୨୦ ହଜାର ଲାଞ୍ଚ ନେଇ ଡିଇଓ ଗିରଫ; ୪ଦିନ ପରେ ଅବସର ନେଇଥା’ନ୍ତେ, ଧରାପଡ଼ିଲେ

କେନ୍ଦ୍ରାପଡା/କଟକ/ବାଲେଶ୍ବର : ୪ଦିନ ପରେ ଚାକିରିରୁ ଅବସର ନେଇଥା‌’ନ୍ତେ। ସେଥିପାଇଁ ଜିନିଷପତ୍ର ବି ଘରକୁ ଆଣି ସାରିଥିଲେ। ହେଲେ, ତା’ପୂର୍ବରୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ସଂଜୀବ କୁମାର ସିଂ। ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିବା ସହିତ କେନ୍ଦ୍ରାପଡ଼ା ସଦର ମହକୁମାରେ ଥିବା ତାଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ, ସମ୍ପର୍କୀୟଙ୍କ ଘର ଓ ବାଲେଶ୍ବର ସହରସ୍ଥିତ ପୈତୃକ ଘରେ ଚଢ଼ଉ କରିଛି।

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପିଅନ ସନ୍ତୋଷ କୁମାର କୁଣ୍ତଙ୍କୁ କିଛିଦିନ ତଳେ ପଟ୍ଟାମୁଣ୍ତାଇ ବ୍ଲକ୍‌ ନିମପୁର ହାଇସ୍କୁଲକୁ ଡେପୁଟେସନ୍‌ରେ ପଠାଯାଇଥିଲା। ପିଅନ ଶ୍ରୀ କୁଣ୍ତ ନିଜର ଡେପୁଟେସନ୍‌ ଅର୍ଡର ବାତିଲ୍‌ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖକୁ ବାରମ୍ବାର ଦୌଡୁଥିଲେ। ପୁଣିଥରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ କିମ୍ବା ଡେରାବିଶ ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ତାଙ୍କୁ ଆଣିବାପାଇଁ ଡିଇଓ ଶ୍ରୀ ସିଂହ ୨୦ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ଶ୍ରୀ କୁଣ୍ତ ଭିଜିଲାନ୍ସର ଆଶ୍ରୟ ନେଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ସକାଳ ପ୍ରାୟ ୯ଟାରେ ଶ୍ରୀ କୁଣ୍ତ କେମିକାଲ ବୋଳା ୨୦ ହଜାର ଟଙ୍କା ଧରି ଜିଲ୍ଲା ଶିକ୍ଷାଧିକାରୀଙ୍କ ତିନିମୁହାଣିସ୍ଥିତ ଏନ୍‌ଏଚ୍‌ କଲୋନି ଭଡ଼ାଘରେ ପହଞ୍ଚିଥିଲେ। ଡିଇଓ ଶ୍ରୀ ସିଂହଙ୍କ ସହ ନିଜ ବଦଳି ସଂପର୍କରେ କଥା ହେବାପରେ ସେହି ୨୦ ହଜାର ଟଙ୍କା ତାଙ୍କ ହାତକୁ ଧରାଇଥିଲେ। ଟଙ୍କା ନେବାପରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଡିଇଓ ଶ୍ରୀ ସିଂହଙ୍କୁ ମାଡ଼ି ବସିଥିଲେ। ତାଙ୍କଠାରୁ ଲାଞ୍ଚବାବଦ ୨୦ ହଜାର ଟଙ୍କା ଜବତ କରିଥିଲେ। ଏହାପରେ ଗୋଟିଏ ଟିମ୍‌ କେନ୍ଦ୍ରାପଡା ଭଡ଼ାଘରେ ତନଖି ଜାରି ରଖିଥିବାବେଳେ ଅନ୍ୟ ଏକ ଟିମ୍‌ ତାଙ୍କୁ କେନ୍ଦ୍ରାପଡା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣିଥିଲେ। ଏ ନେଇ କଟକ ଭିଜିଲାନ୍ସରେ ମାମଲା ରୁଜୁ କରାଯିବା ସହ ଶ୍ରୀ ସିଂହଙ୍କୁ ଗିରଫ କରାଯାଇଛି। ତାଙ୍କର କେନ୍ଦ୍ରାପଡା ଭଡ଼ାଘର, କଟକ ପେଟିନ୍‌ସାହି, ବାଲେଶ୍ବର ଚର୍ଚ୍ଚ ଲେନ୍‌ସ୍ଥିତ ପୈତୃକ ଘର ଓ ବଲାଙ୍ଗୀରସ୍ଥିତ ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢଉ କରାଯାଇଛି।

ସମ୍ବନ୍ଧିତ ଖବର