କେନ୍ଦ୍ରାପଡ଼ା ଜିଲ୍ଲାରେ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୪ରେ ପହଞ୍ଚିଲା

କେନ୍ଦ୍ରାପଡ଼ା : ରାଜ୍ୟରେ ପୁଣି ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ସମସ୍ତେ କେନ୍ଦ୍ରାପଡ଼ା, ମହାକାଳପଡ଼ା ଓ ରାଜକନିକା ବ୍ଲକର ସଙ୍ଗରୋଧ କେନ୍ଦ୍ରରେ ଥିଲେ | ତା’ଛଡ଼ା ଏମାନେ ସୁରତ ଫେରନ୍ତା ବୋଲି ସୂଚନା ଦିଆଯାଇଛି। ଏହି ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଟୁଇଟ୍ ଯୋଗେ ଏହି ସୂଚନା ଦେଇଛନ୍ତି।

ଏହା ଫଳରେ କେନ୍ଦ୍ରାପଡ଼ା ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି।  ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୪ରେ ପହଞ୍ଚିଛି।

ସୂଚନାଯୋଗ୍ୟ ରାଜ୍ୟରେ ଆଜି ସକାଳେ ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଥିଲା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ୭୩ ଜଣଙ୍କ ଭିତରୁ  ଗଞ୍ଜାମରୁ ସର୍ବାଧିକ ୪୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାଛଡ଼ା  ଖୋର୍ଦ୍ଧାରେ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଯାଜପୁର ଜିଲ୍ଲାରୁ ୧୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଠିକ୍ ସେହିପରି ଭଦ୍ରକ ଜିଲ୍ଲାରେ ୯ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

 

ସମ୍ବନ୍ଧିତ ଖବର