କେନ୍ଦ୍ରାପଡ଼ା: ବଉଳା କୁମ୍ଭୀର ହାବୁଡ଼ରେ ପଡ଼ି ଜଣେ ସାଙ୍ଘାତିକ ଆହତ

କେନ୍ଦ୍ରାପଡ଼ା: ଗୁରୁବାର ସକାଳେ ରାଜନଗର ବ୍ଲକ୍‌ ଅନ୍ତର୍ଗତ ରାଜପୁରଗାଁ’ରେ ଜଣେ ବ୍ୟକ୍ତି କୁମ୍ଭୀର ହାବୁଡ଼ରେ ପଡ଼ି ସାଙ୍ଘାତିକ ଆହତ ହୋଇଛନ୍ତି।

ଆହତ ବ୍ୟକ୍ତିଜଣକ ହେଉଛନ୍ତି ଭାଗବତ ରାଉତ। ସକାଳ ପ୍ରାୟ ୬ଟା ବେଳେ ଭାଗବତ ଗାଁ ପାଖ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ଥିବା ଗାଧୁଆ ଘାଟରେ ଗାଧାଉଥିବା ସମୟରେ ଗୋଟାଏ ପ୍ରକାଣ୍ଡ ବଉଳା କୁମ୍ଭୀର ତାଙ୍କ ବାମ ହାତକୁ କାମୁଡ଼ି ଧରିଥିଲା। ଭାଗବତ ଡାହାଣ ହାତରେ ଗାଧୁଆ ଘାଟର ବହ୍ଲାକୁ ଦୃଢ଼ ଭାବେ ଧରି ରହିବାରୁ କୁମ୍ଭୀରଟି ତାଙ୍କୁ ଗଭୀର ପାଣିକୁ ଟାଣି ନେଇ ପାରି ନ ଥିଲା। ପାଖରେ ଥିବା ଅନ୍ୟ ଲୋକେ ଓ ପିଲାମାନେ ଚିତ୍କାର କରିବା ସହ କୁମ୍ଭୀର ଉପରକୁ ଟେକାପଥର ଫିଙ୍ଗିବାରୁ ସେ ଭାଗବତଙ୍କ ହାତ ଛାଡ଼ି ଚାଲିଯାଇଥିଲା।

ଗାଧୁଆ ଘାଟକୁ ସୁରକ୍ଷିତ କରାଯିବାକୁ ପୋତା ଯାଇଥିବା ବାଡ଼ର ଗୋଟିଏ ଦୁଇଟି ବହ୍ଲା ଭାଙ୍ଗି ଯାଇଥିବାରୁ ସମ୍ଭବତଃ ପୂର୍ବରୁ ସେଇ ବାଟେ କୁମ୍ଭୀର ଭିତରକୁ ଚାଲି ଆସିଥିଲା।

କୁମ୍ଭୀର ସହ ଟଣାଓଟରା ବେଳେ ଭାଗବତଙ୍କ ତା’ ଜାବରେ ଥାଇ ଲହୁଲୁହାଣ ହୋଇଥିବା ବାମ ହାତଟି ଖୁଆ ପାଖରୁ ଖସି ଯାଇଥିବା ପରି ମନେହେଉଛି।

ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ଚିକିତ୍ସା କେନ୍ଦ୍ରକୁ ନିଆ ଯାଇଥିଲା। ଅଧିକ ଚିକିତ୍ସା ନିମନ୍ତେ ସେଠାରୁ ତାଙ୍କୁ କେନ୍ଦ୍ରପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସର୍ବଶେଷ ସୂଚନା ଅନୁସାରେ ପୁଣି ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଗଲାଣି।

ସମ୍ବନ୍ଧିତ ଖବର