କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ ଉଦ୍‌ଘାଟିତ

କେନ୍ଦ୍ରାପଡ଼ା : ‘ପ୍ରକୃତ ସାହିତ୍ୟ ତାହାକୁ କୁହାଯାଏ, ଯେଉଁଥିରେ ମଣିଷ ଭିତରର ଭଲ କଥା ପ୍ରକାଶ ପାଇଥାଏ। ଯେଉଁ ସାହିତ୍ୟ ଚିନ୍ତା, ଅନୁଭବ, ସଂପର୍କ ଓ ସଂପୃକ୍ତିର ଅଂଶବିଶେଷ ନ ଥାଇ ଲେଖାଯାଇଥାଏ, ତାହା ସାହିତ୍ୟ ନୁହେଁ। ସାହିତ୍ୟ ସମୟର ଆହ୍ବାନକୁ ନେଇ ଆସିଥାଏ ଏବଂ ସାମାଜିକ ବ୍ୟବସ୍ଥାକୁ ବଦଳାଇଥାଏ।’ ପ୍ରଥମ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବକୁ ଉଦ୍‌ଘାଟନ କରି ବିଶିଷ୍ଟ ଅତିଥି ବୃନ୍ଦ ଏହା କହିଛନ୍ତି।

ଗରାପୁରସ୍ଥିତ ହୋଟେଲ ‘ଦି ପ୍ୟାଲେସ୍‌ରେ କେନ୍ଦ୍ରାପଡ଼ା ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ୍‌ ପକ୍ଷରୁ ମ୍ୟାନେଜିଂ ଟ୍ରଷ୍ଟି ଚୌଧୁରୀ ଅମିତାଭ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ କବି, ସ୍ତମ୍ଭକାର ହରପ୍ରସାଦ ଦାସ ‌ଯୋଗ ଦେଇ କହିଲେ ପାଶ୍ଚାତ୍ୟ ପ୍ରଭାବ ଯୋଗୁ ଭାରତୀୟ ସାହିତ୍ୟ ଏଯାବତ୍ ଠିକ୍ ଭାବେ ଲେଖାଯାଇନାହିଁ। ଆମେରିକା ଭଳି ଦେଶରେ ସଭ୍ୟତା ନ ଥାଇ ବି ସେଠାରେ ସାହିତ୍ୟ ସବୁ ଦିଗକୁ ନେଇ ଲେଖାଯାଇଛି। ଅଥଚ ଆମର ସଭ୍ୟତା ଥାଇ ବି ପାଶ୍ଚିତ୍ୟ ଦୃଷ୍ଟିକୋଣର ପ୍ରଭାବ ‌ଯୋଗୁ ଭାରତୀୟ ରଚନା ସମ୍ଭବ ହେଉନାହିଁ। ଶ୍ରୀ ଦାସ କହିଲେ ଆମ ରାଜ୍ୟରେ ଲେଖାଯାଉଥିବା ଉପନ୍ୟାସ କେବଳ ପ୍ରେମ ଏବଂ ପାରିବାରିକ ଘଟଣାବଳୀକୁ ନେଇ ଲେଖାଯାଉଛି। ଏପର୍ଯ୍ୟନ୍ତ ଓଡ଼ିଶା ସହିତ ସଂପୃକ୍ତି ଥିବା ନଅଁଙ୍କ ଦୁର୍ଭିକ୍ଷ, ଜମିଦାରୀ ପ୍ରଥା, ଧର୍ମ, ସହରୀକରଣ, ପ୍ରକୃତି, ଜାତିପ୍ରଥା, ଓଡ଼ିଶାର ସ୍ବାଧୀନତା ସଂଗ୍ରାମ, ରାଜନୀତି, କଳା ଓ ସ୍ଥାପତ୍ୟ ଆଦି ବିଷୟ ଉପରେ ଉପନ୍ୟାସ ଲେଖାଯାଇନାହିଁ। ଏହା କେବଳ ଆମର ସଂକୋଚିତ ଦୃଷ୍ଟିଭଂଗୀର ପରିଚୟ ଦେଉଛି ବୋଲି କହି କ୍ଷୋଭପ୍ରକାଶ କରିଥିଲେ।

ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ରାମଚନ୍ଦ୍ର ବେହେରା ଯୋଗ ଦେଇ କହିଲେ ସାହିତ୍ୟ କରୁଥିବା ଲେଖକଟିଏ ପ୍ରତି ମୁହୂର୍ତ୍ତରେ ବଂଚେ ଏବଂ ମରେ। ସୃଜନଶୀଳତା ପାଇଁ କୌଣସି ଥିଓରୀର ଆବଶ୍ୟକତା ନାହିଁ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଲେଖକ ତଥା ସ୍ତମ୍ଭକାର ଦାଶ ବେନହୁର ରାମାୟଣ, ମହାଭାରତ ଆଦି ଗ୍ରନ୍ଥର ଉଦାହରଣ ଦେଇ କହିଲେ ପୁରାଣ କାଳରୁ ସାହିତ୍ୟ ସାମାଜିକ ଜୀବନକୁ ପ୍ରଭାବିତ କରି ଆସିଛି। ସାହିତ୍ୟ କୌଣସି ସୀମା, ମାନଚିତ୍ର କିମ୍ବା ଭାଷା ଭିତରେ ଆବଦ୍ଧ ହୋଇ ରହେ ନାହିଁ। ଏହା ବ୍ୟକ୍ତିର ଭଲ କଥାକୁ ପଦାକୁ ଆଣେ। ନିରାଶ ଭିତରେ ଆଶା ଏବଂ ଅନ୍ଧାର ଭିତରୁ ଆଲୋକର ବାଟ ଦେଖାଏ। ‌

ଇଭେଣ୍ଟ୍‌ ମ୍ୟାନେଜର୍ସ(କେମ୍‌) ସହଯୋଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦ୍ବିତୀୟ ଅଧିବେଶନରେ ‘ସାଧାରଣ ପାଠକ ବନାମ ଆଧୁନିକ କବିତା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲ। ବକ୍ତା ଭାବେ ସାହିତ୍ୟିକ ଡକ୍ଟର ସେନାପତି ପ୍ରଦ୍ୟୁମ୍ନ କେଶରୀ, ରକ୍ଷକ ନାୟକ, ସୁରେଶ ନାୟକ, ଡକ୍ଟର ଅମୀୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଅନୁରୂପ ଭାବେ ତୃତୀୟ ଅଧିବେଶନରେ ଅନୁଷ୍ଠିତ ‘ଆଧୁନିକ କଥା ସାହିତ୍ୟର କଳା କାରିଗରୀ ଓ ସାଂପ୍ରତିକ ଜୀବନବୋଧ ଶୀର୍ଷକ ଆଲୋଚନାଚକ୍ରରେ ସଦାନନ୍ଦ ତ୍ରିପାଠୀ, ଡକ୍ଟର ଅଜୟ ସ୍ବାଇଁ, ଡକ୍ଟର ଅରବିନ୍ଦ ରାୟ ଏବଂ ଚିତ୍ତରଂଜନ ଚିରଞ୍ଜିତ ପ୍ରମୁଖ ଯୋଗ ଦେଇଥିଲେ। କବି ଅମୀୟ ପାଣ୍ଡବଙ୍କ ସଂଯୋଜନାରେ ‘ସାମାଜିକ ଗଣମାଧ୍ୟମ ଓ ସାହିତ୍ୟ ଶୀର୍ଷକ ଆଲୋଚନାଚକ୍ର ହୋଇଥିଲା। ଏଥିରେ ଅଧ୍ୟାପକ ଜ୍ୟୋତି ନନ୍ଦ ଏବଂ କେଦାର ମିଶ୍ର ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର