଳ୍ପ, ନାଟକ ଏବଂ ବିଜ୍ଞାନ ସାହିତ୍ୟ ଆଦି କ୍ଷେତ୍ରରେ ସେ ୫୧ ଖଣ୍ଡ ପୁସ୍ତକ ରଚନା କରିଛନ୍ତି। ସେ ‘ଉତ୍କଳ ପ୍ରଦୀପ’ ନାମରେ ପ୍ରକାଶିତ ଓଡ଼ିଆ ଜ୍ଞାନକୋଷର ସଂକଳକ ମଧ୍ୟ। ଚାରିଟି ଭାଗରେ ପ୍ରକାଶିତ ଏହି ସଂକଳନମାନମଙ୍କରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଓଡ଼ିଆମାନଙ୍କର ତଥ୍ୟ ଓ ସୂଚନା ରହିଛି। ଓଡ଼ିଆ ଭାଷାରେ ବାଲ୍‌ ସାହିତ୍ୟ ପୁରସ୍କାର ପାଇଁ ଏଥର ବିଚାରକ ଥିଲେ ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁର, ଡକ୍ଟର ଅରବିନ୍ଦ ପଟ୍ଟନାୟକ ଏବ˚ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ। ଶ୍ରୀ ସାମନ୍ତରାୟଙ୍କୁ ଆସନ୍ତା ନଭେମ୍ବର ୧୪ ତାରିଖରେ ପୁରସ୍କାର ସ୍ବରୂପ ଏକ ତାମ୍ର ଫଳକ ସହିତ ୫୦ ହଜାର ଟଙ୍କାର ଅର୍ଥରାଶି ଦେଇ ସମ୍ମାନିତ କରାଯିବ।

ସେହିପରି ୨୦୧୬ରେ ପ୍ରକାଶିତ ଓଡ଼ିଆ ପ୍ରବନ୍ଧ ସଂକଳନ ‘ବିମୁଗ୍ଧ ଉଚ୍ଚାରଣ’ ପାଇଁ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ (ଦ୍ବିତୀୟ କ୍ୟାମ୍ପସ୍, କେଉଁଝର)ର ଓଡ଼ିଆ ବିଭାଗର ଆସିଷ୍ଟାଣ୍ଟ୍‌ ପ୍ରଫେସର ଶିଶିର ବେହେରା ଯୁବ ପୁରସ୍କାର ଲାଭ କରିବେ। ଏହି ପୁସ୍ତକରେ ମଧୁସୂଦନ ଦାସ, ବିଶ୍ବନାଥ କର, ନୀଳକଣ୍ଠ ଦାସ ଏବଂ ଫତୁରାନନ୍ଦଙ୍କ ଭଳି ୧୨ ଜଣ ସ୍ରଷ୍ଟାଙ୍କ ସମ୍ପର୍କରେ ଆଲୋଚନା କରାଯାଇଛି। ତାଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ତାମ୍ର ଫଳକ ସହିତ ୫୦ ହଜାର ଟଙ୍କା ପୁରସ୍କାର ସ୍ବରୂପ ପ୍ରଦାନ କରାଯିବ। ୧୯୮୭ରେ କଟକ ଜିଲ୍ଲାର ଗୋବିନ୍ଦପୁର ଗାଁରେ ଜନ୍ମିତ ଶ୍ରୀ ବେହେରା ପୁରସ୍କାର ଘୋଷଣା ପରେ ପ୍ରତିକ୍ରିୟାରେ କହିଛନ୍ତି, ‘ଯୁବ ପୁରସ୍କାର ରୂପେ ମିଳିଥିବା ଏହି ସମ୍ମାନ ଓ ଖୁସିକୁ ମୋ ଗୁରୁମାନଙ୍କୁ ସମର୍ପିତ କରୁଛି। ସେମାନଙ୍କ ଆଶୀର୍ବାଦ ଯୋଗୁ ମୁଁ ପାଠ ପଢ଼ିଛି ଏବଂ କିଛି ଲେଖିପାରୁଛି।’ ଏଯାବତ୍ ତାଙ୍କର ୧୦ଟି ଆଲୋଚନା ଏବଂ ଅନୁବାଦ ପୁସ୍ତକ ପ୍ରକାଶିତ ହୋଇସାରିଛି। ଏଥର ଯୁବ ପୁରସ୍କାର ପାଇଁ ବିଚାରକ ଥିଲେ ବିଶିଷ୍ଟ ଗାଳ୍ପିକା ପାରମିତା ଶତପଥୀ, ଡକ୍ଟର ଜୟନ୍ତୀ ରଥ ଏବ˚ ଡକ୍ଟର କ୍ଷୀରୋଦ ଚନ୍ଦ୍ର ବେହେରା। ଏହି ବୈଠକରେ ସାହିତ୍ୟ ଅକାଦେମିର ସଭାପତି ଚନ୍ଦ୍ରଶେଖର କମ୍ବର ପୌରୋହିତ୍ୟ କରିଥିଲେ। ଅକାଦେମିର ସଚିବ କେ. ଶ୍ରୀନିବାସରାଓ ପୁରସ୍କାର ସମ୍ପର୍କିତ ସୂଚନା ପ୍ରେସ୍‌ ବିଜ୍ଞପ୍ତି ମାଧୢମରେ ଜଣାଇଛନ୍ତିି।

ସମ୍ବନ୍ଧିତ ଖବର