କେନ୍ଦ୍ରାପଡ଼ାରେ ଭାରି ପଡ଼ିବେ କି ବିଦ୍ରୋହୀ? ବିଜେପିରୁ ୧୧, ବିଜେଡିରୁ ୨, କ˚ଗ୍ରେସରୁ ଜଣେ ସ୍ୱାଧୀନ ପ୍ରାର୍ଥୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ପ୍ରାୟ ସବୁ ଦଳ ପାଇଁ ଚିନ୍ତା ବଢାଇଛନ୍ତି ବିଦ୍ରୋହୀ। ବିଜେପିର ସର୍ବାଧିକ ୧୧, ବିଜେଡିରୁ ୨ ଓ ଗୋଟିଏ ଜୋନ୍‌ରେ କ˚ଗ୍ରେସର ବିଦ୍ରୋହୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଅନ୍ୟପଟେ ୨୦୧୭ରେ ନିର୍ବାଚିତ ଉଭୟ ବିଜେଡି ଓ ବିଜେପିର ଜିଲ୍ଲା ପରିଷଦ ସଦସ୍ୟଙ୍କ ମଧୢରୁ ଏଥର ଜଣେ ହେଲେ କାହାରିକୁ ଟିକଟ୍‌ ମିଳିନାହିଁ। ବିଜେଡି ଯଦିଓ ନିର୍ବାଚିତ ସଭ୍ୟଙ୍କୁ ଟିକଟ୍‌ ଦେଇନାହିଁ; କିନ୍ତୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ଅବଶ୍ୟ ପ୍ରାର୍ଥୀ କରିଛି। ବିଜେପି କିନ୍ତୁ ଅସନ୍ତୁଷ୍ଟଙ୍କୁ ମନାଇବାରେ ବିଫଳ ହେବାରୁ ଦଳରୁ ୧୧ ବିଦ୍ରୋହୀ ପ୍ରାର୍ଥୀ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧୢରୁ ଜଣେ ଜିଲ୍ଲା ପରିଷଦ ସଭ୍ୟ ଥିବା ବେଳେ ଅନ୍ୟ ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କ ପତ୍ନୀ ଅଛନ୍ତି। ବିଜେଡିରୁ ବି ଦୁଇଟି ଜୋନ୍‌ ୬ ଓ ୧୫ନମ୍ବରରେ ବିଦ୍ରୋହୀ ପ୍ରାର୍ଥୀ ମଇଦାନକୁ ଆସି ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ କ˚ଗ୍ରେସରୁ ଏକମାତ୍ର ୮ନମ୍ବର ଜୋନ୍‌ରୁ ଅସନ୍ତୁଷ୍ଟ ସନ୍ତୋଷ ବେହେରା ସ୍ବାଧୀନ ଭାବେ ନାମାଙ୍କନ ଭରିଛନ୍ତି। ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଆସନ୍ତା ୨୫ ତାରିରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। କିନ୍ତୁ ବିଦ୍ରୋହୀ ପ୍ରାର୍ଥୀଙ୍କ ନାମାଙ୍କନ କେନ୍ଦ୍ରାପଡ଼ା ରାଜନୀତିକୁ ରୋଚକ ମୋଡ଼କୁ ଟାଣି ନେଇଛି।

୩୨ ଜିଲ୍ଲା ପରିଷଦ ଜୋନ୍‌ ବିଶିଷ୍ଟ କେନ୍ଦ୍ରାପଡ଼ାରେ ସବୁଠୁ ଅଧିକ ଗୋଳମାଳିଆ ପରିସ୍ଥିତି ବିଜେପି ପାଇଁ କେନ୍ଦ୍ରାପଡ଼ା, ମହାକାଳପଡ଼ା ଓ ପାଟକୁରା ନିର୍ବାଚନମଣ୍ତଳୀରେ ଉପୁଜିଛି। ଗତ ପଞ୍ଚାୟତ ନିର୍ବାଚନରେ ଦଳ ଯେଉଁ ୧୦ଟି ସିଟ୍‌ ହାତେଇବାରେ ସଫଳ ହୋଇଥିଲା, ତାହା ଉପରୋକ୍ତ ତିନୋଟି ନିର୍ବାଚନ ମଣ୍ତଳୀରୁ ଆସିଥିଲା। ହେଲେ ଏଥର ଜଣେ ହେଲେ ନିର୍ବାଚିତ ଜିଲ୍ଲା ପରିଷଦ ଅଥବା ପ୍ରମୁଖ ଦାବିଦାର‌୍‌ ଥିବା ଆଶାୟୀଙ୍କୁ ଦଳ ଟିକଟ୍‌ ନ ଦେବାରୁ ସେମାନେ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇ ସ୍ବାଧୀନ ରୂପେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ତଳୀର ୬ନମ୍ବର ଜୋନ୍‌ର ବିଜେପିରୁ ଜିଲ୍ଲା ପରିଷଦ ଜିତିଥିଲେ ଦେବାଶିଷ ଦାସ। ମାତ୍ର ଏଥର ଆସନ ମହିଳା ହେଇଯିବାରୁ ପତ୍ନୀଙ୍କ ପାଇଁ ଲବି କରିଥିଲେ ଦେବାଶିଷ। ମାତ୍ର ଦଳ ଟିକଟ୍‌ ନ ଦେବାରୁ ପତ୍ନୀ ରଶ୍ମିତା ଦାସ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଅନୁରୂପ ପରିସ୍ଥିତି ଗରଦପୁରର ୯ନମ୍ବର ଜୋନ୍‌ରେ ଦେଖିବାକୁ ମିଳିଛି। ସନ୍ତୋଷ ଜେନା ଜିଲ୍ଲା ପରିଷଦ ଜିତିଥିଲେ। ମାତ୍ର ତାଙ୍କ ଜୋନ୍‌ ମହିଳା ହେବା ପରେ ୧୦ନମ୍ବରରୁ ଲଢ଼ିବାକୁ ସେ ଆଶାୟୀ ଥିଲେ। କିନ୍ତୁ ଟିକଟ୍‌ ନ ମିଳିବାରୁ ସେ ସ୍ବାଧୀନ ଭାବେ ଶେଷ ଦିନରେ ନାମାଙ୍କନ ଦାଖଲ କରିଛନ୍ତି। ରୋଚକ କଥା ହେଉଛି, ଏକାକି ଶ୍ରୀ ଜେନା ନୁହନ୍ତି, ୧୦ନମ୍ବର ଜୋନ୍‌ରୁ ୨୦୦୯ମସିହାରେ କ˚ଗ୍ରେସ ଟିକଟ୍‌ରେ ବିଧାନସଭା ଲଢ଼ିଥିବା ନାରାୟଣ ସ୍ବାଇଁ, ବିଭୂତି ପରିଡ଼ା ବି ଟିକଟ୍‌ ଆଶାୟୀ ଥିଲେ। ଦଳ ସେମାନଙ୍କ ଦାବିକୁ ଅଣଦେଖା କରିବାରୁ ଉଭୟ ସ୍ବାଧୀନ ଭାବେ ନାମାଙ୍କନ ଭରିଛନ୍ତି। ସେହିପରି ମହାକାଳପଡ଼ାର ୨୩ନମ୍ବରରୁ ଅଚିନ୍ତ ମାଇତି, ମାର୍ଶାଘାଇ ୨୪ନମ୍ବରରୁ ମାଧବ ନାୟକ, ୨୫ରୁ ଅଞ୍ଜଳି ରାଉତ, ୨୬ରୁ ଉଷାରାଣୀ ମିଶ୍ର ଓ ଦୀପକ ଚୌଧୁରୀ ଏବ˚ ରାଜକନିକାର ୨୭ରୁ ଅନୁରାଧା ସାମଲ ଓ ୨୮ରୁ ସରୋଜକାନ୍ତ ରାଉତ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ବିଜେଡିରେ ବି ଅସନ୍ତୋଷ କିଛି କମ୍‌ ନାହିଁ। ସ୍ଥାନୀୟ ନେତା ଅସନ୍ତୁଷ୍ଟଙ୍କୁ ମନାଇ ପ୍ରାର୍ଥିପତ୍ର ଦାଖଲରୁ ଦୂରେଇ ରଖିବାରେ ସଫଳ ହୋଇଥିଲେ ବି ଭୋଟ୍‌ ବେଳେ ଏମାନଙ୍କ ଭୂମିକା ଦଳୀୟ ପ୍ରାର୍ଥୀଙ୍କ ବିପକ୍ଷରେ ଯିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ଦଳରୁ ମାତ୍ର ଦୁଇଟି ଜୋନ୍‌ରେ ବିଦ୍ରୋହୀ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି। ରାଜ୍ୟ ମହିଳା ମୋର୍ଚ୍ଚାର ଯୁଗ୍ମ ସ˚ପାଦିକା ଥିବା ଭକ୍ତିମୟୀ କର ୬ନମ୍ବର ଓ ତରଡ଼ିପାଳ ପ˚ଚାୟତରେ ସମିତି ସଭ୍ୟା ଥିବା ଝୁନୁଲତା ବେହେରା ୧୫ନମ୍ବର ଜୋନ୍‌ରୁ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କ˚ଗ୍ରେସର ବିଦ୍ରୋହୀ ପ୍ରାର୍ଥୀ ଭାବେ ସନ୍ତୋଷ ବେହେରା ୮ନମ୍ବର ଜୋନ୍‌ରୁ ନାମାଙ୍କନ ଭରିଛନ୍ତି। ଅନ୍ୟପକ୍ଷରେ ଦ୍ବିତୀୟବାର ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଟିକଟ୍‌ ଦେଇନଥିବା ବିଜେଡି ସେମାନଙ୍କ ପରିବାର ସଦସ୍ୟଙ୍କୁ ପ୍ରାର୍ଥୀ କରିଛି। ଆଳି ୩ନମ୍ବର ଜୋନ୍‌ରୁ ସୁମନ୍ତ ରାଉତ ଜିଲ୍ଲା ପରିଷଦ ଜିତିଥିଲେ। ଏଥର ତାଙ୍କ ପତ୍ନୀ ସ୍ବାଗତିକା ରାଉତଙ୍କୁ ଟିକଟ୍‌ ମିଳିଛି। ୬ନମ୍ବର ଜୋନ୍‌ରୁ ଗତଥର  ଜିଲ୍ଲା ପରିଷଦ ଲଢ଼ି ହାରିଥିଲେ ପୂର୍ବତନ କେନ୍ଦ୍ରାପଡ଼ା ବ୍ଲକ୍‌ ଅଧୢକ୍ଷ ପ୍ରଦୀପ୍ତ ମହାନ୍ତି। ଏଥର ଦଳ ସେହି ଜୋନ୍‌ରୁ ତାଙ୍କ ପତ୍ନୀ ନିର୍ମଳା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ମୋଟାମୋଟି ବିଜେଡି ଅସନ୍ତୁଷ୍ଟଙ୍କୁ ମନାଇବାରେ ଅନେକା˚ଶରେ ସଫଳ ହୋଇଥିବା ବେଳେ ବିଜେପି କିନ୍ତୁ ଏ କ୍ଷେତ୍ରରେ ବିଫଳ ହୋଇଛି। ଏଭଳି ସ୍ଥିତିରେ ହାତରେ ଆହୁରି ଦୁଇ ଦିନ ଥିବାରୁ ଉଭୟ ବିଜେଡି ଓ ବିଜେପି ବିଦ୍ରୋହୀଙ୍କୁ ମନାଇବାରେ ସଫଳ ହେବେ ନା’ ସ୍ବାଧୀନ ଭାବେ ଲଢ଼ିବାକୁ ସେମାନଙ୍କୁ ଛାଡ଼ି ଦିଆଯିବ? ଯଦି ଏମାନେ ନେତାଙ୍କ ଚାପରେ ଓହରିଯାଆନ୍ତି, ତେବେ ଭୋଟ୍‌ ରାଜନୀତିରେ ଏମାନଙ୍କ ଭୂମିକା କ’ଣ ରହିବ, ତାରି ଉପରେ ସଭିଙ୍କ ନଜର ଏବେ କେନ୍ଦ୍ରୀଭୂତ ହୋଇଛି।

ସମ୍ବନ୍ଧିତ ଖବର