କେନ୍ଦ୍ରାପଡ଼ା ଧାନ ଦୁର୍ନୀତି ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲେ ଅଂଶୁମାନ

ଭୁବନେଶ୍ବର : କେନ୍ଦ୍ରାପଡ଼ା ଧାନ ଦୁର୍ନୀତି ପ୍ରସଙ୍ଗରେ ରାଜନଗର-ପଟ୍ଟାମୁଣ୍ଡାଇ ବିଧାୟକ ଅଂଶୁମାନ ମହାନ୍ତି ଓ ତାଙ୍କ ପରିବାରବର୍ଗ ସଂପୃକ୍ତ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଗଣମାଧ୍ୟମରେ ବିବୃତି ଦେଇଛନ୍ତି। ଏହାକୁ ଦାୟିତ୍ବହୀନ ମନ୍ତବ୍ୟ ଦର୍ଶାଇ ମନ୍ତ୍ରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ ହୋଇଛନ୍ତି କଂଗ୍ରେସ ବିଧାୟକ। ଯଦି ଯୋଗାଣ ମନ୍ତ୍ରୀ ତାଙ୍କ ବିରୁଦ୍ଧରେ ଆଣିଥିବା ଅଭିଯୋଗର ପ୍ରମାଣ କରିନପାରନ୍ତି ତେବେ ରାଜନୀତିରୁ ସେ ସନ୍ନ୍ୟାସ ନେବାକୁ ଅଂଶୁମାନ ଦାବି କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖି ରାଜନଗର ବିଧାୟକ ଉଲ୍ଲେଖ କରିଛନ୍ତି, ସିଏଜି ରିପୋର୍ଟ ଆଧାରରେ କେନ୍ଦ୍ରାପଡ଼ା ଧାନକିଣା ଦୁର୍ନୀତିରେ ସେ(ବିଧାୟକ) ଓ ତାଙ୍କ ପରିବାରବର୍ଗ ସଂପୃକ୍ତ ବୋଲି ଯୋଗାଣ ମନ୍ତ୍ରୀ ବିବୃତି ଦେଇଛନ୍ତି। ପୂର୍ବରୁ ଏହି ଦୁର୍ନୀତିରେ ବିଜେଡିର କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧ୍ରୁବଚରଣ ସାହୁ ଓ ସ୍ଥାନୀୟ କିଛି ଅଧିକାରୀଙ୍କ ସଂପୃକ୍ତି ପ୍ରସଙ୍ଗ ସେ ବିଧାନସଭାରେ ଦୁଇଥର ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ଅବଗତ କରାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଏ ନେଇ ତଦନ୍ତ ମଧ୍ୟ ହୋଇଛି। ଅବଶ୍ୟ ରିପୋର୍ଟ ସାର୍ବଜନୀନ ‌ହୋଇନାହିଁ।

ଏହା ସତ୍ତ୍ବେ ସିଏଜି ରିପୋର୍ଟରେ ଧାନକିଣା ଦୁର୍ନୀତି ଘଟଣାରେ ତାଙ୍କର ଓ ତାଙ୍କ ପରିବାରବର୍ଗଙ୍କ ସଂପୃକ୍ତି ଥିବା ନେଇ ଯୋଗାଣ ମନ୍ତ୍ରୀ ବିବୃତି ଦେଇଛନ୍ତି। ଯଦି ସେ ମୋ ବିରୁଦ୍ଧରେ କରିଥିବା ଅଭିଯୋଗ ପ୍ରମାଣିତ କରିପାରିବେ, ତେବେ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି। ନଚେତ୍‌ ସେ ମନ୍ତ୍ରିପରିଷଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ। ଅଂଶୁମାନ ଦର୍ଶାଇଛନ୍ତି ଯେ ସିଏଜି ରିପୋର୍ଟ ବର୍ତମାନ ସୁଦ୍ଧା ବିଧାନସଭାରେ ଉପସ୍ଥାପନ ହୋଇନାହିଁ। ପବ୍ଲିକ ଆକାଉଣ୍ଟସ କମିଟି ଏହି ରିପୋର୍ଟକୁ ତର୍ଜମା କରୁଛନ୍ତି। ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇନଥିବା ସତ୍ତ୍ବେ ମନ୍ତ୍ରୀ ତା’ ଉପରେ ଟିପ୍ପଣୀ ଦେଇପାରିବେ କି? ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ରାଜନଗର ବିଧାୟକ କହିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ସଂସଦୀୟ ବ୍ୟବସ୍ଥା ଓ କାର୍ଯ୍ୟପଦ୍ଧତି ସଂପର୍କରେ ଅବଗତ କରାଯିବା ସହିତ ମୁଖ୍ୟମନ୍ତ୍ରୀ ଓ ବିଜେଡି ସରକାରଙ୍କୁ ଅଡ଼ୁଆରେ ପକାଇବା ଭଳି ପରିସ୍ଥିତି ସୃଷ୍ଟି ନ କରିବା ପାଇଁ ପରାମର୍ଶ ଦିଆଯାଉ।

ସମ୍ବନ୍ଧିତ ଖବର