ଡେରାବିଶ ତହସିଲଦାରଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ!

ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ପୀଡ଼ିତ, ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ

କେନ୍ଦ୍ରାପଡ଼ା : ମହାମାରୀ କରୋନା ସମୟରେ ଉଚ୍ଛେଦ ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଥିଲେ। ଅଗଷ୍ଟ ୩୧ତାରିଖ ଯାଏ ଏହି ଆଦେଶ ବଳବତ୍ତର ଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଡେରାବିଶ ତହସିଲଦାର ଅଦାଲତଙ୍କ ଏହି ଆଦେଶକୁ ଅବମାନନା କରି ଏକ ଗରିବ ପରିବାରର ଘର ଭାଙ୍ଗି ଦେଇଛନ୍ତି। ଡେରାବିଶ ତହସିଲ୍‌ ଅଫିସ୍‌ଠୁ ମାତ୍ର ୩୦ମିଟର‌୍‌ ଦୂରରେ ଏପ୍ରକାର ଆକ୍ରୋଶମୂଳକ ଉଚ୍ଛେଦର ଶିକାର ହୋଇଥିବା ଅସହାୟ ଡେରାବିଶ ବ୍ଲକ୍‌ ଓଲ୍‌ଡି ଗାଁର ଧ୍ରୁବଚରଣ ବେହେରା ଆଜି ନ୍ୟାୟ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ଙ୍କୁ ଚିଠି ଲେଖିଛନ୍ତି। ଅଦାଲତଙ୍କ ଆଦେଶ ଉଲ୍ଳ˚ଘନ କରିଥିବା ତହସିଲଦାର ଶ୍ରୀ ଶତପଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ତହସିଲଦାରଙ୍କ ଏପ୍ରକାର କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସେ ଦାବି କରିଛନ୍ତି। ଗର୍ଭବତୀ ପତ୍ନୀ ସସ୍ମିତା ଏବ˚ ଚାରି ବର୍ଷର ପୁଅ ସହ ଆଜି ଅପରାହ୍ନରେ ଧ୍ରୁବ କେନ୍ଦ୍ରାପଡ଼ା ମୁଖ୍ୟ ଡାକଘର କାର୍ଯ୍ୟାଳୟକୁ ଆସି ସ୍ପିଡ୍‌ ପୋଷ୍ଟ୍ ମାଧୢମରେ ଏ ସ˚ପର୍କିତ ଚିଠି ଉଭୟ ମୁଖ୍ୟ ବିଚାରପତି ଏବ˚ ନବୀନ ନିବାସକୁ ପଠାଇଛନ୍ତି।

କରୋନା ସମୟରେ ଲୋକମାନେ ଆଇନଗତ ସମସ୍ୟାର ପ୍ରତିକାର ପାଇଁ କୋର୍ଟକୁ ଆସି ପାରୁନଥିବାରୁ ଅଦାଲତ ଗତ ମେ ୫ତାରିଖରେ ଉଚ୍ଛେଦ ଉପରେ ଅଙ୍କୁଶ ଲଗାଇଥିଲେ। କେବଳ ଜନସ୍ବାର୍ଥ ସମ୍ବଳିତ ଅତି ଜରୁରୀ ପ୍ରକଳ୍ପ କ୍ଷେତ୍ରରେ ଏହି ଆଦେଶ ଲାଗୁ ହେବ ନାହିଁ ବୋଲି କୁହାଯାଇଥିଲା। ମାତ୍ର ଡେରାବିଶ ତହସିଲ୍‌ କାର୍ଯ୍ୟାଳୟର ନାକତଳେ ଚାଟରାଚକଡ଼ା ଗାଁ ରାସ୍ତା କଡ଼ରେ ସରକାରୀ ଜମିରେ ପରିବାର ସହ ଅସହାୟ ଅବସ୍ଥାରେ ରହୁଥିବା ଧ୍ରୁବଙ୍କ ଘରକୁ ନିୟମର ନାଲିଆଖି ଦେଖାଇ ବିଭାଗୀୟ କର୍ତୃପକ୍ଷ ଗତ ଜୁନ୍‌ ୨୯ ତାରିଖରେ ଭାଙ୍ଗି ଦେଇଥିଲେ। ଗର୍ଭବତୀ ପତ୍ନୀଙ୍କୁ ମେଡିକାଲ୍‌ ନେଇ ଯାଇଥିବା ବେଳେ ତାଙ୍କ ଘରକୁ ତହସିଲଦାର ଆକ୍ରୋଶମୂଳକ ଭାବେ ଭାଙ୍ଗି ଦେଇଥିବା ଧ୍ରୁବ ଅଭିଯୋଗ କରିଥିଲେ। ଘଟଣାର ଖୋଳତାଡ଼ କରାଯିବା ପରେ ସେହି ପ୍ଲଟ୍‌ରେ ଜବରଦଖଲରେ ଥିବା ଅନ୍ୟ ଘରଗୁଡ଼ିକୁ କିନ୍ତୁ ଛାଡ଼ି ଦିଆଯାଇଥିବା ଦେଖିବାକୁ ମିଳିଥିଲା। ତହସିଲ୍‌ଦାରଙ୍କ ‘ଧ୍ରୁବଙ୍କ ଘରକୁ ଉଚ୍ଛେଦ, ଅନ୍ୟ ଘରକୁ ମାଫ୍‌ ’ ନୀତିକୁ ନେଇ ପ୍ରଶ୍ନ ଉଠିବା ସହ ତାଙ୍କ କାର୍ଯ୍ୟ ସନ୍ଦେହ ଘେରକୁ ଚାଲି ଆସିଥିଲା। ଏଭଳି ସ୍ଥିତିରେ ଅସହାୟ ଧ୍ରୁବ ପ୍ରଶ୍ନ କରିଥିଲେ ଯେ ଯଦି କୌଣସି ଜରୁରୀ ପ୍ରକଳ୍ପ ପାଇଁ ମୋ ଘରକୁ ଉଚ୍ଛେଦ କରାଗଲା, ତେବେ ସେଇ ପ୍ଲଟ୍‌ରେ ଥିବା ଅନ୍ୟ ଜବରଦଖଲକୁ କାହିଁକି ମୁକ୍ତ କରାଗଲା ନାହିଁ?

ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଧ୍ରୁବ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଲୋକମାନଙ୍କ ଜୀବନ-ଜୀବିକା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବାବେଳେ ଏଠାରେ କିଭଳି ତାଙ୍କ ଭଳି ଜଣେ ଅସହାୟ ଗରିବର ଘର ଭାଙ୍ଗି ଦିଆଗଲା? ହାଇକୋର୍ଟଙ୍କ ଆଦେଶକୁ ଉଲ୍ଲ˚ଘନ କରାଯାଇ ଉଦ୍ଦେଶ୍ୟମୂଳକ ଭାବେ ଘର ଭଙ୍ଗା ଯାଇଥିବାରୁ ତସହିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଧ୍ରୁବ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ ଧ୍ରୁବ ମୁସଲିମ୍‌ ଧର୍ମର ଜଣେ ଯୁବତୀଙ୍କୁ ବିବାହ କରିବା ପରେ ପରିବାର ଲୋକ ତାଙ୍କୁ ଗ୍ରହଣ କରି ନ ଥିଲେ। ପାଖାପାଖି ଛଅ ମାସରୁ ଅଧିକ ଦିନ ରହିବା ପାଇଁ ବାରଦୁଆର ହେବା ପରେ ୨୦୧୫ରୁ ଚାଟରାଚକଡ଼ା ଗାଁ ରାସ୍ତା କଡ଼ରେ ଏକ ସରକାରୀ ଜମିରେ ଛପର ଘର କରି ରହି ଆସୁଥିଲେ। ଘରକୁ ଲଗାଇ ଗୁଜୁରାଣ ମେଣ୍ଟାଇବା ପାଇଁ ଏକ ପାନ ଦୋକାନ ବି କରିଥିଲେ। ମାତ୍ର ତହସିଲ୍‌ ତାଙ୍କ ଘରକୁ ଭା˚ଗି ମାଟିରେ ମିଶାଇ ଦେବା ପରେ ଧ୍ରୁବ ସେଇ ଜାଗାରେ ଏକ ପାଲ ଟାଣି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପାଞ୍ଚ ମାସର ଗର୍ଭବତୀ ପତ୍ନୀ ଓ ଚାରି ବର୍ଷର ପୁଅ ସହ ରହୁଛନ୍ତି। ରୋଜଗାର ନ ଥିବାରୁ ଓଳିଏ ଖାଇଲେ ଆର ଓଳିକୁ ଉପାସ। ବର୍ଷା ହେଲେ ପାଲ ତଳେ ରହିବା ମୁସ୍କିଲ୍‌ ହୋଇପଡ଼ିଛି। ଏଭଳି ଦୟନୀୟ ସ୍ଥିତି ସମ୍ପର୍କରେ ଗଣମାଧୢମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ରେଡକ୍ରସ୍‌ ପାଣ୍ଠିରୁ ଧ୍ରୁବଙ୍କୁ କେବଳ ୧୦ହଜାର ଟଙ୍କା ଦେଇ ତାର ଦାୟିତ୍ବ ସାରି ଦେଇଛି।

ସମ୍ବନ୍ଧିତ ଖବର