କେନ୍ଦ୍ରାପଡ଼ା ମେଡିକାଲ୍‌ରେ ରୋଗୀଙ୍କ ସହ ଖେଳ : ରକ୍ତ ରିପୋର୍ଟ ନେଇପାରେ ଜୀବନ!

ପାଥୋଲାବ୍‌ ଭୁଲ୍‌ ପରୀକ୍ଷାକୁ ଧରିଲା ବ୍ଲଡ୍‌ ବ୍ୟାଙ୍କ୍‌, ଦେଇଥିଲା ‘ଓ ପଜିଟିଭ’, ବାହାରିଲା ‘ଏ ପଜିଟିଭ୍‌’, ତିନି ମାସରେ ବାହାରିଲାଣି ତିନି ଭୁଲ୍‌ ରିପୋର୍ଟ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୁଲ୍‌ ରକ୍ତ ରିପୋର୍ଟ ନେଇପାରେ ରୋଗୀ ଜୀବନ। ଗଲା ତିନି ମାସ ଭିତରେ ଗୋଟିଏ କି ଦୁଇଟି ନୁହେଁ, ପାଥୋଲାବ୍‌ ରୋଗୀ କଲ୍ୟାଣ ସମିତି ଚିଠାରେ ଦେଇଥିବା ତିନି ତିନିଟି ଭୁଲ୍‌ ରିପୋର୍ଟ ‘ସମ୍ବାଦ’ ହାତରେ ଲାଗିଛି। ପାଥୋଲୋଜି ବିଭାଗ ଗୋଟିଏ ଗ୍ରୁପ୍‌ ଦର୍ଶାଇଥିବା ବେଳେ ବ୍ଲଡ୍‌ବ୍ୟାଙ୍କ୍‌ରେ କିନ୍ତୁ ପରୀକ୍ଷା ପରେ ବଦଳିଯାଇଛି ରୋଗୀଙ୍କ ରକ୍ତ ଗ୍ରୁପ୍‌। କାହାର ପାଥୋଲାବ୍‌ ଦେଇଥିବା ‘ଓ ପଜିଟିଭ୍‌’ ଭୁଲ୍‌ ରିପୋର୍ଟ ବ୍ଲଡ୍‌ ବ୍ୟାଙ୍କ୍‌ରେ ପରୀକ୍ଷା ପରେ ‘ଏ ପଜିଟିଭ୍‌’ ବାହାରିଛି ତ କାହାର ‘ବି’ ଏବ˚ ‘ଓ ପଜିଟିଭ୍‌’ ବ୍ଲଡ୍‌ ଗ୍ରୁପ୍‌କୁ ଯଥାକ୍ରମେ ପାଥୋଲାବ୍‌ ଦର୍ଶାଇଛି ‘ଏବି’ ଏବ˚ ‘ବି’ ପଜିଟିଭ୍‌। ସବୁଥରକ କିନ୍ତୁ ରକ୍ତ ଦେବା ପୂର୍ବରୁ ବ୍ଲଡ୍‌ ବ୍ୟାଙ୍କ୍‌ ଏଭଳି ତ୍ରୁଟି ଧରିବାରୁ ରୋଗୀଙ୍କ ଜୀବନ ଅଳ୍ପକେ ବ˚ଚିଯାଇଛି। ବାରମ୍ବାର ବାହାରୁଥିବା ଏଭଳି ଭୁଲ୍‌ ରିପୋର୍ଟ ସିଧାସଳଖ ମେଡିକାଲ୍‌ରେ ରୋଗୀଙ୍କ ଜୀବନ ସହ କିପରି ଖେଳ ଖେଳାଯାଉଛି ତାର ପ୍ରମାଣ ଦେଉନି; ବର˚ ଭୁଲ୍‌ ରିପୋର୍ଟ ଯେ ଯେକୌଣସି ସମୟରେ ଜଣେ ରୋଗୀର ଜୀବନ ନେବାର ଆଶଙ୍କାକୁ ଅଧିକ ଦୃଢ଼ୀଭୂତ କରୁଛି।

ଉଲ୍ଲେଖଯୋଗ୍ୟ, ସରକାରୀ ମେଡିକାଲ୍‌ରେ ରୋଗୀଙ୍କୁ ସବୁ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବା ଉପରେ ସରକାର ଗୁରୁତ୍ବାରୋପ କରୁଛନ୍ତି। ଏଥିପାଇଁ ସବୁ ପ୍ରକାର ପରୀକ୍ଷାଠୁ ନେଇ ଔଷଧ ଯାଏ ମାଗଣା କରିଦେଇଛନ୍ତି। କିନ୍ତୁ କେନ୍ଦ୍ରାପଡ଼ା ମେଡିକାଲ୍‌ରେ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଲା ବେଳେ କର୍ମଚାରୀ ମାନେ ଯେ ଆଦୌ ସତର୍କତା ଅବଲମ୍ବନ କରୁନାହାନ୍ତି, ତାହା ଏକାଧିକ ଭୁଲ୍‌ ରକ୍ତ ରିପୋର୍ଟରୁ ଧରା ପଡ଼ିଯାଉଛି। ପାଟକୁରା ଅ˚ଚଳର ଶୁଭଶ୍ରୀ ନାୟକ(୨୬) ଗତ ୭ ତାରିଖରେ କେନ୍ଦ୍ରାପଡ଼ା ମେଡିକାଲ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। ପିଲା ଜନ୍ମ ବେଳକୁ ରକ୍ତର ଆବଶ୍ୟକତା ଥିବା ଡାକ୍ତର ଦର୍ଶାଇଥିଲେ। ତଦନୁଯାୟୀ, ତାଙ୍କ ରକ୍ତ ନମୁନା ସ˚ଗ୍ରହ କରାଯାଇଥିଲା। ପାଥୋଲୋଜି ବିଭାଗରେ କର୍ମଚାରୀ ରକ୍ତ ପରୀକ୍ଷା କରି ରୋଗୀ କଲ୍ୟାଣ ସମିତି ଚିଠାରେ ‘ଓ ପଜିଟିଭ୍‌’ ଗ୍ରୁପ୍‌ ଆବଶ୍ୟକତା ଥିବା ଦର୍ଶାଇ ରକ୍ତ ଆଣିବାକୁ କହିଥିଲେ। ଆଟେଣ୍ତାଣ୍ଟ୍‌ ଏହି ଚିଠା ନେଇ ବ୍ଲଡ୍‌ବ୍ୟାଙ୍କ୍‌କୁ ଯିବା ପରେ ସେଠାରେ ନିୟମାନୁଯାୟୀ ରକ୍ତ ଦେବା ପୂର୍ବରୁ ପୁନଶ୍ଚ ନମୁନା ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ଶ୍ରୀମତୀ ନାୟକଙ୍କ ‘ଓ ପଜିଟିଭ୍‌’ ପରିବର୍ତେ ‘ଏ ପଜିଟିଭ୍‌’ ବାହାରିବା ଦେଖି ବ୍ଲଡବ୍ୟାଙ୍କ୍‌ କର୍ମଚାରୀ ଚକିତ ହୋଇଯାଇଥିଲେ। ସନ୍ଦେହ ହେବାରୁ ପୁନଶ୍ଚ ଶ୍ରୀମତୀ ନାୟକଙ୍କ ରକ୍ତ ନମୁନା ଆଣିବା ପାଇଁ କୁହାଯାଇଥିଲା। ଆଟେଣ୍ତାଣ୍ଟ୍‌ ପୁଣି ନମୁନା ଆଣିବା ପରେ ପରୀକ୍ଷାରୁ ‘ଏ ପଜିଟିଭ୍‌’ ବାହାରିଥିଲା। କେବଳ ଶ୍ର୍ରୀମତୀ ନାୟକଙ୍କ କ୍ଷେତ୍ରରେ ଏଭଳି ହୋଇଛି ତାନୁହେଁ; ପ୍ରକାଶ ଚନ୍ଦ୍ର ମଲ୍ଲିକ, ନିର୍ମଳ ଚନ୍ଦ୍ର ଦାସଙ୍କ ବ୍ଲଡ୍‌ ଗ୍ରୁପ୍‌କୁ ନେଇ ପାଥୋଲୋଜି ବିଭାଗ ଦେଇଥିବା ଭୁଲ୍‌ ରିପୋର୍ଟକୁ ବ୍ଲଡ୍‌ବ୍ୟାଙ୍କ୍‌ ଧରିଛି। ପ୍ରକାଶଙ୍କ ଗତ ଅକ୍ଟୋବର ୨୧ତାରିଖରେ ରକ୍ତ ପରୀକ୍ଷା କରାଯାଇଥିଲା। ପାଥୋଲୋଜି ବିଭାଗ ‘ଏବି ପଜିଟିଭ୍‌’ ଗ୍ରୁପ୍‌ ଦର୍ଶାଇ ବ୍ଲଡବ୍ୟାଙ୍କ୍‌ରୁ ରକ୍ତ ଆଣିବାକୁ କହିଥିଲା। କିନ୍ତୁ ବ୍ଲଡ୍‌ବ୍ୟାଙ୍କ୍‌ରେ ପରୀକ୍ଷା ପରେ ତାହା ‘ବି ପଜିଟିଭ୍‌ ’ବାହାରିଥିଲା। ଅନୁରୂପ ପରିସ୍ଥିତି ନିର୍ମଳଙ୍କ କ୍ଷେତ୍ରରେ ବି ଦେଖିବାକୁ ମିଳିଛି। ଗତ ସେପ୍ଟେମ୍ବର ୩୦ ତାରିଖରେ ହୋଇଥିବା ରକ୍ତ ପରୀକ୍ଷାରେ ତାଙ୍କର ‘ବି ପଜିଟିଭ୍‌’ ଦର୍ଶାଯାଇଥିବା ବେଳେ ଅକ୍ଟୋବର ୧୬ ତାରିଖ ରିପୋର୍ଟରେ କିନ୍ତୁ ‘ଓ ପଜିଟିଭ୍‌’ ବାହାରିଛି। ଉଲ୍ଲେଖନୀୟ କଥା ହେଉଛି, ବ୍ଲଡବ୍ୟାଙ୍କ୍‌ ଗୋଟିଏ ପରେ ଗୋଟିଏ ଭୁଲ୍‌ ରିପୋର୍ଟ ଧରିଥିଲେ ବି ପାଥୋଲାବ୍‌ କର୍ମଚାରୀଙ୍କ ଉପରେ ଏହାର ସାମାନ୍ୟତମ ପ୍ରଭାବ ପଡ଼ି ନାହିଁ କି ସେମାନେ ଚେତି ନାହାନ୍ତି। ମାତ୍ର ତିନି ମାସ ଭିତରେ ଯଦି ପାଥୋଲାବ୍‌ର ଏଭଳି ତିନିଟି ରିପୋର୍ଟ ଭୁଲ୍‌ ବାହାରୁଛି, ତେବେ ବର୍ଷକର ହିସାବ ନେଲେ ସ˚ଖ୍ୟା କେତେ ବଢ଼ିଯିବ? ଏହା ବୟାନ କରୁଛି ଯେ ପାଥୋଲୋଜି ବିଭାଗର କର୍ମଚାରୀ ମାନେ ରୋଗୀଙ୍କ ରକ୍ତ ପରୀକ୍ଷା ବେଳେ ସାମାନ୍ୟତମ ସାବଧାନତା ତଥା ସତର୍କତା ଅବଲମ୍ବନ କରୁନାହାନ୍ତି।

ଏ ସଂପର୍କରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କିଶୋର ଆଚାର୍ଯ୍ୟ କହିଛନ୍ତି ଯେ ଏହା ଏକ ସା˚ଘାତିକ ଘଟଣା। ରକ୍ତ ପରୀକ୍ଷା ବେଳେ ସତର୍କତା ଅବଲମ୍ବନ କରାଯିବା କଥା। କିନ୍ତୁ ଯଦି ଏପରି ହୋଇଛି ଏବ˚ ଭୁଲ୍‌ ରିପୋର୍ଟ ହସ୍ତଗତ ହୁଏ; ତେବେ ଘଟଣାର ଯାଞ୍ଚ କରାଯିବ।

ସମ୍ବନ୍ଧିତ ଖବର