କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟି ସଭାପତିଙ୍କ ନାଁରେ ଯୌନ ଶୋଷଣ ମାମଲା : ତିନି ମାସ ପରେ ଚେତିଲା ପୁଲିସ

ପୀଡ଼ିତାଙ୍କୁ ଡକାଇ ପଚରାଉଚରା, ଏଚ୍‌ଆରପିସି ଏଡିଜିଙ୍କୁ ଭେଟିଲେ ପୀଡ଼ିତା, ତଦନ୍ତ ଶିଥିଳତାକୁ ନେଇ ଏଡିଜି ଖପ୍ପା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟିର ସଭାପତି ପ୍ରମୋଦ ସାହୁଙ୍କ ବିରୋଧରେ ହୋଇଥିବା ଯୌନ ଶୋଷଣ ମାମଲାରେ ପୁଲିସ ତଦନ୍ତରେ ଶିଥିଳତାକୁ ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ହଟଚମଟ ସୃଷ୍ଟି ହୋଇଛି।

ପୀଡ଼ିତା ଆଜି ରାଜ୍ୟ ପୁଲିସ ମାନବାଧିକାର ସେଲ୍ ଏଡିଜି ଏସ୍‌.ଏମ୍‌ ନରଭଣେଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏଡିଜି ଶ୍ରୀ ନରଭଣେ ଜିଲ୍ଲା ଏସପିଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ସହିତ ତଦନ୍ତ ପ୍ରକ୍ରିୟାରେ ଶିଥିଳତାକୁ ନେଇ କ୍ଷୁବ୍ଧ ହୋଇଥିବା ସୂଚନା ମିଳିଛି। ଯୌନ ଶୋଷଣ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କାହିଁକି ତଦନ୍ତ ପ୍ରକ୍ରିୟା ବିଳମ୍ବ ହେଲା ଏବ˚ ପୀଡ଼ିତା ନ୍ୟାୟ ପାଇଁ ବିଭିନ୍ନ ଫୋରମ୍‌କୁ ଯିବାକୁ ପଡ଼ିଲା, ତା’ର କାରଣ କେନ୍ଦ୍ରାପଡ଼ା ପୁଲିସକୁ ପଚାରିବା ସହ ତୁରନ୍ତ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ନିର୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ଗଲା ତିନି ମାସ ହେବ ଏହି ମାମଲାରେ ଶୋଇ ପଡ଼ିଥିବା କେନ୍ଦ୍ରାପଡ଼ା ପୁଲିସ ଆଜି ହଠାତ୍‌ ଚେଇଁ ଉଠିଛି। ପୀଡ଼ିତାଙ୍କୁ ଥାନାକୁ ଡାକି ପୁଲିସ ଅଧିକାରୀ ତାଙ୍କ ସହ ଆଲୋଚନା କରିଥିବାବେଳେ ଆସନ୍ତାକାଲି ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ ବୋଲି ସୂଚନା ମିଳିଛି। ଅତିରିକ୍ତ ଏସ୍‌ପି ଅମିତା ପଟ୍ଟନାୟକ ପୀଡ଼ିତାଙ୍କୁ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଡକାଇ ଘଟଣା ସ˚ପର୍କରେ ପଚରାଉଚରା କରିଛନ୍ତି। ଟାଉନ ଥାନାକୁ ବି ପୀଡ଼ିତାଙ୍କୁ ଡକାଯାଇ ତାଙ୍କ ସହ ଆଲୋଚନା କରାଯାଇଛି। ଆସନ୍ତାକାଲି ପୁଲିସ ପୀଡ଼ିତା କାର୍ଯ୍ୟ କରୁଥିବା ସ˚ପୃକ୍ତ ସୋସାଇଟି ଅଫିସକୁ ଯାଇ ତଦନ୍ତ କରିବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ, କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର କର୍ମଚାରୀ ମାନଙ୍କ ପକ୍ଷରୁ ଶ୍ରୀ ସାହୁଙ୍କ ବିରୋଧରେ ହୋଇଥିବା ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି। ଅଭିଯୋଗର ସତ୍ୟତା ନାହିଁ ଏବଂ ଏହାକୁ ଏକ ଷଡ଼୍‌ଯନ୍ତ୍ର ବୋଲି ବର୍ଣ୍ଣନା କରିବା ସହ ସୋସାଇଟିରେ ସବୁ କିଛି ଠିକ୍‌ ଚାଲିଛି ବୋଲି କର୍ମଚାରୀ କହିଛନ୍ତି। କର୍ମଚାରୀମାନେ ଏକ ଶୋଭାଯାତ୍ରାରେ ଏସ୍‌ପି ଅଫିସକୁ ଯାଇ ଏହି ଘଟଣାର ପ୍ରତିବାଦ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସଭାପତି ଶ୍ରୀ ସାହୁଙ୍କ ନାଁରେ ସ˚ଗିନ ଅଭିଯୋଗ ଆଣିଥିବା ପୀଡ଼ିତା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟିର ଜଣେ କର୍ମଚାରୀ। କିନ୍ତୁ ଶ୍ରୀ ସାହୁ ତାଙ୍କୁ ମୋବାଇଲ୍‌ ଶିଖିବା ନାଁରେ ନିଜ ଚାମ୍ବରକୁ ଡାକି ଅସଦାଚରଣ କରିବା, ଅଶ୍ଳୀଳ ଇଙ୍ଗିତ କରିବା ଏବ˚ ଧମକ ଦେବା ଭଳି ସ˚ଗିନ ଅଭିଯୋଗ ଆଣି ସେ ଗତ ଏପ୍ରିଲ୍‌ ୩୦ତାରିଖରେ ଟାଉନ ଥାନାର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ପୁଲିସ ଏତଲା ପ˚ଜୀକରଣ ନ କରିବାରୁ ପୀଡ଼ିତା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ ମାମଲା ଶୁଣାଣି କରି ଗତ ଜୁଲାଇରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିବା ପାଇଁ ପୁଲିସକୁ ନିର୍ଦେଶ ଦେଇଥିଲେ। ହେଲେ ପୁଲିସ ପିଛିଲା ତାରିଖ (କୋର୍ଟଙ୍କ ଆଦେଶ ପୂର୍ବରୁ) ଅର୍ଥାତ୍‌ ଅଭିଯୋଗର ତିନି ମାସ ପରେ ଜୁଲାଇ ୨୩ରେ ମାମଲା ରୁଜୁ କରିଥିବା ଅଭିଯୋଗ ହୋଇଥିଲା। ମାମଲା ରୁଜୁ ପରେ ବି ତଦନ୍ତ ନାଁରେ ସମୟ ଗଡ଼ାଇ ଚାଲିବାରୁ ପୀଡ଼ିତା ନିରାଶ ହୋଇ ଶେଷରେ ନ୍ୟାୟ ପାଇଁ ଜିଲ୍ଲାପାଳ, ମହିଳା କମିସନ ଏବ˚ ମାନବିକ ଅଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। ଜିଲ୍ଲାପାଳ ବି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏସ୍‌ପିଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ ଏତେ ସବୁ ପରେ ବି ତଦନ୍ତ ଆଗକୁ ବଢ଼ିଲା ନାହିଁ। ମାମଲାର ତିନି ମାସ ପରେ ବି ପୁଲିସ ତଦନ୍ତ ନାଁରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ହଟଚମଟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର