ବିପଦରେ ରାଜନଗର, ମହାକାଳପଡ଼ା ସମୁଦ୍ର ବାଟ : ବୋଟ୍‌ ନାହିଁ; ତିନି ସାମୁଦ୍ରିକ ଥାନାରେ କର୍ମଚାରୀ ଅଭାବ

କେନ୍ଦ୍ରାପଡ଼ା/ରାଜନଗର/ମହାକାଳପଡ଼ା : ପଶ୍ଚିମବଂଗ ଏବେ ବିପଦ ପାଲଟିଛି ଓଡ଼ିଶା ପାଇଁ। ପ୍ରତ୍ୟେକ ଦିନ ଏଥିପାଇଁ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଏବେ କେନ୍ଦ୍ରାପଡ଼ା ଜିଲ୍ଳା ପାଇଁ ଅଧିକ ବିପଦ ସୃଷ୍ଟି ହୋଇଛି। ପୂର୍ବରୁ କୋଲକାତାରୁ ଆସିଥିବା ରାଜନଗର ଅଞ୍ଚଳର ଜଣେ ଯୁବତୀ କରୋନା ସଂକ୍ରମିତ ହୋଇଥିଲେ। ଏବେ ପଶ୍ଚିମବଙ୍ଗକୁ ସଡ଼କ ପଥରେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରାଯିବା ପରେ କେନ୍ଦ୍ରାପଡ଼ାର ମୁକୁଳା ଜଳପଥ ଜିଲ୍ଳା ପାଇଁ ବିପଦ ଡାକି ଆଣିଛି। ଯଦିଓ ଜିଲ୍ଲାର ତିନି ସାମୁଦ୍ରିକ ଥାନାକୁ ସଜାଗ ରହିବାକୁ କୁହାଯାଇଛି, ମାତ୍ର ଆବଶ୍ୟକ କର୍ମଚାରୀ ଓ ବୋଟ୍‌ ଅଭାବରୁ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରଯାଇପାରୁନାହିଁ।

ରାଜନଗର ଓ ମହାକାଳପଡ଼ା ବ୍ଲକ୍ ଅଂଚଳରୁ ପଶ୍ଚିମବଂଗକୁ ରହିଥିବା ସମୁଦ୍ର ବାଟ ପୂର୍ବଭଳି ମୁକୁଳା ରହିଛି। ଫଳରେ ଏହି ଦୁଇ ବ୍ଲକ୍‌ର ବଙ୍ଗୀୟ ଭାଷାଭାଷୀ ଅଂଚଳକୁ ସମୁଦ୍ରପଥରେ ପଶ୍ଚିମବଂଗ, ବାଲେଶ୍ବର, ଭଦ୍ରକରୁ ଲୋକେ ନିର୍ବିଘ୍ନରେ ଆସୁଥିବା ଦେଖିବାକୁ ମିଳୁଛି। ଗତକାଲି ବୋଟ ଯୋଗେ ଭଦ୍ରକ ଅଂଚଳରୁ ଜଣେ ବ୍ୟକ୍ତି ସମୁଦ୍ର ବାଟ ଦେଇ ଡାଙ୍ଗମାଳ ପଂଚାୟତ ତ୍ରିଲୋଚନପୁର ଗାଁକୁ ଆସିଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ତିନିଟି ସାମୁଦ୍ରିକ ଥାନା ରହିଛି। ମହାକାଳପଡ଼ା ବ୍ଲକରେ ତନ୍ତିଆପାଳ ଓ ଜମ୍ବୁ ଏବଂ ରାଜନଗରରେ ଏକମାତ୍ର ତାଳଚୁଆ ସାମୁଦ୍ରିକ ଥାନା ରହିଛି। କିନ୍ତୁ ଏ ସବୁ ଥାନାରେ କର୍ମଚାରୀ ଓ ପାଟ୍ରୋଲିଂ ପାଇଁ ବୋଟ୍‌ ଅଭାବ ସୁରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିଦେଉଛି। ତାଳଚୁଆ ଓ ତନ୍ତିଆପାଳ ଥାନାରେ ପାଟ୍ରୋଲିଂ ପାଇଁ ବୋଟ୍‌ ନାହିଁ। ଜମ୍ବୁ ଥାନାରେ ଦୁଇଟି ବୋଟ୍‌ ଥିଲେ ହେଁ, ‌ଟେକ୍ନିକାଲ୍‌ ଷ୍ଟାଫ୍‌ ଓ ଅନ୍ୟ କର୍ମଚାରୀଙ୍କ ଅଭାବ ଥିବାରୁ ପାଟ୍ରୋଲିଂ କଡ଼ାକଡ଼ି ହୋଇପାରୁନାହିଁ। ପଶ୍ଚିମବଂଗରୁ ଯଦି କେହି ଜଳପଥରେ ଅଂଚଳକୁ ଆସିବେ, ତେବେ ପୁଲିସ କିଭଳି ସେମାନଙ୍କୁ ରୋକିବ ବୋଲି ପ୍ରଶ୍ନ ଉଠୁଛି।

ତାଳଚୁଆ ଥାନା ଅଧିନରେ ଥିବା ୭ଟି ପଂଚାୟତର ଲୋକେ ସ୍ଥଳପଥ ଅପେକ୍ଷା ଜଳପଥ ଉପରେ ଅଧିକ ନିର୍ଭର କରନ୍ତି। ସେମାନେ ବୋଟ୍‌ ଯୋଗେ ଭଦ୍ରକ, ବାଲେଶ୍ବର ଜିଲ୍ଲାକୁ ଯା’ଆସ କରିଥାନ୍ତି। ଯେହେତୁ ସାତଟି ପଂଚାୟତର ଅଧିକାଂଶ ଲୋକେ ବଂଗୀୟ ଭାଷାଭାଷୀ, ତେଣୁ ଜନସଂଖ୍ୟାର ପ୍ରାୟ ୧୦ ପ୍ରତିଶତରୁ ଅଧିକ ଲୋକଙ୍କ ଘର ପଶ୍ଚିମବଙ୍ଗରେ ରହିଛି। ପାଖାପାଖି ୭ଶହରୁ ଅଧିକ ଟ୍ରଲର, ବୋଟ, ଗିଲନେଟର ଏହି ଅଂଚଳରେ ରହିଛି। ଏମାନଙ୍କ ମାଛଧରା ଟ୍ରଲରରେ ବାଲେଶ୍ବର, ଭଦ୍ରକ ସମେତ ପଶ୍ଚିମବଂଗର ମତ୍ସ୍ୟଜୀବୀମାନେ କାମ କରୁଛନ୍ତି। ସରକାର ମାଛଧରା କଟକଣା ମୁକ୍ତ କରିଥିବାରୁ ପଶ୍ଚିମବଂଗରୁ ଲୋକମାନେ ଆସିବାରେ ବିଶେଷ ଅସୁବିଧା ହେଉନାହିଁ। ଗତକାଲି ତ୍ରିଲୋଚନପୁର ଗାଁର ଅର୍ଦ୍ଧେନ୍ତୁ ଡିଙ୍ଗଲ ତାଙ୍କ ମାଛଧରା ବୋଟ ନେଇ ଭଦ୍ରକ ଚରଦିଆ ଘାଟରୁ ତାଙ୍କ ଶଳା ଝଂଟୁଲାଲ ଦାସଙ୍କୁ ନେଇ ଆସିଛନ୍ତି। ଆଜି ଏ ସଂପର୍କରେ ସ୍ଥାନୀୟ ସରପଂଚ ରମେଶ ଚନ୍ଦ୍ର ବେହେରା ଆଇଆଇସି ଓ ବିଡିଓଙ୍କୁ ଜଣାଇଛନ୍ତି।

ହେଲେ ସଂପ୍ରତି କରୋନା ପାଇଁ କଟକଣା ଲାଗୁ ହୋଇଥିଲେ ହେଁ, ‌ବୋଟ୍‌ ନ ଥିବାରୁ ପଶ୍ଚିମବଂଗରୁ ଆସୁଥିବା ଲୋକଙ୍କୁ ରୋକିବା ଅଥିବା ପାଟ୍ରୋଲିଂ ସମ୍ଭବପର ହେଉନାହିଁ ବୋଲି ତନ୍ତିଆପାଳ ଥାନାଧିକାରୀ ଅସହାୟତା ପ୍ରକାଶ କରିଛନ୍ତି। ଜମ୍ବୁରେ ବୋଟ୍‌ ଥିଲେ ହେଁ, କର୍ମଚାରୀ ଅଭାବ ପାଟ୍ରୋଲିଂରେ ସମସ୍ୟା ସୃଷ୍ଟି କରୁଛି। ୪୧କର୍ମଚାରୀ ରହିବା ବଦଳରେ ମାତ୍ର ୧୧ ଜଣ ଅଛନ୍ତି। ଏପରି ସ୍ଥିତିରେ ବି ପଶ୍ଚିମବଂଗ ଫେରନ୍ତାଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା ଥାନାଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର