ଭୁବନେଶ୍ବର : ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଆଶ୍ବସ୍ତିର ଖବର। କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାରରୁ ଏ ବର୍ଷ ବାଦ୍‌ ପଡ଼ିବେନି ଓଡ଼ିଆ ଯୁବ ସାହିତ୍ୟିକ। ପୁଣି ନୂଆ କରି ବିଚାରକ ଓ ଲେଖକ ମନୋନୟନ କରାଯିବ ଓ ଠିକ୍‌ ସମୟରେ ପୁରସ୍କାର ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ଅକାଦେମିର ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ଗୌରହରି ଦାସ।

Advertisment

ସୂଚନାଯୋଗ୍ୟ, ଗତ ୨୩ ତାରିଖ ଦିନ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଘୋଷଣା ହୋଇଥିଲା ଯୁବ ଓ ବାଲ୍‌ ସାହିତ୍ୟ ପୁରସ୍କାର-୨୦୨୩। ‘ଜେଜେଙ୍କ ଗପଗଣ୍ଠିଲି’ କ୍ଷୁଦ୍ରଗଳ୍ପ ପାଇଁ ଯୁଗଳ କିଶୋର ଷଡ଼ଙ୍ଗୀଙ୍କୁ ବାଲ୍‌ ସାହିତ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ବେଳେ ଓଡ଼ିଆ ଭାଷାରେ କାହାକୁ ମଧ୍ୟ ଯୁବ ପୁରସ୍କାର ପାଇଁ ଚୟନ କରାଯାଇ ନଥିଲା। ଅକାଦେମିର ପ୍ରକାଶିତ ବିଜ୍ଞପ୍ତି‌ରେ ୨୪ଟି ଭାରତୀୟ ଭାଷାରୁ ୨୦ଟି ଭାଷାରେ ପୁରସ୍କାର ଘୋଷଣା ସହ ମୈଥିଳୀ, ମଣିପୁରୀ ଓ ସଂସ୍କୃତ ଭାଷା ପାଇଁ ପୁରସ୍କାର ପରେ ଦିଆଯିବ ବୋଲି ଉଲ୍ଲେଖ ରହିଥିଲା। ମାତ୍ର ଓଡ଼ିଆ ଭାଷା‌ରେ କୌଣସି ଯୁବ ପୁରସ୍କାର ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା। ଯାହାକୁ ନେଇ ଓଡ଼ିଆ ସାହିତ୍ୟିକ ମହଲ ଓ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଓ ଆଲୋଚନା ଜୋର୍‌ ଧରିଥିଲା।

ପୁରସ୍କାର ଚୟନଠାରୁ ଘୋ‌ଷଣା ପର୍ଯ୍ୟନ୍ତ, ଗୋପନୀୟତା ରକ୍ଷା ହୋଇ ପାରି ନଥିବାରୁ ତଥା ଘୋଷଣା ପୂର୍ବରୁ ପୁରସ୍କାରର ଦୁଇ ବିଚାରକ ଓ ଚୂଡ଼ାନ୍ତ ତାଲିକାରେ ଥିବା କିଛି ପୁସ୍ତକର ନାମ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିଥିଲା। ଏହାକୁ ଅକାଦେମି ପକ୍ଷରୁ ଗମ୍ଭୀରତାର ସହ ନିଆଯିବା ସହ ଶେଷ ମୁହୂର୍ତ୍ତରେ ବିଚାରକ ବୈଠକ ବାତିଲ ସାଙ୍ଗକୁ ଓଡ଼ିଆ ଭାଷାରେ ଦିଆଯିବାକୁ ଥିବା ଯୁବ ପୁରସ୍କାରକୁ ସ୍ଥଗିତ କରି ଦିଆଯାଇଥିଲା। ଏନେଇ ବିଭିନ୍ନ ମହଲରେ ବିରୋଧ କରାଯିବା ସହ ଆବାହକ ଡ. ଦାସ ମଧ୍ୟ କେନ୍ଦ୍ର ସାହିତ୍ୟ ଅକାଦେମିର ସଭାପତିଙ୍କୁ ମେଲ୍‌ କରି ନିଜ ପ୍ରତିବାଦ ଜଣାଇଥିଲେ। ଫଳସ୍ବରୂପ ଏ ବର୍ଷ ପାଇଁ ଯୁବ ପୁରସ୍କାର ପା‌ଇଁ ମନୋନୟନ କମିଟି ଗଠନ କରାଯିବା ସହ ଯୁବ ପୁରସ୍କାର ଦିଆଯିବାକୁ ନିଷ୍ପତ୍ତି ହୋଇଛି।