କେନ୍ଦ୍ରାପଡ଼ାରେ ବିହନ ଅଭାବ : ଦରକାର ୧୯ହଜାର; ଆସିଛି ୫ହଜାର କୁଇଣ୍ଟାଲ୍‌, ମୁଣ୍ତରେ ହାତ ଦେଇ ବସିଛି ଚାଷୀ

କେନ୍ଦ୍ରାପଡ଼ା : ଦରକାର ଥିଲା ୧୯ହଜାର କୁଇଣ୍ଟାଲ୍‌। କିନ୍ତୁ ଜିଲ୍ଲାକୁ ଆସିଛି ମାତ୍ର ୫ହଜାର କୁଇଣ୍ଟାଲ୍‌ ବିହନ। ଅର୍ଥାତ୍‌ ଆବଶ୍ୟକତା ତୁଳନାରେ ମାତ୍ର ୨୫ପ୍ରତିଶତ ବିହନ ଆସିଛି। ଏଭଳି ସ୍ଥିତିରେ ଚାଷୀଙ୍କ ପାଖେ ବିହନ ନ ଥିବାରୁ ଚାଷ କାମ ଆଗେଇ ପାରୁନି। ସବୁଠାରୁ ବଡ଼ କଥା ହେଉଛି, ଚାଷୀ ଯେଉଁ କିସମର ବିହନ ଚାହୁଁଛି, ତାହା ମିଳୁନାହିଁ। ବିହନ ନିଗମ ଉପରେ ଦୋଷ ଠେଲି ପ୍ରଶାସନ ହାତବାନ୍ଧି ବସିଯାଇଛି। ଏପରି ସ୍ଥିତିରେ ଧାନ ଚାଷ କିଭଳି ଆଗକୁ ବଢ଼ିବ ତାକୁ ନେଇ ଗୋଟିଏ ପଟେ ପ୍ରଶ୍ନ ଉଠୁଥିବା ବେଳେ ଅନ୍ୟପଟେ ବିହନ ଅଭାବ ହେତୁ ଚାଷୀ ମୁଣ୍ତରେ ହାତ ଦେଇ ବସିଛି। ଅଥଚ ଆବଶ୍ୟକ ମୁତାବକ ବିହନ ଆଣିବା ଦିଗରେ ନା ପ୍ରଶାସନ ନା ନିଗମ କେହି ବି ଆଗ୍ରହ ନ ଦେଖାଇବା ଚାଷୀଙ୍କ ମହଲରେ ଗଭୀର ଅସନ୍ତୋଷ ସୃଷ୍ଟି କଲାଣି।

ଏ ବର୍ଷ ସଅଳ ମୌସୁମୀ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ତଦନୁଯାୟୀ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇ ସାରିଲାଣି। କ୍ଷେତରେ ହଳ ଚାଲିଛି। ଚାଷୀ ଚାଷ ପାଇଁ କମର କଷିଲା ବେଳକୁ ପାଖରେ ବିହନ ନାହିଁ। ପ୍ରଶାସନର ତଥ୍ୟ କହୁଛି, ଜିଲ୍ଲା ପାଇଁ ୧୯ହଜାର ୫୦କୁଇଣ୍ଟାଲ୍‌ ବିହନ ମଗାଯାଇଥିଲା। କିନ୍ତୁ ମିଳିଛି ମାତ୍ର ୫ହଜାର ୯୨କୁଇଣ୍ଟାଲ୍‌। ସେଥିରୁ ୪ହଜାର ୫୪୫କୁଇଣ୍ଟାଲ୍‌ ବିହନ ବିକ୍ରି ସରିଥିବା ବେଳେ ୫୪୭କୁଇଣ୍ଟାଲ୍‌ ବିହନ ଏବେ ବି ମହଜୁଦ୍‌ ଅଛି। ଉଲ୍ଲେଖନୀୟ କଥା ହେଉଛି, ଯେଉଁ ବିହନ ଅଛି, ତାକୁ ନେବା ପାଇଁ ଚାଷୀ ମ˚ଗୁନାହିଁ। ଖଣ୍ତଗିରି, ଏମ୍‌ଟିୟୁ ୧୦୦୧, ନବୀନ, ଲଲାଟ, ସ୍ବର୍ଣ୍ଣ, ମୃଣାଳିନୀ, ସ୍ବର୍ଣ୍ଣ ସବ୍‌ଵାନ୍‌, ପ୍ରତୀକ୍ଷା, ପୂଜା, ସାରଳା, ରାଣୀ, ସିଆର‌୍‌-୧୦୧୪, ସିଆର‌୍‌-୧୦୧୮ ଆଦି କିସମର ବିହନ ଆସିଥିଲେ ବି ଚାଷୀଙ୍କ ଅଧିକ ଚାହିଦା ସାରଳା, ପୂଜା, ସ୍ବର୍ଣ୍ଣ ସବ୍‌ଵାନ୍‌ ଆଦି ଉପରେ ରହିଛି। ମାତ୍ର, ତାହା ମିଳୁନଥିବାରୁ ଚାଷୀ କ୍ଷେତରେ ବିହନ ବୁଣି ପାରୁନାହିଁ। ଗତବର୍ଷ ବି ସମାନ ସ୍ଥିତି ଉପୁଜିଥିଲା। ୧୪ହଜାର ୭୫୦କୁଇଣ୍ଟା‌ଲ ବିହନ ମଗାଯାଇଥିବା ବେଳେ ମିଳିଥିଲା ମାତ୍ର ୪ହଜାର ୭କୁଇଣ୍ଟାଲ୍‌। ଫିସନ ଯଦି ଆବଶ୍ୟକତା ତୁଳନାରେ ମାତ୍ର ୨୫ପ୍ରତିଶତ ବିହନ ଜିଲ୍ଲାକୁ ଯୋଗାଇ ଦିଆଯିବ, ତେବେ ଧାନ ଚାଷ କିଭଳି ହେବ? କେଉଁଠି ଚାଷୀ ମନ ପସନ୍ଦର ବିହନ ଆଣିବ? ତାଛଡ଼ା ଯେଉଁ କିସମର ବିହନ ନେବାକୁ ଚାଷୀ ମ˚ଗୁନାହିଁ, ତାହା ପଛର କାରଣକୁ ନେଇ କୃଷି ବିଭାଗ କାହିଁକି ତର୍ଜମା କରୁନାହିଁ? ଯଦି ଚାଷୀଙ୍କୁ ସ˚ପୃକ୍ତ କିସମ ବିହନର ଫାଇଦା ସ˚ପର୍କରେ ଅବଗତ କରାଯାନ୍ତା, ତାହେଲେ ଏଭଳି ନିଅଣ୍ଟିଆ ପରସ୍ଥିତି ଉପୁଜନ୍ତା କି ବୋଲି ପ୍ରଶ୍ନ ଉଠୁଛି। ମହାକାଳପଡ଼ା ବ୍ଲକ ଶଙ୍ଖପଦା ଗ୍ରାମର ଚାଷୀ ଅଲେଖ ସ୍ବାଇଁଙ୍କ କହିବା କଥା ହେଲା, ଆମେ ଯେଉଁ କିସମ ବିହନ ଚାହୁଁଛୁ ତାହା ଆସୁନାହିଁ। ‘କନକ ପ୍ଲସ୍‌ ଓ ‘ମାଳି-୪’ ବିହନ ଚାହୁଁଥିବା ବେଳେ ତାହା ଆସୁନାହିଁ।

ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଶୋକ କୁମାର ମହାସୁଆର କହିଛନ୍ତି ଯେ ଯେତିକି ପରିମାଣର ବିହନ ଆସିଥିଲା, ତାକୁ ଜିଲ୍ଲାର ୧୨୧ରୁ ୯୫ ପ୍ୟାକ୍ସ ଯୋଗାଇ ଦିଆଯାଇଛି। ଯଦି ସେଠାରେ ବିହନ ମିଳୁନାହିଁ, ତାହେଲେ ସ˚ପାଦକଙ୍କୁ ପଚରାଯିବା କଥା। ତାଛଡ଼ା ଚାଷୀ ଯେଉଁ ବିହନ ଚାହୁଁଛନ୍ତି, ତାହା ପର୍ଯ୍ୟାପ୍ତ ପରିମାଣର ଯୋଗାଇ ଦିଆଯାଇପାରୁନାହିଁ। ରାଜ୍ୟ ବିହନ ନିଗମକୁ ଏ ସ˚ପର୍କରେ ଜଣାଇ ଦିଆଯାଇଛି। ସେଠାରୁ ବିହନ ଆସିଲେ ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ମହାସୁଆର କହିଛନ୍ତି।

ସମ୍ବନ୍ଧିତ ଖବର