କେନ୍ଦ୍ରାପଡ଼ା/ରାଜନଗର : ବିଳମ୍ବରେ ଆସିଲେ ଉପରିସ୍ଥ ଅଧିକାରୀଙ୍କ ଦଣ୍ଡବିଧାନ ଠିକ୍ ଏହିଭଳି: ସର୍ବସମ୍ମୁଖରେ କାନ ଧରି ଉଠ୍ବସ୍! କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରଠାରେ ୨ ଜଣ ରାଜସ୍ୱ ନିରୀକ୍ଷକଙ୍କ ପ୍ରତି ଏହିଭଳି ଦଣ୍ଡବିଧାନ କରି ଚର୍ଚ୍ଚାରେ ଆସିଛନ୍ତି ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ବସନ୍ତ କୁମାର ରାଉତ। ଏହି ଘଟଣାକୁ କେନ୍ଦ୍ରକରି ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ପରେ ଶ୍ରୀ ରାଉତଙ୍କୁ କ୍ଷମା ମାଗିବାକୁ ପଡ଼ିଛି। ଏହାପରେ ଯାଇ ପରିସ୍ଥିତି ଶାନ୍ତ ପଡ଼ିଛି।
ଗତକାଲି ରାଜନଗର ତହସିଲଦାରଙ୍କ କାର୍ଯ୍ୟାଳୟରେ ଚାଲିଥିବା ସମୀକ୍ଷା ବୈଠକରେ ଏହି ଘଟଣା ଘଟିଛି। ଏହି ସମୀକ୍ଷା ବୈଠକରେ ଗୁପ୍ତିର ରାଜସ୍ୱ ନିରୀକ୍ଷକ କରୁଣାକର ମଲ୍ଲିକ ୨୦ ମିନିଟ୍ ଓ ରିପାଗଡ଼ାର ରାଜସ୍ୱ ନିରୀକ୍ଷକ ଶରତ କୁମାର ବେହେରା ଅଧଘଣ୍ଟା ବିଳମ୍ବରେ ପହଞ୍ଚିିଥିଲେ। ଏହି ବିଳମ୍ବ ଯୋଗୁଁ ଏଡିଏମ୍ ଶ୍ରୀ ରାଉତ ପ୍ରବଳ ବର୍ଷିଥିଲେ। ବୈଠକରେ ଦୁହିଁଙ୍କୁ ୫/୧୦ ଥର ଉଠ୍ବସ୍ କରାଇଥିଲେ।
ଆଜି ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜସ୍ୱ ନିରୀକ୍ଷକମାନେ ତୀବ୍ର ବିରୋଧ କରିିଥିଲେ। ଜିଲ୍ଲା ଅଣଗେଜେଟେଡ୍ ରାଜସ୍ୱ କ୍ଷେତ୍ର କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପିତି ବୈଷ୍ଣବ ଚରଣ ଦ୍ୱିବେଦୀ, ସମ୍ପାଦକ ବିକ୍ରମ କୁମାର ମଲ୍ଲିକ ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଦୃଷ୍ଟିଆକର୍ଷଣ କରିଥିଲେ। ଜିଲ୍ଲାପାଳ ରଘୁ ଜୀ ଘଟଣାରେ ହସ୍ତକ୍ଷେପ କରିଥିଲେ। ଦିନ ପ୍ରାୟ ସାଢ଼େ ଗୋଟାଏରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା। ପ୍ରଥମେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳଙ୍କ ଏଭଳି ଆଚରଣ ପାଇଁ କ୍ଷମା ମାଗିଥିଲେ। କିନ୍ତୁ ଏଥିରେ ଜିଲ୍ଲା ରାଜସ୍ୱ ନିରୀକ୍ଷକମାନେ ସନ୍ତୁଷ୍ଟ ହୋଇ ନଥିଲେ। ଭବିଷ୍ୟତରେ ଏଭଳି ଦୁର୍ବ୍ୟବହାର କରିବି ନାହିଁ ବୋଲି ଲିଖିତ ଭାବେ ଦେବା ପାଇଁ ରାଜସ୍ୱ ନିରୀକ୍ଷକ ସଂଘ ଅଡ଼ି ବସିଥିଲା। ପରେ ନିଜେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ରାଉତ ହାଜର ହୋଇ କ୍ଷମା ପ୍ରାର୍ଥନା କରିବା ପରେ ବିବାଦର ଅନ୍ତ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/kdp-Zillapala-nka-office-agare-RI.jpg)