କେନ୍ଦ୍ରାପଡାର ବିଭିନ୍ନ ବୁଥରେ ଗଣ୍ଡଗୋଳ, ଇଭିଏମ ଅଚଳ

ବୁଥ୍‌ ଜବରଦଖଲ, ପ୍ରିଜାଇଡିଂ ଅଫିସର ଓ ଏଜେଣ୍ଟଙ୍କୁ ମାଡ଼ ଅଭିଯୋଗ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ କେତେକ ସ୍ଥାନରେ ଗଣ୍ଡଗୋଳ ଘଟିବା ସହ ବୁଥ୍ ଜବରଦଖଲ ଅଭିଯୋଗ ହୋଇଛି। ଇଭିଏମ୍‌ ଅଚଳ ଯୋଗୁ ଅଧିକାଂଶ ସ୍ଥାନରେ ମତ ଦାନ ବିଳମ୍ବିତ ହୋଇଛି। ଆଜି ଦିନ ଗୋଟାଏ ବେଳେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ପୁରୁଷୋତ୍ତମପୁର ପଂଚାୟତର ସନ୍ୟାସପୁର ସ୍କୁଲ ୨୩୯ ବୁଥରେ ପୁଲିସ୍‌ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀଙ୍କୁ ସହଯୋଗ କରି କଂଗ୍ରେସ ସମର୍ଥକଙ୍କ ସହିତ ଥିବା ଭୋଟରଙ୍କୁ ମାରପିଟ୍ କରିବା ଅଭିଯୋଗ ହୋଇଥିଲା। ସେମାନଙ୍କୁ ବୁଥକୁ ଛଡ଼ା ଯାଇ ନଥିଲା ବୋଲି ଅଭିଯୋଗ କରିଥିଲେ କଂସାର ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା। ସେହିପରି ଚକ୍ରୋଡ଼ା ପଂଚାୟତର ମାଗୁରଗଣ୍ତ ପାଟଣା ୧୫୯ ନଂ ବୁଥରେ ଦିନ ଗୋଟାଏ ବେଳେ ଇଭିଏମ୍ ମେସିନ୍ କାମକରି ନଥିଲା। ଫଳରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏନେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ସେଠାରେ ଅଧିକାରୀମାନେ ପହଁଚି ସଂଧ୍ୟା ୬ଟା ସୁଦ୍ଧା ମତଦାନ କେନ୍ଦ୍ର ପରିସରକୁ ପ୍ରବେଶ କରି ସାରିଥିବା ଭୋଟରଙ୍କୁ ମତଦାନ କରିବାକୁ ସୁଯୋଗ ଦିଆଯିବ ଓ ରାତି ପର୍ଯ୍ୟନ୍ତ ସେମାନେ ଭୋଟ ଦେଇ ପାରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସଂଧ୍ୟା ବେଳେ ଭୋଟରମାନେ କେନ୍ଦ୍ର ଭିତରକୁ ଧସେଇ ପଶି ଭୋଟ ଦେବାକୁ ଉଦ୍ୟମ କରିବା ସହ ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ନାନନକାର ୧୫୧ ବୁଥରେ ମଧ୍ୟ ରାତିରେ ଭୋଟ ଦାନ ହୋଇଥିଲା। ୨୦୩ ଜେନା ପାଟଣାରେ ୪ଥର ଇଭିଏମ୍ ଖରାପ ହେବାରୁ ମତଦାନ ବିଳମ୍ବିତ ହୋଇଥିଲା। କେନ୍ଦ୍ରାପଡ଼ା ଗୁଳନଗର ବୁଥ୍ ନଂ ୧୩୯ ଓ ୧୪୧ରେ ଇଭିଏମ୍ ଅଚଳ ହୋଇ ପଡ଼ିବାରୁ ଭୋଟର ହଟହଟା ହୋଇଥିଲେ । କେନ୍ଦ୍ରାପଡ଼ା ଦୁହୁରିଆ ୧୮୭୍ରେ ୩ ଥର ଇଭିଏମ୍ ବଦଳାଯିବା ପରେ ବି ସମସ୍ୟା ସୁଧୁରି ନଥିଲା। ସେହିପରି ଛଘରିଆ, ଜାଗୁଳେଇପଡ଼ା, ମହାକାଳପଡ଼ାର ରାଜଗଡ଼ର ଗୟାସପୁର ପଂଚାୟତ ଇଭିଏମ୍ରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ରାଜଗଡ଼ ପଂଚାୟତ ଗୋବିନ୍ଦପୁର ବୁଥରେ କିଛି ସମୟ ପାଇଁ ମତଦାନ ବନ୍ଦ ରହିଥିଲା । ଇନ୍ଦୁପୁର, ଗରାପୁର, ଧୂମାତ , ଫକୀରାବାଦ୍‌, ଗୁଲନଗର ବୁଥରେ ଇଭିଏମ୍ ଅଚଳ ଯୋଗୁଁ ଭୋଟ ଦେବା ବିଳମ୍ବ୍ବ ହୋଇଥିଲା । ମହାକାଳପଡ଼ାର ବୁଥ୍ ନଂ ୧୨୭, ୧୨୮, ୧୩୫, ମଶାକଣି ୧୫୩, ଖୁରୁସିଆର ୧୫୭, ପଟ୍ଟାମୁଣ୍ତାଇ ୧୫୪, ପାଟକୁରା ନରସିଂହପୁର ବୁଥ୍ ନଂ ୮୦, ପାଟକୁରା ସିଙ୍ଗଟିଆ, ବଗଡ଼ା ୧୭୯ ନଂ ବୁଥ୍, ଜଜାଙ୍ଗ, ୧୨୬ ନଂ ଇଟିପୁର ବୁଥ୍, ଆଳିର ୨୨୬ ପ୍ରଭୃତି ବୁଥରେ ଇଭିଏମ୍ ଅଚଳ ଅବା ସମସ୍ୟା ଦେଖା ଦେବାରୁ ମତଦାନ ବିଳମ୍ବ ହୋଇଥିଲା। ଆଳି ନିର୍ବାଚନ ମଣ୍ଡଳୀର ଆଳି ବ୍ଲକରେ ଆଜି କେତେକ ବୁଥରେ ବିଭିନ୍ନ ରାଜନୈତିକ ଦଳର କର୍ମୀ ଓ ପୋଲିଂ ଏଜେଣ୍ଟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଅନେକ ବୁଥ୍‌ରେ ଇଭିଏମ ଅଚଳ ଯୋଗୁ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ସିଙ୍ଗିରି ପଞ୍ଚାୟତ ଅଳିହା ୩୧୦ ନଂ. ବୁଥ୍ ଭିତରେ ପଶି ଜଣେ ବ୍ୟକ୍ତି ଭୋଟରମାନଙ୍କୁ ପ୍ରଭାବିତ କରିଥିବା ଅଭିଯୋଗ ହୋଇଛି। ଭୂଇଁପୁର ବାଲିସାହି ୧୪୧ ନଂ. ବୁଥରେ ଜଣେ ବିଜେପି ସମର୍ଥକଙ୍କୁ ଆକ୍ରମଣ ହେବା ସହ କୋଳିଡିହର ୨୩୮ ନଂ.ବୁଥରେ ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ସେଠାରେ ବାରମ୍ବାର ଇଭିଏମ ଅଚଳ ଯୋଗୁ ଭୋଟଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା। ଅପରାହ୍ନ ୩ ଟା ସମୟରେ ତୃତୀୟ ଥର ପାଇଁ ଇଭିଏମ ମେସିନ ଖରାପ ହେବା ଓ ଗଣ୍ଡଗୋଳ କାରଣରୁ କଂଗ୍ରେସ ଓ ବିଜେପି ଏଜେଣ୍ଟ ମାନେ ବୁଥ ଛାଡି ପଳାଇ ଯାଇଥିଲେ। ଦୁଇଦଳ ଏଜେଣ୍ଟଙ୍କ ଅନୁପସ୍ଥିତିରେ ଅପରାହ୍ନ ୪ଟା ୪୦ ମିନିଟ୍ ରେ ଭୋଟଗ୍ରହଣ ଆରମ୍ଭ ହୋଇଥିଲା। ଟୁଙ୍ଗା ବୁଥ୍ ରେ ମେସିନ ଖରାପ ଯୋଗୁ ୨ ଘଣ୍ଟା ବିଳମ୍ବରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା ଓ ପରେ,ପରେ ପୁଣି ଦୁଇଥର ମେସିନ ଖରାପ ଯୋଗୁ ଟୁଙ୍ଗା ଓ କୋଳିଡିହରେ ବିଳମ୍ବିତ ରାତିଯାଏ ମତଦାନ ଚାଲିଥିଲା।

ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତର ୯୯ନଂ ବୁଥ ଯୋରଳଠାରେ ବୁଥରେ ଥିବା ଏଜେଣ୍ଟ ଓ ତାଙ୍କ ସହଯୋଗୀଙ୍କ ସହିତ କଣ୍ଟିପାଖରୀ ଗାଁର ସଂଜିତ୍ କୁମାର ରାଉତଙ୍କ ଗଣ୍ତଗୋଳ ହୋଇଥିଲା। ଏ ନେଇ ଆହତ ହୋଇଥିବା ସଂଜିତଙ୍କ ମା’ ଭାରତୀ ରାଉତ ରାଜକନିକା ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। ଭାରିଗଦା ପଂଚାୟତର ମନାଇଡିହ ବୁଥରେ ଇଭିଏମ୍ ଦେଖିବାକୁ ଯାଇଥିବା ଟେକ୍ନିସିଆନଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ କିଛି ସମୟ ଧରି ଅଟକ ରଖିଥିଲେ।

ସମ୍ବନ୍ଧିତ ଖବର