ଗଞ୍ଜାମର ବିଜେଡି ପ୍ରାର୍ଥୀ, ନେତା କେନ୍ଦ୍ରାପଡ଼ା ମୁହାଁ : ପ୍ରମିଳା ଏବେ ତାରକା ପ୍ରଚାରକ

ଚନ୍ଦ୍ରଶେଖର, ପ୍ରଦୀପ, ବିକ୍ରମ ବି ଡେରା ପକାଇଛନ୍ତି

ବ୍ରହ୍ମପୁର : ଭୋଟ ପରେ ଆସିକାର ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ ଏବେ ନିଜ ଅଞ୍ଚଳରେ ନାହାନ୍ତି। କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନୁଭବଙ୍କ ପାଇଁ ସେ ଏବେ ତାରକା ପ୍ରଚାରକ। କିଛିଦିନ ତଳେ କେନ୍ଦ୍ରାପଡ଼ାଠ‌ାରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏବେ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି, ସ୍ବୟଂ ସହାୟକ ଗୋଷ୍ଠୀ ଓ ମହିଳା ଭୋଟର୍‌ଙ୍କୁ ନିଜ ଦଳ ଆଡ଼କୁ ଟାଣି ଆଣିବା ପାଇଁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। କେବଳ ପ୍ରମିଳା ନୁହନ୍ତି, ଗଞ୍ଜାମ ଜିଲ୍ଲାର ବହୁ ନେତା ଏବେ ନିର୍ବାଚନ ପରେ କେନ୍ଦ୍ରାପଡ଼ାମୁହାଁ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପର ଠାରୁ ବ୍ରହ୍ମପୁର ଲୋକସଭା ସା˚ସଦ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ଏବ˚ ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ତା କେନ୍ଦ୍ରପଡ଼ାରେ ରହି ପ୍ରଚାର କରୁଛନ୍ତି। ଜିଲ୍ଲାରେ ନିର୍ବାଚନ ଶେଷ ପରେ ଜିଲ୍ଲା ବିଜେଡି ସଭାପତି ତଥା ଗୋପାଳପୁର ବିଧାନସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ବି କେନ୍ଦ୍ରାପଡ଼ାରେ। ଛତ୍ରପୁର ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ବେହେରା, ଖଲ୍ଲିକୋଟ ବିଧାନସଭା ଆସନର ବିଧାୟକ ପ୍ରାର୍ଥୀଙ୍କ ସ୍ବାମୀ ତଥା ସମିତି ସଭ୍ୟ ‌ଦ୍ବୈତାରୀ ବେହେରା, କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ଲତିକା ପ୍ରଧାନ ଏବ˚ ପୋଲସରା ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ପ୍ରମୁଖ କେନ୍ଦ୍ରାପଡ଼ାରେ ରହି ପ୍ରଚାର ଚଳାଇଛନ୍ତି।

ଆସିକା ଲୋକସଭା ଆସନରେ ସ୍ବୟ˚ ସହାୟିକା ଗୋଷ୍ଠୀର ସଦସ୍ୟା ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରି ବିଜେଡି ସୁପ୍ରିମୋ ସଂସଦରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ ଦିଗରେ ପ୍ରଥମ ପଦେକ୍ଷପ ନେଇ ଉଦାହରଣ ସୃଷ୍ଟି କରିଛନ୍ତି। ରାଜନୀତିରେ ପ୍ରମିଳା ଅଭିଜ୍ଞ ନ ଥିଲେ ହେଁ ପ୍ରାର୍ଥୀ ହେବା ପର ଠାରୁ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଆସିକା ଲୋକସଭା ଆସନରେ ଭିନ୍ନ ଢଙ୍ଗରେ ଅର୍ଥାତ ବେଳେ ବେଳେ ଗୀତ ଗାଇ ପ୍ରଚାର କରି ସେ ଅଧିକ ଚର୍ଚ୍ଚାରେ ରହିଛନ୍ତି।

ବହୁଚର୍ଚ୍ଚିତ ପ୍ରମିଳା ବି ଅନୁଭବଙ୍କ ପାଇଁ ପ୍ରଚାରରେ ଲାଗି ପଡିଛନ୍ତି। କେନ୍ଦ୍ରାପଡ଼ା ଲୋକସଭା ଅଧୀନରେ ୭ଟି ବିଧାନସଭା କ୍ଷେତ୍ର ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର ଓ ମହାକାଳପଡା ରହିଛି। ପ୍ରତି ବିଧାନସଭା ଆସନକୁ ବିଜେଡି ପକ୍ଷରୁ ୫ ରୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ପ୍ରତି ଜୋନ ଦାୟିତ୍ବରେ ଜଣେ ଲେଖାଏଁ ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦିଆଯାଇଛି। ତାଙ୍କ ଅଧୀନରେ କିଛି ସଦସ୍ୟ ରହିଛନ୍ତି। ଏମାନଙ୍କୁ ଗାଇଡ୍‌ କରିବା ଲାଗି ଜଣେ ସ୍ଥାନୀୟ ନେତାଙ୍କୁ ଦାୟିତ୍ବ ଦିଆଯାଇଛି। ଏହି ନେତାମାନେ ଜୋନ ସ୍ତରରେ ବିଜେଡି ସା˚ସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ପ୍ରଚାରରେ ଲାଗି ପଡିଛନ୍ତି।

ସମ୍ବନ୍ଧିତ ଖବର