କେନ୍ଦ୍ରାପଡ଼ା ବିଧାନସଭା: ବଦଳିଗଲା ସହର ଭୋଟ୍‌ ସମୀକରଣ

ତୃତୀୟକୁ ଖସିଲା କ˚ଗ୍ରେସ, ଶୀର୍ଷରେ ବିଜେଡି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବିଧାନସଭା ଆସନକୁ ବିଜେଡି ପୁଣିଥରେ ନିଜ କବ୍‌ଜାରେ ରଖିବାରେ ସଫଳ ହୋଇଛି। ଦଳୀୟ ପ୍ରାର୍ଥୀ ଗଣେଶ୍ବର ବେହେରା ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଗୀତାଞ୍ଜଳି ସେଠୀଙ୍କୁ ୩୫ହଜାର ୪୧୮ଖଣ୍ତ୍‌ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ଏଥିସହିତ କେନ୍ଦ୍ରାପଡ଼ା ସହରାଞ୍ଚଳରେ ବିଜେଡି କ˚ଗ୍ରେସକୁ ଭୋଟ୍‌ ଗଣତିରେ ବହୁ ପଛକୁ ଠେଲି ଦେଇଛି। ୨୦୦୯ମସିହା ପରଠୁ ଶାସକ ବିଜେଡି କେବେ ଭୋଟ୍‌ରେ ମ୍ୟୁନିସିପାଲିଟି ଅଞ୍ଚଳରେ ପ୍ରଥମ ସ୍ଥାନ ଅକ୍ତିଆର କରିପାରି ନଥିଲା। କ˚ଗ୍ରେସ ସବୁବେଳେ ଆଗରେ ରହିବା ସହିତ ପ୍ରତିଥର ବିଜେଡି-କ˚ଗ୍ରେସ ମଧୢରେ କଡ଼ା ମୁକାବିଲା ଦେଖିବାକୁ ମିଳୁଥିଲା। ଏବେ ଏଠାରେ ବିଜେପି ଦୁଇ ନମ୍ବରକୁ ଉଠିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ବିଜେଡି ବିଜେପିଠାରୁ ୭ହଜାର ୨୧୧ଖଣ୍ତ ଭୋଟ୍‌ରେ ଅଧିକ ପାଇଛି।

କେନ୍ଦ୍ରାପଡ଼ା ବ୍ଲକ୍‌ର ୨୭, ପଟ୍ଟାମୁଣ୍ତାଇ ବ୍ଲକ୍‌ର ୧୨ ପଞ୍ଚାୟତ ଏବ˚ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିର ୨୧ଟି ଵାର୍ଡକୁ ନେଇ କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ର ଗଠିତ। ଚଳିତ ନିର୍ବାଚନରେ କେନ୍ଦ୍ରାପଡ଼ା ନିର୍ବାଚନମଣ୍ତଳୀରେ ଏକ ନୂଆ ଦୃଶ୍ୟ ଦେଖିବାକୁ ମିଳିଥିଲା। ଦଳଡିଆଁ ନେତା/ନେତ୍ରୀଙ୍କୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଆଉ କ˚ଗ୍ରେସ ପ୍ରାର୍ଥୀ କରିଥିଲା, ଯେଉଁମାନେକି’ ନିର୍ବାଚନ ପୂର୍ବରୁ ହିଁ ଦଳ ଛାଡ଼ିଥିଲେ। କ˚ଗ୍ରେସ ଛାଡ଼ି ଆସିଥିବା ଗଣେଶ୍ବର ବେହେରାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା ବେଳେ ବିଜେଡି ଛାଡ଼ି ଯାଇଥିବା ଗୀତାଞ୍ଜଳି ସେଠୀଙ୍କୁ ବିଜେପି ଏବ˚ ବିଜେଡି ଛାଡ଼ିଥିବା ଡକ୍ଟର ସିପ୍ରା ମଲ୍ଲିକଙ୍କୁ କ˚ଗ୍ରେସ ମଇଦାନକୁ ଉତ୍ତାରିଥିଲା। ବିଗତ ନିର୍ବାଚନଗୁଡ଼ିକରେ ଏହି ଆସନରେ ମୁଖ୍ୟତଃ ବିଜେଡି-କ˚ଗ୍ରେସ ମଧୢରେ କଡ଼ା ଟକ୍କର ଦେଖିବାକୁ ମିଳୁଥିଲା ଏବ˚ ବିଜୟ ବ୍ୟବଧାନ ୧୦ହଜାର ଭିତରେ ରହୁଥିଲା। ମାତ୍ର ଏଥର କ˚ଗ୍ରେସ ମୁହାଁମୁହିଁ ମୁକାବିଲା ସ୍ଥିତିକୁ ବି ଆସିପାରି ନଥିଲା। କ˚ଗ୍ରେସକୁ ମାତ୍ର ୭୪୭୮ଖଣ୍ତ ଭୋଟ୍‌ ମିଳିଛି। ବିଜେଡିକୁ ୯୦ହଜାର ୧୭୩ଖଣ୍ତ ଭୋଟ ମିଳିଥିବା ବେଳେ ବିଜେପି ପାଇଛି ୫୪ହଜାର ୭୫୫ଖଣ୍ତ ଭୋଟ୍‌। କହିବାକୁ ଗଲେ ବିଜେପିର ନୂଆ ଅଭ୍ୟୁଦୟ ଘଟିବା ସହିତ ପୂରା ନିର୍ବାଚନ ମଣ୍ତଳୀରେ ବିଜେପି ନିଜ ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଛି।

ତୃତୀୟକୁ ଖସିଲା କ˚ଗ୍ରେସ, ଶୀର୍ଷରେ ବିଜେଡି
ଦୁଇ ନମ୍ବରକୁ ଉଠିଲା ବିଜେପି

କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଞ୍ଚଳରେ ଗତ ତିନିଟି ସାଧାରଣ ନିର୍ବାଚନରେ କ˚ଗ୍ରେସ ସବୁବେଳେ ଆଗରେ ରହି ଆସିଥିଲା। ୨୦୧୪ରେ ବିଜେଡିଠୁ ୨୮୦୦ଭୋଟ୍‌ରେ କ˚ଗ୍ରେସ ଅଗ୍ରଣୀ ହାସଲ କରିଥିଲା। ୨୦୧୯ରେ କିନ୍ତୁ କ˚ଗ୍ରେସର ବ୍ୟବଧାନ କମିଯାଇଥିଲା।  ୧୮୬୮ଖଣ୍ତ ଭୋଟରେ ବିଜେଡିଠୁ ଆଗରେ ରହିଥିଲା କ˚ଗ୍ରେସ। ଏଥର ଭୋଟ ଗଣିତ ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯାଇଛି। ୨୧ଵାର୍ଡ ବିଶିଷ୍ଟ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ବିଜେଡିକୁ ୧୫ହଜାର ୧୪୬ଖଣ୍ତ ଭୋଟ୍‌ ମିଳିଥିବା ବେଳେ ବିଜେପି ସପକ୍ଷରେ ୭ହଜାର ୯୩୫ଖଣ୍ତ ଏବ˚ କ˚ଗ୍ରେସକୁ ୨୩୫୦ଖଣ୍ତ ଭୋଟ୍‌ ମିଳିଛି। ଗତ ନିର୍ବାଚନ ତୁଳନାରେ କ˚ଗ୍ରେସ ୮୩୯୬ଖଣ୍ତ ଭୋଟ୍‌ ହରାଇଥିବା ବେଳେ ବିଜେପି ୪ହଜାର ୩୧୪ଖଣ୍ତ ଅଧିକ ଭୋଟ ପାଇଛି। ସବୁଠୁ ବଡ଼ କଥା ହେଉଛି କ˚ଗ୍ରେସ ଏତେ ଶୋଚନୀୟ ପ୍ରଦର୍ଶନ କରିଛି ଯେ, ୨୦୫ନମ୍ବର ବୁଥ୍‌ରେ ଖଣ୍ତେ ବି ଭୋଟ୍‌ ପାଇ ନଥିବା ବେଳେ ୨୦୦ନମ୍ବର ବୁଥ୍‌ରେ ଦୁଇ ଅଙ୍କ ଛୁଇଁ ପାରି ନାହିଁ। ମାତ୍ର ୯ଖଣ୍ତ ଭୋଟ୍‌ ଏହି ଜାତୀୟ ଦଳକୁ ମିଳିଛି। ସେହିଭଳି ବିଜେପି ବି ଏକାଧିକ ବୁଥ୍‌ରେ ଦୁଇ ଅଙ୍କ ଭୋଟ ଛୁଇଁପାରି ନାହିଁ। ୨୦୬ନମ୍ବର ବୁଥ୍‌ରେ ମାତ୍ର ୨ଖଣ୍ତ ପଦ୍ମକୁ ମିଳିଥିବା ବେଳେ ୨୧୭ ନମ୍ବରରେ ୫, ୨୧୮ନମ୍ବର ବୁଥ୍‌ରେ ୬ ଖଣ୍ତ ଭୋଟ ମିଳିଛି। କ˚ଗ୍ରେସର ଏଭଳି ବିପର୍ଯ୍ୟୟ ପଛରେ ଯେଉଁ କାରଣ ନିହିତ ଥିବା କୁହାଯାଉଛି, ତାହା ହେଉଛି ଗଣେଶ୍ବର କ˚ଗ୍ରେସ ଛାଡ଼ିଯିବା ସହିତ ସି˚ହଭାଗ ସ˚ଖ୍ୟାଲଘୁ ଭୋଟ୍‌ ବିଜେଡି ଖାତାକୁ ଚାଲି ଯାଇଛି।

ସମ୍ବନ୍ଧିତ ଖବର